ଚକଲେଟ ଦେବାକୁ ଡାକି ଡାକିଆଣି ନାବାଳକକୁ ଘୁସୁରୀ ଜଗାଉଥିଲେ

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ଯାଜପୁର ଜିଲ୍ଲାର ଏକ ୭ବର୍ଷର ଅନୁସୂଚିତଜାତିର ନାବାଳକ ସ୍‌ୁଲରୁ ଫେରି ଘରନିକଟରେ ଖେଳୁଥିବା ବେଳେ ଆଜକୁ ପ୍ରାୟ ବର୍ଷକ ତଳେ ତାକୁ ଚକଲେଟ ଖାଇବାକୁ ଡାକିନେଇ ଏକ ବାଇକରେ ବସାଇ ସେଠାରୁ ନେଇଆସି ନିଜ ଘରେ ପ୍ରାୟ ୮ମାସ ରଖିବା ପରେ ତାକୁ ସଂପୃକ୍ତ ବ୍ୟକ୍ତି ଜଣକ ମହାକାଳପଡାକୁ ଆଣି ଘୁସୁରୀ ଚରାଇବା ଦାୟୀତ୍ୱ ଦେଇଥିଲେ । ଏକ ବିଲ ମଝିରେ ବର୍ଷା ଖରା ଖାଇ ଏକ ଜରି ପାଲ ତଳେ ପ୍ରାୟ ୪ମାସ ହେବ ରହିଥିଲା ବାଳକଟି । ଏ ବିଷୟ ସାମାଜିକ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଖବର ପାଇ ଘଟଣା ସମ୍ପର୍କରେ ଜିଲ୍ଲାପାଳ ଓ ମହାକାଳପଡା ବିଡିଓଙ୍କୁ ଜଣାଇଥିଲେ । ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ମହାକାଳପଡା ବିଡିଓ ସେହି ବାଳକକୁ ସେଠାରୁ ଉଦ୍ଧାରକରି ଆଣି ହଜାରିବଗିଚାସ୍ଥିତ ପୈାରସଂସ୍ଥା ଦ୍ୱାରା ପରିଚାଳିତ ସ୍ୱଳ୍ପ ରହଣି ଆଶ୍ରୟ ସ୍ଥଳିରେ ରଖାଯାଇଛି । ପୋରନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ସେହି ନାବାଳକର ସ୍ୱାସ୍ଥ୍ୟ ପରିକ୍ଷା କରାଯିବା ସହ ତାକୁ ପିନ୍ଧିବାକୁ ସାର୍ଟ, ପ୍ୟାଂଟ ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଦିଆଯିବା ସହ ତା’ସ୍ୱାସ୍ଥ୍ୟର ଯତ୍ନ ନିଆଯାଉଛି । ସଂପୃକ୍ତ ଉଦ୍ଧାର କରାଯାଇଥିବା ନାବାଳକଟିର କହିବା ଅନୁଯାଇ ଯାଜପୁର ଜିଲ୍ଲାର କାଜି ପାଟଣା ଗ୍ରାମର କରିଆ ମୁଣ୍ଡାର ପୁଅ ହରିଆ ମୁଣ୍ଡା(୭) ପଥରଗଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଶେଣୀରେ ପଢେ । ଆଜକୁ ପ୍ରାୟ ବର୍ଷକ ତଳେ ହରିଆ ସ୍କୁଲରୁ ଫେରି ଘର ପାଖରେ ଖେଳୁଥିବା ସମୟରେ ତାକୁ ସେହି ଯାଜପୁର ଜିଲ୍ଲାର ବରି ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ପଂଚାୟତର ଅଲ୍ଲୀପୁର ଗ୍ରାମର ରାଜୁ ରେଡି ନାମକ ବ୍ୟକ୍ତି ଚକଲେଟ ଦେବାକୁ କହି ନିଜ ବାଇକରେ ବସାଇ ନେଇଆସିଥିଲେ । ରାଜୁ ହରିଆକୁ ଆଣି ନିଜ ଗ୍ରାମ ଅଲ୍ଲୀପୁରରେ ରଖି ବିଲକୁ କାମ କରିବାକୁ ପଠାଉଥିଲେ । ସେଠାରେ ପ୍ରାୟ ୮ମାସ ରହିବା ପରେ ହରିଆକୁ ପ୍ରାୟ ୪ମାସ ତଳେ ମହାକାଳପଡାକୁ ନେଇଆସିଥିଲେ । ମହାକାଳପଡା ବ୍ଲକ ଅନ୍ତର୍ଗତ କେଂଟିଆ ଗ୍ରାମର ଏକ ବିଲ ମଝିରେ ଏକ ଜରିପାଲ ତଳେ ଏକୁଟିଆ ହରିଆକୁ ରଖାଇ ଘୁସୁରୀ ଚରାଇବାକୁ କହିଥିଲେ । ହରିଆ ସେହି ବିଲ ମଝିରେ ପ୍ରାୟ ୪ମାସ ହେବ ରହୁଥିବା ବେଳେ ରାଜୁ କହିଯାଇଥିବା ନିକଟସ୍ଥ ଏକ ଦୋକାନରୁ ଚାଉଳ ଓ ଆଳୁ ଆଣି ବିଲ ମଝିରେ ଥିବା ଜରିପାଲ ତଳେ ନିଜେ ରୋଷେଇ କରି ଭାତ ଓ ଆଳୁ ଚକଟା ଖାଉଥିଲେ । ସେହି ଅଂଚଳର ଜନୈକ ଯୁବକ ସେଠାକୁ ଥରେ ଯାଇଥିବା ବେଳେ ହରିଆ ଠାରୁ ସମସ୍ତ ଘଟଣା ଜାଣିବା ପରେ ସେ ସାମାଜିକ ଗଣମାଧ୍ୟମରେ ଏ ବିଷୟରେ ଜଣାଇବାରେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ଜେନା ଜାଣିବାକୁ ପାଇଥିଲେ । ଶ୍ରୀ ଜେନା ଏ ବିଷୟରେ କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା ଓ ମହାକାଳପଡା ବିଡିଓଙ୍କୁ ସମସ୍ତ ବିଷୟ ଜଣାଇଥିଲେ । ଜିଲ୍ଲାପାଳ ଶ୍ରୀ ବର୍ମାଙ୍କ ନିର୍ଦେଶ କ୍ରମେ ଗତ ଗୁରୁବାର ମହାକାଳପଡା ବିଡିଓ କେଂଟିଆ ଗ୍ରାମର ଏକ ବିଲ ମଝିରେ ଥିବା ସଂପୃକ୍ତ ନାବାଳକକୁ ସେଠାରୁ ଉଦ୍ଧାର କରି ହଜାରିବଗିଚାସ୍ଥିତ ଆଶ୍ରୟସ୍ଥଳିରେ ଛାଡିଥିଲେ । ହରିଆର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ତାକୁ ସେହି ଆଶ୍ରୟ ସ୍ଥଳିରେ ୧୪ଦିନ ପର୍ଯ୍ୟନ୍ତ ସଂଙ୍ଗରୋଧ ଗୃହରେ ରଖାଯାଇଛି । ହରିଆକୁ ପିନ୍ଧିବାକୁ ସାର୍ଟ ପ୍ୟାଂଟ ପ୍ରଭୃତି ଦିଆଯାଉଥିବା ବେଳେ ତାର ସମସ୍ତ ଦାୟୀତ୍ୱ ପୋରନିର୍ବାହୀ ଅଧିକାରୀ ଶ୍ରୀ ବଳଙ୍କ ନିର୍ଦେଶ କ୍ରମେ ସେହି ସ୍ୱଳ୍ପ ରହଣି ଆଶ୍ରୟସ୍ଥଳି ଦାୟୀତ୍ୱରେ ଥିବା ଅସୀତ କୁମାର ସାହୁ ବୁଝୁଛନ୍ତି । ସେଠାରେ ହରିଆର ସ୍ୱତନ୍ତ୍ର ଯତ୍ନ ନିଆଯାଉଥିବା ସୂଚନା ମିଳିଛି । ଏଥି ସହିତ ଯାଜପୁର ଜିଲ୍ଲାର ପାଣିକୋଇଲି ଥାନା ମାଧ୍ୟମରେ ହରିଆର ମା ଓ ବାପାଙ୍କୁ ଏ ବିଷୟରେ ଜଣାଇ ଦିଆଯାଇଛି । ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଭଗବତୀ ପ୍ରସାଦ ଦାସ ଓ ସଭ୍ୟମାନେ ହରିଆକୁ ଆଶ୍ରୟସ୍ଥଳିରେ ଭେଟି ତା’ ନିକଟରୁ ସମସ୍ତ ବିଷୟ ଅବଗତ ହୋଇଛନ୍ତି । ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଶ୍ରୀ ଦାସ ଏସମ୍ପର୍କରେ ମହାକାଳପଡା ଥାନାରେ ଏକ ଲିଖିତ ଅଭିଯୋଗ ଦେଇଥିବା ସୂଚନା ଦେଇଛନ୍ତି । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସଙ୍କ ନିର୍ଦେଶ କ୍ରମେ ୧୪ଦିନ ପରେ ସଂପୃକ୍ତ ନାବାଳକକୁ ଡାକ୍ତରୀ ପରୀକ୍ଷା କରାଯାଇ ସେହି ରିପୋର୍ଟ ସମେତ ତାକୁ ଶିଶୁ ମଙ୍ଗଳ ସମିତି ନିକଟରେ ହାଜର କରାଯିବା ପରେ ପରବର୍ତ୍ତି ପଦକ୍ଷେପ ଗ୍ରହଣ କରାଯିବ ବୋଲି ଆଶ୍ରୟ ସ୍ଥଳି ଦାୟୀତ୍ୱରେ ଥିବା ଶ୍ରୀ ସାହୁ ସୂଚନା ଦେଇଛନ୍ତି । ଏହି ଅଭିଯୋଗ ଉପରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିବା ମହାକାଳପଡା ଥାନା ଅଧିକାରୀ ମନୋରଞ୍ଜନ ଚୈାଧୁରୀ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ