ଘାଟିରେ ଦୁର୍ଘଟଣା ଘଟଣାରେ ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ମୋହନା ଥାନା ଚନ୍ଦ୍ରଗିରି ଚିଟିଙ୍ଗ ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା ଘଟଣାରେ ଗତକାଲି ରାତିରେ ଅନ୍ୟ ଜଣଙ୍କ ମୃତ୍ୟୁ ଘଟିଥିବା ଯୋଗୁଁ ମୃତ୍ୟୁ ସଂଖ୍ୟା ୫ କୁ ବୃଦ୍ଧି ପାଇଛି. ଗୁରୁତର ଆହତ ହୋଇ ଏମକେସିଜି ମେଡ଼ିକାଲର ସେଣ୍ଟ୍ରାଲ ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ କେକେସିଂ ଗାଁର ଚିକିତ୍ସାଧୀନ ସୀତା ଭୂୟାଁଙ୍କ ମୃତ୍ୟୁ ଘଟିଛି। ଫଳରେ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ୫ରେ ପହଞ୍ଚିଛି। ସୀତାଙ୍କ ମୃତ୍ୟୁ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ପୂର୍ବରୁ କେକେସିଂ ଗାଁର ବାସନ୍ତି ଭୂୟାଁ, ରାଧା କୁଡୁମ୍ବା, ଚନ୍ଦ୍ରମା ଭୂୟାଁ ଓ ହରିବନ୍ଧୁ ଗମାଙ୍ଗଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟପକ୍ଷରେ ଏହି ଦୁର୍ଘଟଣାରେ ଆହତ ହୋଇଥିବା ୧୪ଜଣଙ୍କ ଚିକିତ୍ସା ଜାରି ରହିଛି । ସେଥ୍ ମଧ୍ୟରୁ ତରଳସିଂଗ୍ରାମର ରାମ ଚନ୍ଦ୍ର ପ୍ରଧାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ତାଙ୍କର ସେଣ୍ଟ୍ରାଲ ଆଇସିୟୁ-୧ରେ ଚିକିତ୍ସା ଜାରି ରହିଛି। ଅନ୍ୟମାନଙ୍କ ମଧ୍ୟରୁ ୨ଜଣ ମେଡ଼ିକାଲର ଅସ୍ଥିଶଲ୍ୟ ବିଭାଗରେ ଚିକିତ୍ସିତ ହେଉଥିବା ବେଳେ ଅବଶିଷ୍ଟ ସର୍ଜରୀ ବିଭାଗରେ ଚିକିତ୍ସାଧୀନ ରହିଛନ୍ତି । ଖବରପାଇ ବୁଧବାର ରାତିରେ ପରିବହନ ମନ୍ତ୍ରୀ ବିଭୂତି ଜେନା ଏମକେସିଜି ମେଡିକାଲର କାଜୁଆଲିଟିରେ ପହଞ୍ଚି ଦୁର୍ଘଟଣାରେ ଆହତ ହୋଇ ଏମକେସିଳିରେ ଭର୍ତ୍ତି ହୋଇଥିବା ଗୁରୁତରଙ୍କୁ ସାକ୍ଷାତ କରିବା ଗୁରୁତର ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ସହ ଆଲୋଚନା କରିଥିଲେ. ପରେ ଚିକିତ୍ସା ସେବା ତ୍ବରାନ୍ବିତ କରିବାକୁ ଡାକ୍ତରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସୂଚନାଯୋଗ୍ୟ ଯେ, ବୁଧବାର ଏକ ପିକଅପ ଭ୍ୟାନ (ଓଡି୦୫ ଏ-୯୬୭୬)ରେ ୩୬ ଜଣ ରାମଗିରି ଥାନା ଅନ୍ତର୍ଗତ କେକେସିଂ ଗାଁରୁ ମୋହନା ଥାନା ଘାଇବାଲି ଗାଁକୁ ଏକ ଶୁଦ୍ଧିକ୍ରିୟା ଭୋଜିରେ ଯୋଗଦେବାକୁ ଯାଉଥିବା ବେଳେ ପୂର୍ବାହ୍ନରେ ଚନ୍ଦ୍ରଗିରି ନିକଟସ୍ଥ ଚିଟିଙ୍ଗ ଘାଟିରେ ଭ୍ୟାନଟି ଭାରସାମ୍ୟ ହରାଇ ଓଲଟି ପଢିଥିଲା । ଏହି ଘଟଣାରେ ପ୍ରାୟ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ | ଦୃଘଟଣା ପରେ ଭ୍ୟାନର ଡ୍ରାଇଭର ଫେରାର ଅଛି.