ଘଷିପୁରା ତହସିଲ ଦାରଙ୍କ ବ୍ୟବହାର ରେ ଅତିଷ୍ଠ କର୍ମଚାରୀ
ହାଟଡିହି, (ବିକାଶ ବିଶ୍ୱାଳ):ଘଷିପୁରା ତହସିଲଦାରଙ୍କ ଦୁର୍ବ୍ୟବହାର ଏବେ ଚରମସୀମାରେ। ଅଧସ୍ଥନ କର୍ମଚାରୀଙ୍କୁ ଦୁର୍ବ୍ୟବହାର ସହ ବିଭିନ୍ନ ସମୟରେ ମାନସିକ ନିର୍ଯ୍ୟାତନା ଭଳି ଅଭିଯୋଗ ପୂର୍ବରୁ ରହିଥିଲା। ତେବେ ଗତକାଲି ତହସିଲଦାରଙ୍କ ଦୁର୍ବ୍ୟବହାର ସବୁ ସୀମା ଟପି ଯାଇଛି। ଜଣେ ମହିଳା ରାଜସ୍ବ ନିରୀକ୍ଷକଙ୍କୁ ବିଳମ୍ବିତ ସନ୍ଧ୍ୟାରେ ରେକର୍ଡ ପତ୍ର ଧରି ତହସିଲ କାର୍ଯ୍ୟାଳୟକୁ ଆସିବାକୁ କହିବାରୁ ରାଜସ୍ବ ନିରୀକ୍ଷକ ଜଣକ ସାମାନ୍ୟ ଅମଙ୍ଗ ହୋଇଥିଲେ ଏଥିରେ ଉତକ୍ଷିପ୍ତ ହୋଇ ତହସିଲଦାର ଚଢା ଗଳାରେ ମହିଳା ରାଜସ୍ବ ନିରୀକ୍ଷକଙ୍କୁ ଫୋନ୍ ଯୋଗେ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହିତ ଚାକିରୀ ନେଇଯିବାର ଧମକ ଦେଇଥିବା ଅଭିଯୋଗ ହୋଇଛି। ଫଳରେ ରୋଷେଇ କରୁଥିବା ଅବସ୍ଥାରେ ଫୋନ୍ ଯୋଗେ ତହସିଲଦାର ଙ୍କ ଠାରୁ ଏଭଳି ବ୍ୟବହାର ପାଇ ମହିଳା ରାଜସ୍ବ ନିରୀକ୍ଷକ ଜଣକ ଚେତାଶୂନ୍ୟ ହୋଇ ଯାଇଛନ୍ତି। ପରିବାର ଲୋକେ ତାଙ୍କୁ ଆଣି ଆନନ୍ଦପୁର ଡାକ୍ତରଖାନା ରେ ଭର୍ତ୍ତି କରିଛନ୍ତି। ତେବେ ଏହା ପ୍ରଥମ ଘଟଣା ନୁହଁ ପୀଡିତା ଙ୍କ ସହ ଦୀର୍ଘ ୪ ମାସ ହେବ ତହସିଲଦାର ଜଣକ ଏଭଳି ବ୍ୟବହାର କରୁଥିବା ଥାନାରେ ଅଭିଯୋଗ କରିଛନ୍ତି ପୀଡିତାଙ୍କ ସ୍ୱାମୀ। ଖବରପାଇ ସହକର୍ମୀ ଓ ପୂର୍ବତନ କର୍ମଚାରୀ ମାନେ ମେଡିକାଲରେ ରୁଣ୍ଡ ହୋଇଥିବା ବେଳେ ତହସିଲଦାରଙ୍କ ବିରୁଦ୍ଧରେ ସମାନ ମନ୍ତବ୍ୟ ଦେଇଛନ୍ତି। ତେବେ ଏହି ଘଟଣାରେ ଘସିପୁରା ତହସିଲଦାର ନୀଳକଣ୍ଠ ବେହେରା ଏହାକୁ ଅସ୍ବୀକାର କରିଛନ୍ତି। ଛୁଟି ନ ଦେବାରୁ ଏପରି ଅଭିଯୋଗ କରିଛନ୍ତି ବୋଲି କହିଛନ୍ତି। ଆନନ୍ଦପୁର ଉପଜିଲ୍ଲାପାଳ ପୀଡ଼ିତା ରାଜସ୍ବ ନୀରିକ୍ଷକ ଙ୍କୁ ଡାକ୍ତରଖାନାରେ ଭେଟି ଏହାର ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।