ଘର ସଜଡ଼ାରେ ବ୍ୟସ୍ତ ସବୁ ଦଳର ନେତା, ପାଳିବେନି ନୂଆବର୍ଷ

ଭୁବନେଶ୍ୱର : ବିଗତ ବର୍ଷ ତୁଳନାରେ ଚଳିତ ବର୍ଷ ବିଭିନ୍ନ ଦଳର ରାଜନେତାମାନଙ୍କର ଦାୟିତ୍ବ ଟିକେ ଅଧିକ ବଢିଯାଇଛି। ଆଗକୁ ପୌର ନିର୍ବାଚନ ଥିବାରୁ ଏବେଠୁ ସବୁଦଳ କସରତ୍ ଆରମ୍ଭ କରିଦେଇଛନ୍ତି। ପୁଣି ନିଜ ନିଜ ଦଳର ଦଳୀୟ କାର୍ଯ୍ୟକ୍ରମ ପାଇଁ ନେତାମାନେ ନିଶ୍ବାସ ଛାଡ଼ିବାକୁ ସମୟ ପାଉନାହାନ୍ତି। ଶାସକ ଦଳ ବାଲାଏ ଲୋକଙ୍କ ନିକଟତର ହୋଇ ଦଳୀୟ ସଂଗଠନକୁ ଆହୁରି ମଜଭୁତ କରିବା ଲାଗି ପ୍ରୟାସ ଜାରି ରଖିଥିବାବେଳେ ବିରୋଧୀ ବାଲାଏ ଶାସକ ଦଳ ବାଲାଙ୍କୁ କୌଣସି ପ୍ରକାରେ ଦୁର୍ବଳ କରିବା ଲାଗି ବିଭିନ୍ନ କାର୍ଯ୍ୟକ୍ରମରେ ବ୍ୟସ୍ତ ରହୁଥିବା ଦେଖୁଥିବା ମିଳୁଛି। ତେଣୁ ନୂଆବର୍ଷ ପାଳନ ବିଭିନ୍ନ ରାଜନେତାଙ୍କ କ୍ଷେତ୍ରରେ ଫିକା ଫିକା ପରିଲକ୍ଷିତ ହେଉଛି । ବିଶେଷକରି ବିଜେଡି, ବିଜେପି ଓ କଂଗ୍ରେସ ନେତାମାନେ ନୂଆବର୍ଷ ପାଳନ ପାଇଁ ସୁଯୋଗ ପାଇପାରୁ ନଥିବା ଦେଖିବାକୁ ମିଳିଛି । ଶାସକଦଳର ମନ୍ତ୍ରୀ ଓ ଛାମୁଆ ବିଧାୟକମାନେ ନୂଆବର୍ଷ ସମୟରେ ରାଜ୍ୟ ବାହାରେ ମଉଜ ମସ୍ତିକୁ ଏକ ପ୍ରକାର ଭୁଲି ଯାଇଥିବାବେଳେ ରାଜଧାନୀର ବିଭିନ୍ନ ହୋଟେଲକୁ ଯିବାପାଇଁ ନିରାପଦ ମଣୁନାହାନ୍ତି । ଏଣେ ବିଜେପି ନେତାମାନେ ମଧ୍ୟ ଦଳୀୟ କାର୍ଯ୍ୟକ୍ରମରେ ପୂରା ବ୍ୟସ୍ତ । ଶାସକ ବିଜୁ ଜନତା ଦଳ ନୂଆବର୍ଷର ୫ଦିନ ପୂର୍ବରୁ ଅର୍ଥାତ୍‍ ୨୬ତାରିଖରେ ଦଳର ପ୍ରତିଷ୍ଠା ଦିବସକୁ ରାଜଧାନୀରୁ ଆରମ୍ଭ କରି ନିର୍ବାଚନମଣ୍ଡଳୀ ପର୍ଯ୍ୟନ୍ତ ସବୁଆଡେ ପାଳନ କରିଛି । ଏଥିପାଇଁ ସାଂସଦ, ମନ୍ତ୍ରୀ , ବିଧାୟକମାନେ ବେଶ୍‍ ଚଳଚଞ୍ଚଳ ଥିଲେ । କେଉଁଠି କିଭଳି ଉତ୍ସବ ଆୟୋଜନ ହେବ ତାହାର ତଦାରଖ ନିଜେ ସବୁ କରୁଥିଲେ । ଏହାବାଦ୍‍ ମନ୍ତ୍ରୀ ଓ ଦାୟିତ୍ୱରେ ଥିବା କର୍ମୀମାନେ ବିଭିନ୍ନ ଜିଲ୍ଲାକୁ ବି ଘନ ଘନ ଗସ୍ତ କରିବାରେ ଲାଗିଛନ୍ତି । ତେଣୁ ନୂଆବର୍ଷରେ ରାଜ୍ୟ ବାହାରକୁ ତ ଦୂରର କଥା ରାଜ୍ୟ ଭିତରେ ଏମାନେ ଫୂର୍ତ୍ତି କରିବାକୁ ବି ସମୟ ପାଉନାହାନ୍ତି । ଅନୁରୂପ ଅବସ୍ଥା ବିଜେପି ନେତାଙ୍କର । ଚଳିତ ମାସ ଶେଷସୁଦ୍ଧା ରାଜ୍ୟ ବିଜେପିର ନୂଆ ସଭାପତି ନିର୍ବାଚନ ହେବ । ତେଣୁ ଏଥିପାଇଁ ଜିଲ୍ଲାରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ସମସ୍ତେ କସରତ କରୁଛନ୍ତି । ନିଜ ନିଜ ନେତାଙ୍କ ପାଇଁ ଲବି ଚଳାଇଛନ୍ତି । ତେଣେ ନାଗରିକ ସଂଶୋଧନ ବିଲ୍‍ (ସିଏଏ) କୁ ନେଇ କେନ୍ଦ୍ର ସରକାର ଅଠକାଠିରେ ପଡିଥିବାରୁ ଏ ସଂକ୍ରାନ୍ତରେ ଲୋକଙ୍କୁ ବୁଝାଇବାପାଇଁ ଜାନୁଆରୀ ମାସ ସାରା ବିଜେପି ରାଜ୍ୟରେ ତାହାର କାର୍ଯ୍ୟକ୍ରମ ରଖିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ