ଘର ଦୁଆରେ ମିଳିବ ନିର୍ମାଣ ଶ୍ରମିକଙ୍କୁ ଆର୍ଥିକ ସହାୟତା
ବନ୍ତ (ଚାନ୍ଦିନୀ ମହାନ୍ତି) : ରାଜ୍ୟ ସରକାର କରୋନା ଲକ୍ ଡାଉନ୍ ପାଇଁ ବେରୋଜଗାରୀ ହୋଇଥିବା ନିର୍ମାଣ ଶ୍ରମିକ ମାନଙ୍କୁ ୧୫ ଶହ ଟଙ୍କା ଆର୍ଥିକ ସହାୟତା ଦେବାର ବ୍ୟବସ୍ଥା କରିଛନ୍ତି । ଏହି ଅର୍ଥ ରାଶି ନଗଦ ଆକାରରେ ଶ୍ରମିକ ମାନଙ୍କ ଘରକୁ ଯାଇ ବଣ୍ଟନ କରାଯିବାର ବ୍ୟବସ୍ଥା ହୋଇଛି । ଏପରିସ୍ଥଳେ ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ଏଜେଣ୍ଟ ମାନେ ଶ୍ରମିକ ମାନଙ୍କୁ ପ୍ରଲୋଭିତ କରାଇ ସେମାନଙ୍କ ଠାରୁ କାଗଜପତ୍ର ସଂଗ୍ରହ କରୁଥିବା ଅଭିଯୋଗ ହୋଇଛି । ପ୍ରକାଶ ଯେ, କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡରେ ପଞ୍ଜୀକୃତ ହୋଇଥିବା ଶ୍ରମିକ ମାନଙ୍କୁ ଏହି ଅର୍ଥ ରାଶି ପ୍ରଦାନ କରାଯିବ । ଏନ୍ଆଇସି ଦ୍ୱାରା ପ୍ରସ୍ତୁତ ଶ୍ରମିକ ମାନଙ୍କ ଡାଟାବେସ୍ ସମସ୍ତ ଜିଲା ପ୍ରଶାସନକୁ ପ୍ରଦାନ କରାଯାଇଛି । ସ୍ୱତନ୍ତ୍ର ସହାୟତା ରାଶି ସଂପୃକ୍ତ ହିତାଧିକାରୀ ମାନଙ୍କ ଘର ଦୁଆରେ କିମ୍ବା ସେମାନଙ୍କ ଗାଁରେ ଥିବା ନିର୍ଦ୍ଦିଷ୍ଟ ସ୍ଥାନରେ ସାମାଜିକ ଦୂରତା ରକ୍ଷା କରି ବଣ୍ଟନ କରାଯିବାକୁ ନିର୍ଦ୍ଦେଶ ହୋଇଛି । ସହାୟତା ଅର୍ଥ ପ୍ରଦାନ ବେଳେ ହିତାଧିକାରୀ ମାନଙ୍କର ବ୍ୟାଙ୍କ୍ ପାସ୍ ବୁକ୍, ଆଧାର କାର୍ଡ ଓ ପଞ୍ଜୀକୃତ ହୋଇଥିବା ମୋବାଇଲ୍ ନମ୍ବରକୁ ଅଧିକାରୀ ଯାଞ୍ଚ କରିବେ । ୬୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ଶ୍ରମିକ କିମ୍ବା ଗତ ୩ ବର୍ଷ ଧରି ନିର୍ମାଣ ଶ୍ରମିକ କଲ୍ୟାଣ ପାଣ୍ଠି ବାବଦରେ କୌଣସି ଜମା ଦେଇନଥିବା କିମ୍ବା ମୃତ୍ୟୁ ହୋଇଥିବା ଶ୍ରମିକ ମାନଙ୍କର ତଥ୍ୟ ଅଲଗା ଫର୍ମରେ ସଂଗ୍ରହ କରାଯିବ । ପରବର୍ତ୍ତୀ ସମୟରେ ସେମାନଙ୍କୁ ଏହି ଅର୍ଥ ପ୍ରଦାନ ନେଇ ଜିଲା ଶ୍ରମ ଅଧିକାରୀ ନିଷ୍ପତ୍ତି ନେବେ । ସ୍ୱତନ୍ତ୍ର ଆର୍ଥିକ ସହାୟତା ରାଶି ବଣ୍ଟନ ପୂର୍ବରୁ ବ୍ଳକ ଓ ସହରାଞ୍ଚଳ ସ୍ତରର କର୍ମଚାରୀ ମାନେ ସ୍ଥାନୀୟ ଅଞ୍ଚଳର ହିତାଧିକାରୀ ମାନଙ୍କ ତାଲିକା ପ୍ରସ୍ତୁତ କରିବେ । ଅର୍ଥ ନେବାକୁ ଆସିଥିବା ପଞ୍ଜୀକୃତ ଶ୍ରମିକ ତାର ବିଓସି କାର୍ଡ ଦେଖାଇବା ବାଧ୍ୟତାମୂଳକ କରାଯାଇଛି । ତେବେ କୌଣସି ନିର୍ମାଣ ଶ୍ରମିକ ସ୍ଥାନୀୟ ଅଞ୍ଚଳର ଏଜେଣ୍ଟ ମାନଙ୍କୁ କୌଣସି କାଗଜପତ୍ର ନଦେବାକୁ ସଚେତନ କରାଯାଇଛି ।


