ଘର ଭିତରୁ ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର
କରଞ୍ଜିଆ,(ଜିତେନ୍ଦ୍ର ରାଜ): କରଞ୍ଜିଆ ଏନଏସି ୱାର୍ଡ଼ ନଂ ୧ସ୍ଥିତ ନୂଆସାହିରେ ଗତ ଗୁରୁବାର ସନ୍ଧ୍ୟାରେ ଏକ ବର୍ଷର କନ୍ୟା ସନ୍ତାନ ଥିବା ମହିଳାଙ୍କ ଘର ଭିତରେ ବେକରେ ଲୁଗା ବାନ୍ଧି ଆତ୍ମହତ୍ୟା କରିବା ଘଟଣା ସନ୍ଦେହଘେରରେ ଥିବା ବେଳେ ମହିଳାଙ୍କ ବାପଘର ପକ୍ଷରୁ ଥାନାରେ ଯୌତୁକଜନିତ ହତ୍ୟାକାଣ୍ଡ ନେଇ ଅଭିଯୋଗ ହୋଇଥିବା ଜଣାଯାଇଛି । ପୁଲିସ ଏନେଇ ଥାନାରେ ମକଦ୍ଦମା ନଂ ୧୫୧ ରୁଜୁ କରିବା ସହ ଭାରତୀୟ ନ୍ୟାୟ ସଂହିତାର ଧାରା ୮୫/ ୧୦୩(୧) ଏବଂ ଯୌତୁକ ନିରୋଧ ଆଇନର ଧାରା ୪ ଅନୁଯାୟୀ ମହିଳାଙ୍କ ସ୍ୱାମୀକୁ ଥାନାରେ ଅଟକ ରଖି ତଦନ୍ତ କରୁଛି । ପୁଲିସ ସୂତ୍ର ଅନୁଯାୟୀ ନୂଆସାହିର ଅନୀଲ କୁମାର ଚାଣ୍ଡେଲିଆ ୨୦୨୨ମସିହାରେ ପଶ୍ଚିମବଙ୍ଗ ରାଜ୍ୟ ଦେଓଘରରୁ ଚାନ୍ଦିନୀ ବାଲ୍ମୀକଙ୍କୁ ବିବାହ କରିଥିଲେ । ଇତିମଧ୍ୟରେ ସେମାନଙ୍କ ଔରସରୁ ଏକ କନ୍ୟା ସନ୍ତାନ ହୋଇଥିଲା । ତେବେ ବିବାହର ପରବର୍ତ୍ତୀ ସମୟରେ ଦୁହିଁଙ୍କ ମଧ୍ୟରେ ଯୌତୁକ ସମ୍ପର୍କୀତ ଝଗଡା ହୋଇଆସୁଥିଲା । ଗତ ଗୁରୁବାର ସନ୍ଧ୍ୟାରେ ଝିଅକୁ ବଜାର ବୁଲାଇବାକୁ ନେଇ ଅନୀଲ ଘରୁ ବାହାରିଯାଇଥିଲା । ଘରକୁ ଫେରିବା ବେଳକୁ ଝୁଲନ୍ତା ଅବସ୍ଥାରେ ଚାନ୍ଦିନୀକୁ ଦେଖିଥିଲା । ମୃତ ଚାନ୍ଦିନୀକୁ ତୁରନ୍ତ ଚିକିତ୍ସାଳୟକୁ ଅଣାଯାଇଥିଲା ଏବଂ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବରପାଇ ପୁଲିସ ଚାନ୍ଦିନୀର ଶବକୁ ଜବତ କରିବା ସହ ଚାନ୍ଦିନୀର ବାପଘରକୁ ଖବର ଦେଇଥିଲେ । ବାପଘର ଲୋକେ ଆସିବାପରେ ଚାନ୍ଦିନୀକୁ ଶ୍ବଶୁର ଘର ଲୋକେ ଯୌତୁକଜନିତ ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ କରିଥିଲେ ।ଅଭିଯୋଗ ଭିତ୍ତିରେ ପୁଲିସ ଥାନାରେ ମକଦ୍ଦମା ରୁଜୁ କରିବା ସହ ବାରିପଦାରୁ ସାଇଣ୍ଟିଫିକ ଦଳ ମଗାଇଥିଲେ । ଆଜି ଚିକିତ୍ସାଳୟରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଇନକ୍ୱେଷ୍ଟ ହୋଇଥିଲା । ଆଜି ଅପରାହ୍ନ ପର୍ଯ୍ୟନ୍ତ ବ୍ୟବଚ୍ଛେଦ ହୋଇନଥିବା ବେଳେ ଚାନ୍ଦିନୀର ମୃତ୍ୟୁ ନେଇ ତାର ଭାଇ ବଣ୍ଟି ବାଲ୍ମୀକ ଥାନାରେ ସ୍ୱାମୀ ଅନୀଲ ଚାଣ୍ଡେଲିଆ, ଭାଇ ସରୋଜ ଚାଣ୍ଡେଲିଆ ଓ ସନ୍ଦୀପ ଚାଣ୍ଡେଲିଆ ଏବଂ ଭାଉଜ ସ୍ୱିଟି ଚାଣ୍ଡେଲିଆ ନାମରେ ଲିଖିତ ଅଭିଯୋଗ ଦାୟର କରିଥିବା ଜଣାଯାଇଛି ।ସ୍ଥାନୀୟ ଲୋକ ଙ୍କ କହିବା ଅନୁଯାୟୀ ଚାନ୍ଦିନୀ ଙ୍କୁ ଅତ୍ୟନ୍ତ ଦୟନୀୟ ଭାବେ ମାଡ଼ ମରାଯାଇ ହତ୍ୟା କରାଯିବା ପରେ ଆତ୍ମହତ୍ୟା ର ରୂପ ଦେବାକୁ ପ୍ରୟାସ କରାଯାଇଛି
ଘଟଣାର ତଦନ୍ତକାରୀ ଅଧିକାରୀ ଉପ ଆରକ୍ଷୀ ନିରୀକ୍ଷକ ସୁଧାଂଶୁ ଶେଖର ସେଠୀ ତଦନ୍ତ ଜାରି ରଖିଥିବା ପ୍ରକାଶ ।