ଘୁମୁସର ବରିଷ୍ଠ ନାଗରିକ ମଞ୍ଚର ବୈଠକ ଅନୁଷ୍ଠିତ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା ): ଘୁମୁସର ବରିଷ୍ଠ ନାଗରିକ
ମଞ୍ଚର ଫେବୃଆରୀ ମାସ ବୈଠକ ଆଜି ପୂର୍ବାହ୍ନ ରେ ସ୍ଥାନୀୟ ବନବିଭାଗ ବଙ୍ଗଳାରେ ଅନୁଷ୍ଠିତ ହୋଇଯାଇଛି | ଅନୁଷ୍ଠାନର ସଭାପତି ସୋମନାଥ ନାୟକ ଅଧ୍ୟକ୍ଷତା କରିଥିଲେ | ବୈଠକ ଆରମ୍ଭରେ ସଭ୍ୟ କେ ମୋହନାରାଓ ଙ୍କ ବିୟୋଗରେ ଦୁଇ ମିନଟ ନୀରବ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା| ସଭାପତି ଗୀତା ମାହାତ୍ମ୍ୟ ଉପରେ ପ୍ରଥମେ ଆଲୋଚନା କରିଥିଲେ, ସମ୍ପାଦକ ରବିନାରାୟଣ ସାମନ୍ତ ଗତ ସାଧାରଣ ଅଧିବେଶନ ର ବିବରଣୀ ପାଠ କରି ସର୍ବ ସମ୍ମତି କ୍ରମେ ଗୃହୀତ କରାଇ ନେଇଥିଲେ |ଘୁମୁସର ଜିଲ୍ଲା ଗଠନ ସମ୍ପର୍କ ରେ ଆଲୋଚନା ହୋଇ ଏହାକୁ ତ୍ୱରାନ୍ୱିତ କରିବାପାଇଁ ମାନ୍ୟବର ବିଧାୟକ ଙ୍କୁ ସାକ୍ଷାତ କରିବାକୁ ଠିକ ହୋଇଥିଲା| କାର୍ଯ୍ୟକାରୀ ସଭାପତି ସନ୍ତୋଷ ତିଆଡ଼ି ନୂତନ ଜିଲ୍ଲା ଗଠନ ସମ୍ପର୍କ ରେ ବର୍ତମାନ ସରକାରଙ୍କ ଅଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ | ପ୍ରସ୍ତାବିତ ବ୍ଲକ ଗୁଡ଼ିକ ଗଠନ ହେବା ପରେ ନୂତନ ଜିଲ୍ଲା ଗଠନ ପ୍ରକ୍ରିୟା ଆରମ୍ଭ ହେବାର ଯଥେଷ୍ଟ ସାମ୍ବାଭନା ରହିଛି ବୋଲି ସେ ମତ ବ୍ୟକ୍ତ କରିଥିଲେ | ତାକୁ ଆଧାର କରି ସଭାପତି କହିଥିଲେ ସୋରଡ଼ା ବଡ଼ଗଡ଼, ଜଗନ୍ନାଥ ପ୍ରସାଦର ତିନିଛକିଆ, ବୁଗୁଡ଼ା ବାଲିପଦର ବ୍ଲକ ପାଇଁ ସ୍ଥାନୀୟ ଜନସାଧାରଣ ଦାବୀ କରିବାକୁ ହେଵ | ଆମ ମଞ୍ଚ ସେମାନଙ୍କୁ ଏ ଦିଗରେ ଉତ୍ସାହିତ କରିବାକୁ ହେବ ବୋଲି ସେ ପ୍ରକାଶ କରିଥିଲେ | ମଞ୍ଚର ଏକ ଫୋଟୋ ସ୍ମରଣିକା ମାର୍ଚ୍ଚ ମାସ ଶେଷ ସୁଦ୍ଧା ପ୍ରକାଶ ପାଇବ, ଯେଉଁ ସଭ୍ୟମାନେ ରଙ୍ଗୀନ ପାସପୋର୍ଟ ଫୋଟୋ ସହିତ ନିଜ ବାୟୋଡ଼ାଟା ଦେଇନାହାନ୍ତି ଶୀଘ୍ର ସମ୍ପାଦକଙ୍କୁ ଦେଇଦେବାକୁ ନିଷ୍ପତି ହୋଇଛି | ସମ୍ପାଦକ ବାର୍ଷିକ ସଭାର ଆୟ ବ୍ୟୟ ହିସାବ ଦାଖଲ କରିଥିଲେ ତାହା ଗୃହୀତ ହୋଇଥିଲା| ବଳକା ପଇସା ୟୁକୋ ବ୍ୟାଙ୍କ ରେ ସଭାପତି କୋଷାଧକ୍ଷ ଓ ସମ୍ପାଦକ ଙ୍କ ନାମରେ ଗଛିତ ରହିବାକୁ ଠିକ ହେଲା, ବାଇଲ ରେଜିଷ୍ଟ୍ରସନ ପାଇଁ ଆବଶ୍ୟକ ଦଲିଲ ସଂଗ୍ରହ ପାଇଁ ସମ୍ପାଦକ ଙ୍କୁ ଦାୟିତ୍ୱ ଦିଆଗଲା| ଉପସ୍ଥିତ ସଭ୍ୟ ଙ୍କ ଫୋଟୋ ଥାଇ ଏକ ଫ୍ଲେକ୍ସ ତିଆରି କରିବାକୁ ମଧ୍ୟ ନିଷ୍ପତି ହେଲା ବରିଷ୍ଠ ନାଗରିକ ମାନେ ଥାନାକୁ ଗଲେ ଯେପରି ଉପଯୁକ୍ତ ସମ୍ମାନ ପାଇବେ ସେଥିପାଇଁ ଜିଲ୍ଲା ଏସ. ପି ଙ୍କ ଦୃଷ୍ଟି ଆକର୍ଷଣ କରି ଚିଠି ଲେଖା ଯିବ ବୋଲି ମଧ୍ୟ ନିର୍ଧାରଣ ହୋଇଛି | ବୈଠକ ଶେଷରେ ମଧୁସୂଦନ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ |