ଘୁଞ୍ଚିଲା ଟୋକିଓ ଅଲିମ୍ପିକ୍ସ
ଟୋକିଓ: କୋରୋନା ଭୂତାଣୁର ବର୍ଦ୍ଧିତ ପ୍ରଭାବ କାରଣରୁ ପାଖାପାଖି ମାସେ ଧରି ଆସନ୍ତା ଜୁଲାଇ-ଅଗଷ୍ଟରେ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସ ଆୟୋଜକ ଏହି ପ୍ରତିଯୋଗିତାକୁ ନିର୍ଦ୍ଧାରିତ ସମୟରେ କରିବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଆସୁଥିଲେ। କିନ୍ତୁ ମଙ୍ଗଳବାର ସେମାନେ କୋରୋନାର ବ୍ୟାପକ ପ୍ରଭାବ ପରିପ୍ରେକ୍ଷୀରେ ଏହି ମହାକୁମ୍ଭକୁ ବର୍ଷେ ପାଇଁ ଘୁଞ୍ଚାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ଓ ଜାପାନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେ ଏବଂ ସ୍ଥାନୀୟ ଆୟୋଜକମାନେ ଏଥିରେ ସହମତ ହୋଇଛନ୍ତି। ଆସନ୍ତା ବର୍ଷ ଏହି ପ୍ରତିଯୋଗିତା ଆୟୋଜିତ ହେଲେ ଅନେକ ଅନ୍ତର୍ଜାତୀୟ ପ୍ରତିଯୋଗିତା ପ୍ରଭାବିତ ହେବାର ଆଶଙ୍କା ରହିଛି। କିନ୍ତୁ ଚଳିତ ବର୍ଷ ଏହା ଆୟୋଜିତ ନ ହେବା ସପକ୍ଷରେ ନିଷ୍ପତ୍ତି ହେବାରୁ ବିଶ୍ବର ବିଭିନ୍ନ ଦେଶର ଆଥଲେଟ୍ମାନେ ବେଶ୍ ଆଶ୍ବସ୍ତ ହୋଇଛନ୍ତି। ଏନେଇ ଆଇଓସି ପକ୍ଷରୁ ଜାରି ଏକ ବିବୃତ୍ତିରେ ଏହି ପ୍ରତିଯୋଗିତା ଆସନ୍ତା ବର୍ଷ ଗ୍ରୀଷ୍ମୠତୁରେ ହିଁ ହେବ ବୋଲି କୁହାଯିବା ସହ ଏହି ପ୍ରତିଯୋଗିତାର ନାମ ୨୦୨୦ ଟୋକିଓ ଅଲିମ୍ପିକ୍ସ ରହିବ ବୋଲି କୁହାଯାଇଛି।
ସେହିପରି ଜାପାନ ପ୍ରଧାନମନ୍ତ୍ରୀ ଆବେ ଟୋକିଓ ଅଲିମ୍ପିକ୍ସ ବାତିଲ୍ ନେଇ ଦେଇଥିବା ପ୍ରସ୍ତାବ ସହ ଆଇଓସି ସଭାପତି ଥୋମାସ୍ ବାକ୍ ଶତ ପ୍ରତିଶତ ସହମତ ହୋଇଥିବା କହିଛନ୍ତି। ପୂର୍ବରୁ ବାକ୍ ଅଲିମ୍ପିକ୍ସ ଆୟୋଜନ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ଅତି କମ୍ରେ ୪ ସପ୍ତାହ ସମୟ ଲାଗିବ ବୋଲି କହିଥିଲେ। କିନ୍ତୁ ସମଗ୍ର ବିଶ୍ବରେ ଘାତକ କୋରୋନା ୧୬ ହଜାରରୁ ଅଧିକ ଲୋକଙ୍କ ଜୀବନ ନେଇସାରିଥିବା ବେଳେ ସାଢ଼େ ୩ ଲକ୍ଷ ଲୋକ ଆକ୍ରାନ୍ତ ହୋଇସାରିଥିବାରୁ ଏହାକୁ ଦୃଷ୍ଟିରେ ରଖି ପ୍ରତିଯୋଗୀଙ୍କ ସ୍ବାସ୍ଥ୍ୟଗତ ନିରାପଦ ଲକ୍ଷ୍ୟ ନେଇ ଏହି ପ୍ରତିଯୋଗିତାକୁ ବାତିଲ୍ କରିଥିବା ବାକ୍ କହିଛନ୍ତି। ସୂଚନାଯୋଗ୍ୟ ଯେ ଏହି ପ୍ରତିଯୋଗିତା ଚଳିତ ବର୍ଷ କୋରୋନା ଭୂତାଣୁର ବ୍ୟାପକତା ସତ୍ତ୍ବେ ଜାରି ରହିଲେ, ପ୍ରଥମେ କାନାଡା ଓ ପରେ ଅଷ୍ଟ୍ରେଲିଆ ଏଥିରୁ ଓହରିଯିବାକୁ ଚେତାବନୀ ଦେଇଥିଲେ।