ଘୁମୁସର ବରିଷ୍ଠ ନାଗରିକ ମଞ୍ଚର ମାସିକ ବୈଠକ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା):ବନ ବିଭାଗ ବଙ୍ଗଳାରେ ଘୁମୁସର ବରିଷ୍ଠ ନାଗରିକ ମଞ୍ଚର ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅସୁସ୍ଥତା ସତ୍ୱେ ସଂଘର ସଭାପତି ସୋମନାଥ ନାୟକ ବୈଠକରେ ଯୋଗ ଦେଇ ସଭାପତିତ୍ୱ କାର୍ଯ୍ୟ ସଂପାଦନ କରିଥିଲେ। ବୈଠକ ଆରମ୍ଭ ରେ ନିଜେ ସଭାପତି ଏକ ବିଭୁ ବନ୍ଦନା ଗାନ କରିଥିଲେ। ତାପରେ ସଂପାଦକ ଗତ ମାସରେ ବୁଗୁଡ଼ା ବୃଦ୍ଧଖୋଲ ଠାରେ ହୋଇଥିବା ବୈଠକର ବିବରଣୀ ପାଠ କରିଥିଲେ ଓ ସଭାପତି ତାହାକୁ ଗୃହୀତ କରିଥିଲେ। ଆଜିକାର ବୈଠକର ଆଲୋଚନା ଘୁମୁସର ଜିଲ୍ଲାଗଠନରୁ ଆରମ୍ଭ ହୋଇଥିଲା। ଭଞ୍ଜନଗର, ସୋରଡ଼ା ଓ ପୋଲସରା ନିର୍ବାଚନମଣ୍ଡଳୀର ବିଧାୟକ ମାନଙ୍କୁ ଏକାଠି କରି ସେମାନଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଆବେଦନ ପତ୍ର ପ୍ରଦାନ କରିବା ପାଇଁ ସ୍ଥିର କରାଗଲା। ବିଧାୟକଙ୍କୁ ଭେଟିବା ସକାଶେ ଏକ ୭ ଜଣିଆ କମିଟି ମଧ୍ୟ ଗଠନ କରାଗଲା। ଆଗାମୀ ୨୦୨୫ ନୂତନ ବର୍ଷର ପ୍ରଥମ ବୈଠକକୁ ବିଧାୟକ ମାନଙ୍କୁ ନିମନ୍ତ୍ରଣ କରି ସମ୍ବର୍ଦ୍ଧନା କରିବା ସକାଶେ ସ୍ଥିର କରାଗଲା। ଆଗାମୀ ଦିନରେ ଗଞ୍ଜାମ ଜିଲ୍ଲାର ସମସ୍ତ ବରିଷ୍ଠ ନାଗରୀକ ମଞ୍ଚର ସଭାପତି ଓ ସଂପାଦକଙ୍କୁ ନିମନ୍ତ୍ରଣ କରି ସମ୍ମାନିତ କରିବା ସକାଶେ ସ୍ଥିର କରାଗଲା। ବରିଷ୍ଠ ନାଗରୀକ ମାନଙ୍କ ସ୍ୱତନ୍ତ୍ର ତୀର୍ଥାଟନ ସକାଶେ ସରକାର ତରଫରୁ ଜାରି କରାଯାଇଥିବା ବିଜ୍ଞାପନକୁ ସଂପାଦକ ପାଠ କରି ବୈଠକରେ ଶୁଣାଇଥିଲେ। ଆଗାମୀ ବୈଠକର ନିଷ୍ପତି କମିଟି ତାରିଖ ଧାର୍ଯ୍ୟ କରିବେ ବୋଲି ସଭାପତି ଘୋଷଣା କରିଥିଲେ।ଶେଷରେ ବରିଷ୍ଠ ସଭ୍ୟ ରବୀନ୍ଦ୍ରନାଥ ଆଚାର୍ଯ୍ୟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଆଜିକାର ବୈଠକରେ ସର୍ବଶ୍ରୀ ମଧୁସୂଦନ ସ୍ୱାଇଁ, ଗୋବିନ୍ଦ ଚନ୍ଦ୍ର ଲେଙ୍କା, ବନମାଳୀ ଲେଙ୍କା, ସାର୍ବିସ ରାଓ ପାତ୍ର, ସନ୍ତୋଷ କୁମାର ମିଶ୍ର, ସୂର୍ଯ୍ୟନାରାୟଣ ପାତ୍ର, ରବୀନ୍ଦ୍ର ପାତ୍ର, ବାଳକୃଷ୍ଣ ପାଢ଼ୀ, ରଘୁନାଥ ସାହୁ, କେ. ବାବୁ ପାତ୍ରଙ୍କ ସମେତ ଆହୁରି ଅନେକ ସଭ୍ୟ ଉପସ୍ଥିତ ଥିଲେ।