ଚଉଶିଙ୍ଗା ହରିଣ
ଚଉଶିଙ୍ଗା ହରିଣ ସାତକୋଶିଆ ଜଙ୍ଗଲର ଏକ ବିଶେଷ ବୈଚିତ୍ର । ଓଡିଶାର ଅନ୍ୟ ବିବିଧ(ମିଶ୍ରିତ) ଜଙ୍ଗଲରେ ଏହି କିସମର ହରିଣ ସାଧାରଣତଃ ଦେଖାଯାନ୍ତି ନାହିଁ । ଏହି ଜଙ୍ଗଲରେ ଦେଖାଦେଉଥିବା କୁଟୁରାମାନଙ୍କର ସାଧାରଣତଃ ଶିଙ୍ଗ ନଥାଏ । କିନ୍ତୁ ଅନୁଗୁଳର ଏକ ବିଶେଷ ପ୍ରକାରର କୁଟୁରା ମୁଣ୍ଡରେ ଚାରୋଟି ଶିଙ୍ଗ ଥିବା କଥା ପରିଲକ୍ଷିତ ହୁଏ । ଏହି ପ୍ରଜାତିର କୁଟୁରା ଛୁଆଟିକୁ ୯ ମାସ ଅତିକ୍ରମ କଲାପରେ ପ୍ରଥମେ ଗୋଟିଏ ଧାଡିରେ ଦୁଇଟି ଏବଂ ପରେ ପଛଧାଡିରେ ଅନ୍ୟ ଦୁଇଟି ଶିଙ୍ଗ ଖପୁରୀ ପାଖରୁ କଅଁଳି ଥାଏ । ଏହି ବର୍ଗର କୁଟୁରାଙ୍କର ହରିଣ ପରି ଶିଙ୍ଗ ଥାଏ ଏବଂ ସେମାନଙ୍କ ଶିଙ୍ଗ ସଂଖ୍ୟା ୪ ବୋଲି ସେମାନଙ୍କୁ ଚଉଶିଙ୍ଗା ହରିଣ ବୋଲି ନାମକରଣ କରାଯାଇଛି । ଅନୁଗୁଳର ତଳି ଜଙ୍ଗଲଠାରୁ ଆରମ୍ଭ କରି ସାତକୋଶିଆର ନିଘଞ୍ଚ ଜଙ୍ଗଲରେ ହଜାର ହଜାର ସଂଖ୍ୟାରେ ଏହି ହରିଣ ଦେଖାଯାଉଥିଲେ ।


