ଘର ସମୁଖରେ ଟ୍ୟାପ୍ : ଲୋକଙ୍କୁ ମିଳୁନି ପାଣି : ଚୁଆ ପାଣିରେ ମେଣ୍ଟୁଛି ଶୋଷ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ସହର ଅବା ଗ୍ରାମାଞ୍ଚଳ ହେଉ ଦୂର୍ଗମ ଅଞ୍ଚଳ ସବୁଠି ବିକାଶ ପହଞ୍ଚାଇବା ଉଦ୍ଦେଶ୍ୟ ରେ ସରକାର ବିଭିନ୍ନ ଯୋଜନା ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଠିକ୍ ସେହିଭଳି ପାନୀୟ ଜଳ ସମସ୍ୟା ର ସମାଧାନ ପାଇଁ ରାଜ୍ୟ ସରକାର ବସୁଧା ଯୋଜନା ମାଧ୍ୟମରେ ପାଣି ଭଳି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ବିଭାଗୀୟ ଅଧିକାରୀ ମାନଙ୍କ ଉଦାସୀନତା ଓ ଲାଭଖୋର ମନବୃତ୍ତି, ସହ ଠିକାଦାର ଏବଂ ଯନ୍ତ୍ରୀଙ୍କ ମଧ୍ୟରେ ମଧୂଚନ୍ଦ୍ରିକା ଯୋଗୁଁ ଦୁର୍ଗମ ଉପାନ୍ତ ଅଞ୍ଚଳରେ ପହଞ୍ଚି ପାରୁନି ଯୋଜନା। ଦୁର୍ଗମ ଉପାନ୍ତ ଅଞ୍ଚଳରେ ସଠିକ ଭାବେ ଉପକାର ପାଇପାରୁ ନାହାନ୍ତି। ଘର ସମୁଖରେ ବସୁଧା ଯୋଜନାରେ ଟ୍ୟାପ୍ ପୋତାଯିବା ସହ ଗାଁରେ ପାଇପ୍ ବିଛାଯାଇଛି ହେଲେ ଲୋକଙ୍କ ଶୋଷ ମେଣ୍ଟାଉଛି ଚୁଆ ପାଣି। ଏହି ପାଣି ପିଇ ନାନା ରୋଗରେ ଆକ୍ରାନ୍ତ ହେଉଥିବା ହେଉଛନ୍ତି। ଅଭିଯୋଗ କରୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଅନ୍ତର୍ଗତ ଦୁର୍ଗମ ଉପାନ୍ତ ଅଞ୍ଚଳ ପୁଟୁରୁପଡ଼ା ଗ୍ରାମରୁ ଏଭଳି ଅଭିଯୋଗ ଆସିଛି। ସୂଚନା ଅନୁଯାୟୀ ଏଠାରେ ପ୍ରାୟ ଶତାଧିକ ପରିବାରରେ ୫୦୦ରୁ ଉର୍ଦ୍ଧ ଲୋକେ ବସବାସ କରନ୍ତି। ଏହି ଗ୍ରାମରେ ବର୍ଷ ବର୍ଷ ଧରି ଲାଗି ରହୁଛି ଉତ୍କଟ ପାନୀୟ ଜଳ ସମସ୍ୟା। ଏଠାରେ ୩ଟି ନଳକୂପ ଅଛି କିନ୍ତୁ ୨ଟି ଅଚଳ ଅବସ୍ଥାରେ ପଡି଼ ରହିଥିବା ବେଳେ କେବଳ ଗୋଟିଏ ମାତ୍ର କାମ ଦେଉଛି। ହେଲେ ତାହା ସମଗ୍ର ଗ୍ରାମବାସୀ ଙ୍କ ଶୋଷ ମେଣ୍ଟାଇବା ରେ ଅକ୍ଷମ । ବିଳମ୍ବରେ ପାଣି ବାହାରୁଥିବା ବେଳେ ତାହା ବି ଗୋଳିଆ । ସରକାରଙ୍କ ଦ୍ଵାରା ବସୁଧା ଯୋଜନା ମାଧ୍ୟମରେ ଲକ୍ଷାଧିକ ଟଙ୍କା ବ୍ୟୟ ରେ ପାଣି ଟାଙ୍କି ବି ନିର୍ମାଣ ଚାଲି ଅଧାରୁ ଅଟକି ରହିଛି। କୌଣସି ସୂଚନା ଫଳକ ନଥିବାରୁ ତାହା କେବେ ଆରମ୍ଭ ହୋଇ ଶେଷ କେବେ ଏବଂ ଆଉ କେତେ ବ୍ୟୟ ଅଟକଳରେ ହେଉଛି ତାହାବି ସମସ୍ତଙ୍କୁ ଅଗୋଚର । ଗ୍ରାମର ଘର ସମୁଖରେ ପାଇପ୍ ପୋତା ଯାଇ ପ୍ରତ୍ୟେକ ଘର ସମୁଖରେ ଷ୍ଟାଣ୍ଡ ପୋଷ୍ଟ ପୋତାଯାଇଛି। ନିମ୍ନ ମାନର କାର୍ଯ୍ୟ ହୋଇଥିବାରୁ ଷ୍ଟାଣ୍ଡ ପୋଷ୍ଟ ଗୁଡି଼କ ଅନେକ ସ୍ଥାନରେ ଭାଙ୍ଗି ରୁଜି ଗଲାଣି। ଠିକାଦାର ଏବଂ ବିଭାଗୀୟ ଅଧିକାରୀଙ୍କ ଅବହେଳା ଏବଂ ଉଭୟଙ୍କ ମଧୁଚନ୍ଦ୍ରିକା ଯୋଗୁ ଦୀର୍ଘ ସମୟ ହେବ କାର୍ଯ୍ୟ ବନ୍ଦ ହୋଇ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟ କାରି ହେବାର ନା ଧରୁନି। ଗ୍ରାମର ମହିଳା ମାନେ ଏକତ୍ରିତ ହୋଇ ଝରଣା ପାଣି ଆଣିବା ପାଇଁ ଗାଁ ଠାରୁ ଗୋଟିଏ କିମି ଦୂର ଖାଲଢିପ, ବିଲମାଳ ଦେଇ ଯାଆନ୍ତି । ସେଠାରେ ସମସ୍ତେ ବାସନ କୁସନ ମାଜିବା ଠାରୁ ଆରମ୍ଭକରି ସ୍ନାନ ଶୌଚ କରୁଥିବା ବେଳେ ସେହି ଘାଟର ପାଣି ପିଅନ୍ତି ଉଭୟ ମଣିଷ ଓ ଗୋରୁଗାଈ । ସେହି ଦୂଷିତ ପାଣି ପିଇ ଲୋକେ ନାନା ରୋଗରେ ଆକ୍ରାନ୍ତ ହେଉଥିଲେ ମଧ୍ୟ କାର୍ଯ୍ୟ କୁ ଯଥାଶୀଘ୍ର ସମାପ୍ତ କରି ପାନୀୟ ଜଳଯୋଗାଣକୁ ତ୍ୱରାନ୍ୱିତ କରିବା ପାଇଁ କେହି ଇଛା ପ୍ରକାଶ କରୁନଥିବା ଅଭିଯୋଗ ହେଉଛି । ଏନେଇ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିବା ଅଭିଯୋଗ କରିଛନ୍ତି ଗ୍ରାମବସୀ। ଏଭଳି ସମସ୍ୟା ନେଇ ପାନୀୟ ଜଳ ବିଭାଗ ଯନ୍ତ୍ରୀ ପ୍ରଭାକର ମୁନିଙ୍କୁ ପଚାରିବାରୁ କରୋନା ସକାଶେ କାର୍ଯ୍ୟ କରିବାକୁ ମୂଲିଆ ଆସୁ ନଥିବାରୁ କାର୍ଯ୍ୟ ବନ୍ଦ ହୋଇଥିଲା ବର୍ତ୍ତମାନ ଯଥା ଶୀଘ୍ର କାର୍ଯ୍ୟ କରି ପାଣି ସମସ୍ୟାର ସମାଧାନ କରାଯିବ ବୋଲି ପ୍ରକାଶ କରିଛନ୍ତି ।