ଘୁମୁସର ଜିଲ୍ଲା ଆନ୍ଦୋଳନ ପାଇଁ ବୈଠକ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ସ୍ଥାନୀୟ କୋର୍ଟ ପରିସର ମଧ୍ୟରେ ଉତ୍କଳ ସାମ୍ବାଦିକ ସଂଘର ଆହ୍ୱାନ କ୍ରମେ ଏକ ବୈଠକ ସଂଘର ସଭାପତି ପ୍ରଦୀପ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ରାଜନୈତିକ ଦଳ ଏବଂ ଭଞ୍ଜନଗର ବ୍ଲକର ବିଭିନ୍ନ ଅନୁଷ୍ଠାନମାନେ ଯୋଗଦାନ କରିଥିଲେ । ଅତିଥିଭାବେ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଦ୍ୟୁମ୍ନ ନାୟକ, ଘୁମୁସର ଜିଲ୍ଲା ଉପସଭାପତି ଅଯୋଧ୍ୟାନାଥ ମହାପାତ୍ର, କଂଗ୍ରେସ ପିସିସି ସଭ୍ୟ ଦେବୀ ପ୍ରସାଦ ବିଷୋୟୀ, ପ୍ରଶାନ୍ତ ବିଷୋୟୀ, ବରିଷ୍ଠ ନାଗରିକ ମଂଚର ସଦସ୍ୟ ଶିବରାମ ପଣ୍ଡା, ଓକିଲ ସଂଘ ସଭାପତି ସନ୍ତୋଷ କୁମାର ନାୟକ, ବରିଷ୍ଠ ଓକିଲ ରବୀନ୍ଦ୍ରନାଥ ଦାଶ, ଅଖିଳ ଭାରତୀୟ କ୍ଷେତ ମଜୁଦୁରି ସଂଘର କମ୍ରେଡ଼ ଶଙ୍କର ଉପସ୍ଥିତ ରହି ଭଞ୍ଜନଗର ବନ୍ଦ ଏବଂ ସମୁହ ଭୋଟ ବର୍ଜନ ପାଇଁ ଆବଶ୍ୟକ ବୋଲି ମତ ପ୍ରକାଶକରିଥିଲେ । ଏ ବିଷୟ ନେଇ ଘୁମୁସରବାସୀ ଅନେକ ଥର ଦାବି ପତ୍ର ଦେଇ ସୁଧା ସରକାର ଶୁଣିଲେ ନାହିଁ । ତେଣୁ ଆଗାମୀ ତୃତୀୟ ସୋମବାର ୨୦ତାରିଖ ଦିନ ଘୁମୁସରବାସୀଙ୍କୁ ନେଇ ଏକ ବିରାଟ ପଦଯାତ୍ରା ସହିତ ଶେଷଥର ପାଇଁ ଜିଲ୍ଲାପାଳଙ୍କୁ ଦାବି ଦେବା ସହିତ ୨୭ତାରିଖ ଠାରୁ ଭଞ୍ଜନଗର ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ବିଭିନ୍ନ ଅତିଥି ମତ ପ୍ରକାଶ କରିଥିଲେ ଯେ ଆଗାମୀ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ ପାଇଁ ଲୋକମାନଙ୍କୁ ସଚେତନତା କରାଯିବା ଆବଶ୍ୟକ ରହିଛି । ଏହା ସହିତ ଘୁମୁସର ସଂଘର୍ଷ ସମିତିର ଖରାଂଶୁ ଶେଖର ଦାଶ, ବାଣିଜ୍ୟ ସଂଘର ସଭାପତି ମୃତ୍ୟୁଞ୍ଜୟ ସୁବୁଦ୍ଧି, ରୋଟାରୀ କ୍ଲବ ସମ୍ପାଦକ ଶ୍ରୀନିବାସ ସୁବୁଦ୍ଧି, ରାଧାକୃଷ୍ଣ ପାଠାଗାରର ଭଞ୍ଜ କିଶୋର ପ୍ରଧାନ, ଘୁମୁସର ଲେଖିକା ସଂଘର ସଦସ୍ୟ ସୁଜତା ସିଂ, ବିପଦର ବନ୍ଧୁ ଅନୁଷ୍ଠାନର ଅରକ୍ଷିତ ପରିଚ୍ଛା ନିଜ ନିଜର ମତ ପ୍ରକାଶ କରିଥିଲେ । ଏଥିରେ ଉତ୍କଳ ସାମ୍ବାଦିକ ସଂଘର ଉପସଭାପତି ଅମରେନ୍ଦ୍ର ପଟ୍ଟନାୟକ, କୋଷାଧ୍ୟକ୍ଷ ଗିରିଶ ଚନ୍ଦ୍ର ସାହୁ, ବ୍ଲକ ସଂଯୋଜକ ପୁରୁଷୋତ୍ତମ ମହାପାତ୍ର ସମେତ ସମସ୍ତ ସଦସ୍ୟ ସହଯୋଗ କରିଥିବାବେଳେ ଅତିଥିମାନଙ୍କୁ ଆହ୍ୱାନ କରିଥିଲେ ସଂଘର ସହସମ୍ପାଦକ ଚିନ୍ମୟ କୁମାର ବେବର୍ତ୍ତା ଏବଂ ଧନ୍ୟବାଦ ପ୍ରଦାନ କରିଥିଲେ ସମ୍ପାଦକ ନଚିକେତା ପ୍ରଧାନ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ