ଘାଟି ରାସ୍ତା ସାଜିଛି ମରଣଯନ୍ତା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଘାଟି ରାସ୍ତା ପାଲଟିଛି ମରଣଯନ୍ତା। ରାସ୍ତା ନ ହେଲେ ଭୋଟ ବର୍ଜନ କରିବେ ବୋଲି ୫ ଖଣ୍ଡ ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ମୋହନା ବ୍ଲକର ଦୁର୍ଗମ ମଳାସପଦରୁ ପଞ୍ଚାୟତ କାମଳିଙ୍ଗ ଗାଁ ଠାରୁ ଡିମିରିପକାଳ ଗାଁ ପର୍ଯ୍ୟନ୍ତ ୬ କିମି ରାସ୍ତା ଏବେ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହି ରାସ୍ତା ଉପରେ ଜାମଳିଙ୍ଗ, ମୁଣ୍ଡସାହି, ରାଜୀମେରା, ବାଲିପଙ୍କ ଓ ଡିମିରିପକାଳ ଗାଁ ନିର୍ଭରଶୀଳ । ସେହିପରି ସ୍କୁଲ, କଲେଜ ପଞ୍ଚାୟତ, ମେଡିକାଲ୍ ଓ ହାଟ ବଜାର ପାଇଁ ଗ୍ରାମବାସୀଙ୍କୁ ଏହି ପଥୁରିଆ ଘାଟି ରାସ୍ତା ଉପରେ ନିର୍ଭର କରିବାକୁ ପଡୁଛି। ଗାଁକୁଆମ୍ବୁଲାନ୍ସ ଆସୁ ନ ଥିବାରୁ ରୋଗୀଙ୍କୁ ବୋହି ନେବାକୁ ପଡୁଛି। ଆଉ କେତେବେଳେ ରୋଗୀକୁ ଅଟୋରେ ବସାଇ ଘାଟିରେ ଠେଲି ଠେଲି ପାର କରିବାକୁ ପଡୁଛି। ବୃଦ୍ଧା, ବୃଦ୍ଧ ପଞ୍ଚାୟତ କାର୍ଯ୍ୟାଳୟକୁ ଉଚ୍ଚା ପାଇଁ ଏହି ଘାଟିରେ ଯିବାକୁ ନାହିଁ ନ ଥିବା ହଇରାଣ ହେଉଛନ୍ତି । ଏହି ୬ କିମି ରାସ୍ତାକୁ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଅନ୍ତର୍ଭୁକ୍ତ କରି ରାସ୍ତା ନିର୍ମାଣ କରିବାକୁ ଗ୍ରାମବାସୀ ବାରମ୍ବାର ଗୁହାରି କରି ଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି। ସାଧାରଣ ନିର୍ବାଚନ ପୂର୍ବରୁ ଯଦି ରାସ୍ତା ନିର୍ମାଣ ନ ହୁଏ, ତେବେ ୫ ଖଣ୍ଡ ଗ୍ରାମବାସୀ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି।


