ଘୁମୁସର ଜିଲ୍ଲା ଆନ୍ଦୋଳନ ରେ ବିଭିନ୍ନ ସଂଘ ସାମିଲ

ଭଞ୍ଜନଗର, (ସନ୍ତୋଷ ଜେନା):୧୯୯୨ମସିହାରେ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଜନତା ଦଳ ସରକାର ସମୟରେ ୧୩ ରୁ ୩୦ଟି ଜିଲ୍ଲା ପୁନର୍ଗଠନ ହୋଇଥିଲା ବେଳେ ସେଥିରେ ୬ଟି ଜିଲ୍ଲାର ଜନସଂଖ୍ୟା ଆବଶ୍ୟକତା ଠାରୁ କମ ରହିଥିଲା।ହେଲେ ଭଞ୍ଜନଗର ଠାରେ ସମସ୍ତ ଭିତ୍ତିଭୂମି ଥାଇ ମଧ୍ୟ ଘୁମୁସର ଜିଲ୍ଲା ମାନ୍ୟତା ପାଇବାରୁ ବଞ୍ଚିତ ହୋଇଛି।ଗଞ୍ଜମ ଜିଲ୍ଲା ଏକ ବୃହତ୍ତମ ଜିଲ୍ଲା ହୋଇଥିବାରୁ ସୀମାନ୍ତ ଜିଲ୍ଲାର ଲୋକମାନେ ପ୍ରାୟ ୧୫୦କିଲୋମିଟର ଦୂରରେ ରହି ଜିଲ୍ଲା ସଦର ମହକୁମା ଉପରେ ନିର୍ଭର କରୁଛନ୍ତି।ବିଭିନ୍ନ ଆପଦ କାଳରେ ଜିଲ୍ଲା ପ୍ରଶାସନ ମଧ୍ୟ ଠିକ ସମୟରେ ଜନସାଧାରଣଙ୍କ ନିକଟରେ ପହଞ୍ଚି ପାରେ ନାହିଁ।ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳର ଭୌଗଳିକ ପରିସ୍ଥିତି ଓ ଜନସଂଖ୍ୟା ପ୍ରାୟ ୨୨ଲକ୍ଷରୁ ଉର୍ଦ୍ଧ୍ବ ଥିଲେ ମଧ୍ୟ ସରକାର ଏହାକୁ ଘୁମୁସର ଜିଲ୍ଲା ଘୋଷଣା କରିବାରେ ଆଗ୍ରହ ପ୍ରକାଶ କରୁନାହାନ୍ତି।ତେଣୁ ଆନ୍ଦୋଳନକୁ ଜୋରଦାର କରିବା ଉଦ୍ଦେଶ୍ୟରେ ଘୁମୁସର ବରିଷ୍ଠ ନାଗରିକ ମଞ୍ଚର ଆହ୍ୱାନ କ୍ରମେ ଭଞ୍ଜନଗର ବାର ଆସୋସିଏସନ ସହଯୋଗରେ ରବିବାର ଭଞ୍ଜନଗର ଏଡ଼ିଜେ କୋର୍ଟ ପାଠାଗାର ଠାରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା।ଏଥିରେ ଆବାହକ ତଥା ବରିଷ୍ଠ ଆଇନଜୀବୀ ସୋମନାଥ ନାୟକ ଏବଂ ଓକିଲ ସଂଘ ସଭାପତି ସନ୍ତୋଷ କୁମାର ନାୟକଙ୍କ ସଭାପତିତ୍ୱରେ ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳର ବିଭିନ୍ନ ସଂଘର କର୍ମକର୍ତ୍ତା ମାନେ ଉପସ୍ଥିତ ରହି ଘୁମୁସର ଜିଲ୍ଲା ଗଠନ ସପକ୍ଷରେ ବକ୍ତବ୍ୟ ପ୍ରଦାନ କରିଥିଲେ।ଏସଂକ୍ରାନ୍ତରେ ବିଭିନ୍ନ ସଙ୍ଗଠନର ସଦସ୍ୟଙ୍କୁ ନେଇ ଏକ କମିଟି ଗଠନ କରାଯାଇ ସ୍ଥାନୀୟ ବିଧାୟକ ତଥା ଜଙ୍ଗଲ, ପରିବେଶ, ଜଳବାୟୁ ପରିବର୍ତ୍ତନ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ସହ ଆଲୋଚନା କରି ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।ଏଥିରେ ରୋଟାରୀ କ୍ଲବର ପୂର୍ବତନ ସମ୍ପାଦକ ଶ୍ରୀରାମ ପ୍ରସାଦ ପାଳ, ଭଞ୍ଜନଗର ଉତ୍କଳ ସାମ୍ବାଦିକ ସଂଘର ସଭାପତି ଜୟକୃଷ୍ଣ ପଟ୍ଟନାୟକ,ବଣିକ ସଂଘ ସମ୍ପାଦକ ସୁଶାନ୍ତ ମହାପାତ୍ର,ଶ୍ରମିକ କର୍ମଚାରୀ ସମନ୍ୱୟ ସମିତିର ହରୀକୃଷ୍ଣ ସାହୁ,ଗୋବରା ବରିଷ୍ଠ ନାଗରିକ ମଞ୍ଚର ନିକୁଞ୍ଜ ବିହାରୀ ଖଣ୍ଡୁଆଳ,ବିଜେପି ବିଧାୟକ ପ୍ରାର୍ଥୀ ପ୍ରଦ୍ୟୁମ୍ନ ନାୟକ, ଦିବ୍ୟାଙ୍ଗ ସଂଘର ସନ୍ତୋଷ କୁମାର ପଣ୍ଡା, କବି ସମ୍ରାଟ ସାହିତ୍ୟ ସଂସଦର ସୁରେଶ ପଣ୍ଡା, ଅବସରପ୍ରାପ୍ତ ସେନା କର୍ମଚାରୀ କୃଷ୍ଣଚନ୍ଦ୍ର ପ୍ରଧାନ,ୟୁଜେଏର ଉପଦେଷ୍ଟା ରବୀନ୍ଦ୍ର କୁମାର ପାତ୍ର,ଅବସରପ୍ରାପ୍ତ କର୍ମଚାରୀ ସଂଘର ଡ଼ି. ଚେଲପତି ରାଓ,ପୂର୍ବତନ ବିଡ଼ିଓ ତପନ ପଟ୍ଟନାୟକ, ସମାଜସେବୀ ଗୋପାଳ ଲେଙ୍କା, ପ୍ରାକ୍ତନ ଅଧ୍ୟକ୍ଷ ଶିବରମ ପଣ୍ଡା, କାର୍ତ୍ତିକ ପ୍ରଧାନ, ବରିଷ୍ଠ ଆଇନଜୀବୀ ଏମ.ତାଜ ଆଦେନି,ବୈଦ୍ୟନାଥ ସାହୁ, ସନ୍ତୋଷ ତିଆଡ଼ି, ଗୋପାଳ ବିଷୋୟୀ,ପ୍ରମୋଦ ପ୍ରଧାନ, ରବି ଦାଶ, ବିନୟ ରଥ ଓ ଅନ୍ୟ ମାନେ ନିଜ ନିଜର ମତ ଦେଇଥିଲେ।ଶେଷରେ ଓକିଲ ସଂଘ ଉପସଭାପତି ରଜତ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ