ଘୋଡାହାଡ଼ ନଦୀ ଗଣ୍ଡ ରୁ ଜଣେ ମହିଳା ଓ ୨ ସାଙ୍ଗ ଉଦ୍ଧାର
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମ ନିକଟ ଘୋଡ଼ାହାଡ଼ ନଦୀ ଗଣ୍ଡ ରେ ଗାଧୋଉଥିବା ବେଳେ ଶୁକ୍ରବାର ସନ୍ଧ୍ୟା ରେ ଅସାବଧାନତା କାରଣରୁ ଦୁଇ ସାଙ୍ଗ ରିଙ୍କି ବେହେରା ଓ ପୂଜା ବେହେରା ନଦୀ ଗଣ୍ଡରେ ବୁଡି ଯାଇଥିଲେ। ନିକଟରେ ଥିବା ରିଙ୍କି ଙ୍କ ମାଆ ଗୀତା ବେହେରା ଉଭୟଙ୍କୁ ଉଦ୍ଧାର କରିବାକୁ ଯାଇ ଗଭୀର ପାଣି ରେ ନିଜେ ବୁଡି ଯାଇଥିଲେ। ଆଖ ପାଖ ରେ ଥିବା କିଛି ଗ୍ରାମବାସୀ ପାଣି ରେ ବୁଡି ଅଚେତ ହୋଇଯାଇଥିବା ୩ ଜଣଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ। ଖବରପାଇ ସରପଞ୍ଚ ମନୋରଞ୍ଜନ ଗୌଡ଼ ସ୍ୱାସ୍ଥ୍ୟକେନ୍ଦ୍ର ରେ ପହଞ୍ଚି ଚିକିତ୍ସା ବ୍ୟବସ୍ଥା ତଦାରଖ କରିଥିଲେ।ସେଠାରେ ପ୍ରାଥମିକ ଚିକିତ୍ସା କରିବା ପରେ ଗୀତା ଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଛି। ରିଙ୍କି ଏବଂ ପୂଜା ପ୍ରାଥମିକ ଚିକିତ୍ସା ପରେ ସୁସ୍ଥ ହେବାରୁ ଘରକୁ ଫେରିଛନ୍ତି।୩ ଜଣ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିବା ଜଣାପଡ଼ିଛି। ରିଙ୍କି ଏବଂ ପୂଜା ଦୁଇ ସାଙ୍ଗ। ଉଭୟେ ନଦୀ ଗଣ୍ଡ କୁ ଗାଧୋଇବାକୁ ଯାଇଥିଲେ। ଗାଧୋଉଥିବା ବେଳେ ପ୍ରଥମେ ରିଙ୍କି ଅସାବଧାନତା କାରଣରୁ ନଦୀ ଗଣ୍ଡ ର ଗଭୀର ଜଳ ମଧ୍ୟକୁ ଚାଲିଯାଇ ବୁଡି ଯାଇଥିଲେ।ପାଖରେ ଥିବା ପୂଜା ପ୍ରଥମେ ତାଙ୍କୁ ଉଦ୍ଧାର କରିବାକୁ ଯାଇ ସେ ମଧ୍ୟ ବୁଡି ଯାଇଥିଲେ।କିଛି ଦୂରରେ ଥିବା ରିଙ୍କି ଙ୍କ ମାଆ ଗୀତା ଉଭୟଙ୍କୁ ଉଦ୍ଧାର କରିବାକୁ ଯାଇ ନିଜେ ଗଭୀର ପାଣି ରେ ବୁଡି ଯାଇଥିଲେ ବୋଲି ଜଣାପଡିଛି।


