ଚଉରା ମୂଳରେ ବିଧବା ମହିଳା ଙ୍କ ରାଇ ଦାମୋଦର ପୂଜା ଆରମ୍ଭ

ନିମାପଡ଼ା, (ସନ୍ତୋଷ ଦାଶ) : ଆଜି ଠାରୁ ଆରମ୍ଭ ହୋଇଛି ପବିତ୍ର କାର୍ତ୍ତିକ ମାସ । ପାରମ୍ପରିକ ପ୍ରଥା ନୁସାରେ ବିଧବା ମହିଳା ଓ କାର୍ତ୍ତିକ ବ୍ରତଧାରୀ ମହିଳା ମାନେ ଚଉରା ମୂଳରେ ଆରମ୍ଭ କରିଛନ୍ତି ରାଇ ଦାମୋଦର ପୂଜା । ପ୍ରାତଃ ରୁ ଉଠି ବାରିକ ପାଖରେ ନଖ କଟାଇ ଶୁଦ୍ଧ ସ୍ନାନ ସାରି ବ୍ରାହ୍ମଣ ଙ୍କ ପାଖରେ ପାଣି ଟେକି ସଂକଳ୍ପ କରିଛନ୍ତି ଯେତେ ବାଧାବିଘ୍ନ ଆସିଲେବି କାର୍ତ୍ତିକ ମାସ ଶେଷ ପର୍ଯ୍ୟନ୍ତ ବ୍ରତ ପାଳନ କରିବେ । ପୋଖରୀ/ ନଦୀ କୂଳେ ଅଥବା ଚଉରା ମୂଳରେ ବାଲୁକା ରେ ଲିଙ୍ଗ ସ୍ଥାପି ପ୍ରଥମେ ପୂଜା କରିଥିଲେ । ଚଉରା ମୂଳରେ ପଞ୍ଚରଙ୍ଗ ମୁରୁଜ ଦ୍ବାରା ରାଧାକୃଷ୍ଣ(ରାଇ- ଦାମୋଦର) ଙ୍କ ମୂର୍ତ୍ତି ଅଙ୍କା ଯାଇଥିଲା । ଲିଆ, ଉଖୁଡା, ନଡ଼ିଆ, କଦଳୀ ଓ ବିଭିନ୍ନ ଫଳମୂଳ ଏକତ୍ର ଚକଟି ବାଟୁଳା କରି ରାଧାକୃଷ୍ଣ ଓ ବୃନ୍ଦାବତୀ ଙ୍କୁ ଭୋଗ ଲାଗି କରା ଯାଇଥିଲା । ସମସ୍ତ ବିଧବା ମହିଳା ଏକତ୍ର ଭାବେ ବୃନ୍ଦାବତୀ ଓ ରାଇ ଦାମୋଦର ଙ୍କୁ ବନ୍ଦାପନା କରିଥିଲେ । ଚଉରା ମୂଳରେ କଉଡ଼ି ଖେଳି ଓ ଦହି ଗୋଳାଇଥିଲେ । ଶେଷରେ କାର୍ତ୍ତିକ ମାହାତ୍ମ୍ୟ ପୁରାଣ ବ୍ରାହ୍ମଣ ଙ୍କ ଠାରୁ ଶୁଣିଥିଲେ । ଭୋଗ ଲାଗି ହୋଇଥିବା ଚକଟା ପ୍ରସାଦ କୁ ଖାଇଥିଲେ। ଘର କୁ ଫେରି ନିଜେ ହବିଷାନ୍ନ ରାନ୍ଧି ଖାଇଥିଲେ । ଏହି ହବିଷାନ୍ନ ଡାଲମା ରେ ସାରୁ, କଦଳୀ, କନ୍ଦମୂଳ ବ୍ୟତୀତ ଆଉ କିଛି ପରିବା ପଡେ ନାହିଁ । ସଂଧ୍ୟାରେ ଚଉରା ମୂଳରେ ପୁଣିଥରେ ଚକଟା ଭୋଗ ପ୍ରସ୍ତୁତ କରି ବୃନ୍ଦାବତୀ ଓ ଆକାଶ ଦୀପ ଙ୍କୁ ଲାଗି କରିବା ପରେ ଆକାଶ ଦୀପ କୁ ଉପରକୁ ଉଠାଇ ଘରକୁ ଫେରିଥିଲେ । ବିଧବା ମହିଳା ଓ କାର୍ତ୍ତିକ ବ୍ରତଧାରୀ ମହିଳା ଏହିପରି ମାସ ସାରା ହବିଷାନ୍ନ ଖାଇ ରାଇ ଦାମୋଦର ପୂଜାକରି କାର୍ତ୍ତିକ ପୂର୍ଣ୍ଣିମା ତିଥି ରେ ବ୍ରତ ଉଦଯାପନ କରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ