ଘୋଡାହାଡ ନଦୀ ଗଣ୍ଡରେ ବୁଡି ବୃଦ୍ଧ ମୃତ
ଦିଗପହଣ୍ଡି : ଗାଧୋଇବାକୁ ଯାଇ ଘୋଡାହାଡ ନଦୀ ଗଣ୍ଡରେ ବୁଡିଯାଇ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ପାଟପୁର ଥାନା ଅନ୍ତର୍ଗତ ନୂଆଗଡ ଗ୍ରାମର ପ୍ରଫୁଲ୍ଲ ନାୟକ (୫୦) । ରବିବାର ମଧ୍ୟାହ୍ନରେ ପ୍ରଫୁଲ୍ଲ ଗାଁ ନିକଟସ୍ଥ ଘୋଡାହାଡ ନଦୀ ଗଣ୍ଡକୁ ଗାଧୋଇବାକୁ ଯାଇଥିଲେ । ସେଠାରେ ପ୍ରାୟ ୨୦ ଫୁଟ ପାଣି ରହିଥିବା ବେଳେ ଅସାବଧାନତା ହେତୁ ପ୍ରଫୁଲ୍ଲଙ୍କ ଗୋଡ ଖସିଯାଇଥିଲା । ଫଳରେ ପାଣିରେ ସେ ବୁଡିଯାଇଥିବା ବେଳେ ସ୍ଥାନୀୟ ଲୋକଙ୍କ ଦ୍ୱାରା ତାଙ୍କୁ ସଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରାଯାଇ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଏନେଇ ପାଟପୁର ଥାନା ପୋଲିସ ୫ା୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଚଳାଯାଇଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ଜଣାପଡିବ ବୋଲି ଆଇଆଇସି ରମେଶ କୁମାର ପ୍ରଧାନ ସୂଚନା ଦେଇଛନ୍ତି ।