ଚଉରା ମୂଳରେ ବିଧବା ମହିଳା ଙ୍କ ରାଇ ଦାମୋଦର ପୂଜା ଆରମ୍ଭ
ନିମାପଡ଼ା, (ସନ୍ତୋଷ ଦାଶ):ଆଜି ଠାରୁ ଆରମ୍ଭ ହୋଇଛି ପବିତ୍ର କାର୍ତ୍ତିକ ମାସ। ପାରମ୍ପରିକ ପ୍ରଥାନୁସାରେ ବିଧବା ମହିଳା ଓ କାର୍ତ୍ତିକ ବ୍ରତଧାରୀ ମହିଳା ମାନେ ଚଉରା ମୂଳରେ ଆରମ୍ଭ କରିଛନ୍ତି ରାଇ ଦାମୋଦର ପୂଜା । ପ୍ରାତଃ ରୁ ଉଠି ବାରିକ ପାଖରେ ନଖ କଟାଇ ଶୁଦ୍ଧ ସ୍ନାନ ସାରି ବ୍ରାହ୍ମଣ ଙ୍କ ପାଖରେ ପାଣି ଟେକି ସଂକଳ୍ପ କରିଛନ୍ତି ଯେତେ ବାଧାବିଘ୍ନ ଆସିଲେବି କାର୍ତ୍ତିକ ମାସ ଶେଷ ପର୍ଯ୍ୟନ୍ତ ବ୍ରତ ପାଳନ କରିବେ। ପୋଖରୀ/ ନଦୀ କୂଳେ ଅଥବା ଚଉରା ମୂଳରେ ବାଲୁକା ରେ ଲିଙ୍ଗ ସ୍ଥାପି ପ୍ରଥମେ ପୂଜା କରିଥିଲେ। ଚଉରା ମୂଳରେ ପଞ୍ଚରଙ୍ଗ ମୁରୁଜ ଦ୍ବାରା ରାଧାକୃଷ୍ଣ(ରାଇ- ଦାମୋଦର) ଙ୍କ ମୂର୍ତ୍ତି ଅଙ୍କା ଯାଇଥିଲା । ଲିଆ, ଉଖୁଡା, ନଡ଼ିଆ, କଦଳୀ ଓ ବିଭିନ୍ନ ଫଳମୂଳ ଏକତ୍ର ଚକଟି ବାଟୁଳା କରି ରାଧାକୃଷ୍ଣ ଓ ବୃନ୍ଦାବତୀ ଙ୍କୁ ଭୋଗ ଲାଗି କରା ଯାଇଥିଲା। ସମସ୍ତ ବିଧବା ମହିଳା ଏକତ୍ର ଭାବେ ବୃନ୍ଦାବତୀ ଓ ରାଇ ଦାମୋଦର ଙ୍କୁ ବନ୍ଦାପନା କରିଥିଲେ। ଚଉରା ମୂଳରେ କଉଡ଼ି ଖେଳି ଓ ଦହି ଗୋଳାଇଥିଲେ । ଶେଷରେ କାର୍ତ୍ତିକ ମାହାତ୍ମ୍ୟ ପୁରାଣ ବ୍ରାହ୍ମଣ ଙ୍କ ଠାରୁ ଶୁଣିଥିଲେ। ଭୋଗ ଲାଗି ହୋଇଥିବା ଚକଟା ପ୍ରସାଦ କୁ ଖାଇଥିଲେ। ଘର କୁ ଫେରି ନିଜେ ହବିଷାନ୍ନ ରାନ୍ଧି ଖାଇଥିଲେ। ଏହି ହବିଷାନ୍ନ ଡାଲମା ରେ ସାରୁ, କଦଳୀ, କନ୍ଦମୂଳ ବ୍ୟତୀତ ଆଉ କିଛି ପରିବା ପଡେ ନାହିଁ । ସଂଧ୍ୟାରେ ଚଉରା ମୂଳରେ ପୁଣିଥରେ ଚକଟା ଭୋଗ ପ୍ରସ୍ତୁତ କରି ବୃନ୍ଦାବତୀ ଓ ଆକାଶ ଦୀପ ଙ୍କୁ ଲାଗି କରିବା ପରେ ଆକାଶ ଦୀପ କୁ ଉପରକୁ ଉଠାଇ ଘରକୁ ଫେରିଥିଲେ । ବିଧବା ମହିଳା ଓ କାର୍ତ୍ତିକ ବ୍ରତଧାରୀ ମହିଳା ଏହିପରି ମାସ ସାରା ହବିଷାନ୍ନ ଖାଇ ରାଇ ଦାମୋଦର ପୂଜାକରି କାର୍ତ୍ତିକ ପୂର୍ଣ୍ଣିମା ତିଥି ରେ ବ୍ରତ ଉଦଯାପନ କରିବେ। ପବିତ୍ର କାର୍ତ୍ତିକ ମାସରେ ରାଇ ଦାମୋଦର ପୂଜା କଲେ ପ୍ରଭୂ ନାରାୟଣ ଙ୍କ ଆଶ୍ରିବାଦ ପ୍ରାପ୍ତ ହୋଇଥାଏ ବୋଲି ବିଭିନ୍ନ ପୁରାଣ ରେ ବର୍ଣ୍ଣିତ ହୋଇଛି। ରାଇ ଦାମୋଦର ପୂଜା ଆମ ଓଡ଼ିଆ ସଂସ୍କୃତି ଓ ପରମ୍ପରା ସହିତ ଜଡିତ ହୋଇ ରହି ଆସିଛି କାହିଁ କେତେ କାଳରୁ।


