ଘୋଡାହାଡ଼ ଡ୍ୟାମ ରେ ନାନା ଅବ୍ୟବସ୍ଥା ମଧ୍ୟରେ ଚାଲିଛି କୁମ୍ଭୀର ଗଣନା ; ୧୦ ଟି ଟିମ୍ ରେ ୩୩ ବନ କର୍ମଚାରୀ ସାମିଲ
ଦିଗପହଣ୍ଡି,(ଓ୍ବାଇଏନ୍ଏସ୍): ଗଞ୍ଜାମ – ଗଜପତି ଜିଲା ସୀମାନ୍ତ ଘୋଡାହାଡ଼ ଡ଼୍ୟାମରେ ରବିବାର କୁମ୍ଭୀର ଗଣନା କରାଯାଇଛି । ଦିଗପହଣ୍ଡି ବନବିଭାଗ ପକ୍ଷରୁ ସକାଳ ୭ ଟା ରୁ ଅପରାହ୍ନ ୨ ଟା ଯାଏଁ ଡ଼୍ୟାମ ର ୧୦ ଟି ଇଲାକାରେ କରାଯାଇଥିଲା ଗଣନା କାର୍ଯ୍ୟ । ନାନା ଅବ୍ୟବସ୍ଥା ମଧ୍ୟରେ ସ୍ଵତନ୍ତ୍ର ତାଲିମ ପ୍ରାପ୍ତ ୩୩ ବନ କର୍ମଚାରୀ ୧୦ ଟି ଦଳ ରେ ବିଭକ୍ତ ହୋଇ ଅନିଛା ସତ୍ତ୍ୱେ ବିନା ସାଜ ସରଞ୍ଜାମ ରେ ଡ଼ଙ୍ଗା ସାହାଯ୍ୟରେ ଡ଼୍ୟାମ ଇଲାକାରେ କୁମ୍ଭୀର ଗଣନା କରି ଅପରାହ୍ନ ରେ ଫେରିଥିଲେ । ସୋମବାର ଗଣନା କାର୍ଯ୍ୟ ସରିବ ବୋଲି ଜଣାପଡ଼ିଛି । ଡ଼୍ୟାମ ଏବଂ ପାର୍ଶ୍ଵବର୍ତ୍ତୀ ପୋଖରୀ ମାନଙ୍କରେ ଗତବର୍ଷ ୬୫ ଟି କୁମ୍ଭୀର ଥିବା ବନ ବିଭାଗ ଗଣନା ପରେ ପ୍ରସ୍ତୁତ ରିପୋର୍ଟ ରୁ ଜଣାପଡ଼ିଛି ବୋଲି ଦିଗପହଣ୍ଡି ବନାଞ୍ଚଳ କାର୍ଯ୍ୟାଳୟ ର ଡେପୁଟି ରେଞ୍ଜର କାହ୍ନୁ ଚରଣ ପଟ୍ଟନାୟକ କହିଛନ୍ତି । କୁମ୍ଭୀର ଗଣନା କାର୍ଯ୍ୟ ରେ ଅବ୍ୟବସ୍ଥା ଅଭିଯୋଗ କୁ ଡେପୁଟି ରେଞ୍ଜର ଅସ୍ବୀକାର କରିଛନ୍ତି। ବ୍ରହ୍ମପୁର ବନଖଣ୍ଡ ଅଧିକାରୀ( ଡି ଏଫ୍ ଓ) ଅମ୍ଳାନ କୁମାର ନାୟକ,ସହକାରୀ ବନ ସଂରକ୍ଷକ ଅଶୋକ କୁମାର ବେହେରା, ବ୍ରହ୍ମପୁର ରେଞ୍ଜର ଦିଲ୍ଲୀପ କୁମାର ମାର୍ଥା, ସାଉଁଟିଆ ପଲ୍ଲୀ ରେଞ୍ଜର ରଜତ କୁମାର ମିଶ୍ର, ବନ୍ୟପ୍ରାଣୀ ବିଶେଷଜ୍ଞ ଡ.ଅନନ୍ତ ରାମ କର ଙ୍କ ସମେତ ବହୁ ବିଭାଗୀୟ କର୍ମଚାରୀ ଡ଼୍ୟାମ ରେ ଉପସ୍ଥିତ ରହି କୁମ୍ଭୀର ଗଣନା କାର୍ଯ୍ୟ ତଦାରଖ କରିଥିଲେ ।