ଚକ୍ଷୁ ଦାନ କଲେ ମୃତ ଶ୍ରମିକଙ୍କ ପରିବାର
ପୋଲସରା ,(ଅନିଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବ୍ଲକର ଖଣ୍ଡୁରୁ ପାଞ୍ଚାୟତ କଙ୍କୋରଡ଼ା ଗ୍ରାମର ମୋଚିରାମ ପ୍ରଧାନଙ୍କ ପୁଅ ରୋହିତ ପ୍ରଧାନ ସୁରାଟରେ ଶ୍ରମିକ ଭାବେ କାମ କରୁଥିବା ବେଳେ ସଡକ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ବେଳେ ତାଙ୍କ ପରିବାର ରୋହିତଙ୍କ ଚକ୍ଷୁ ଦାନ କରିଥିବା ଜଣାପଡିଛି। ସ୍ବର୍ଗତ ରୋହିତ ସୁରାଟର ଲୋମସ୍ କମ୍ପାନୀରେ କାର୍ଯ୍ୟ କରୁଥିବା ବେଳେ ସେ ସିଦ୍ଧାର୍ଥ ନଗର ଭେସ୍ଥାନ ପଞ୍ଚମ ଗଳିରେ ତାଙ୍କ ଭଉଣୀଙ୍କ ଘରେ ରହୁଥିଲେ। ଫେବୃଆରୀ ୧୬ ତାରିଖ ଦିନ ଘରୁ କମ୍ପାନୀକୁ ଯାଉଥିବା ବେଳେ ସଡକ ଦୁର୍ଘଟଣାରେ ଘଟଣା ସ୍ଥଳରେ ହିଁ ମୃତ୍ୟୁ ବରଣ କରିଥିଲେ। ଘଟଣା ସ୍ଥଳରୁ ସ୍ବର୍ଗତ ରୋହୀତଙ୍କ ଭଣଜା ଚକରା ସାହୁ ସୁରତ ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟର ଭେସ୍ଥାନ ଅଞ୍ଚଳ ସଙ୍ଗଠକଙ୍କୁ ଜଣାଇଥିଲେ। ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟ ସଭାପତି ପ୍ରଦୀପ କୁମାର ସାହୁଙ୍କ ପରାମର୍ଶ କ୍ରମେ ଭେସ୍ଥାନ ଅଞ୍ଚଳର ସଙ୍ଗଠକ ରୁନୁ ଭାଇ ଓ ତ୍ରିଲୋଚନ ଭାଇ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଞ୍ଚି ରୋହିତଙ୍କ ମର ଶରୀରକୁ ତାଙ୍କ ପରିବାର ନିକଟରେ ପହଞ୍ଚାଇ ଥିବାବେଳେ ତାଙ୍କ ପରିବାର ନିକଟରେ ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟ ସଭାପତି ପ୍ରଦୀପ କୁମାର ସାହୁଙ୍କ ସମେତ ଟ୍ରଷ୍ଟର ଆଇନ ପରାମର୍ଶ ଦାତ୍ରୀ ଆଡଭୋକେଟ ସ୍ୱାତୀ ରାଖଣ୍ଡ, ସରୋଜ ଭାଇ, ସନ୍ତୋଷ ଭାଇ ପ୍ରଭୃତି ପହଞ୍ଚି ସମବେଦନା ଜଣାଇବା ସହ ସ୍ୱର୍ଗତ ରୋହିତଙ୍କ ଚକ୍ଷୁ ଦାନ କରି ଅନ୍ୟ ଜଣଙ୍କୁ ଦୁନିଆକୁ ଦେଖିବାକୁ ସୁଯୋଗ ଦେବା ଦ୍ୱାରା ବହୁ ପୂଣ୍ୟ ହୋଇଥାଏ ବୋଲି ବୁଝାଇବା ପରେ ପରିବାର ଲୋକେ ରୋହିତଙ୍କ ଚକ୍ଷୁ ଦାନ କରିଥିଲେ। ସଙ୍ଗେ ସଙ୍ଗେ ମେଡ଼ିକାଲ ଟିମ୍ ଆସି ସ୍ୱର୍ଗତ ରୋହିତଙ୍କ ମର ଶରୀରକୁ ମେଡ଼ିକାଲକୁ ନେଇ ଚକ୍ଷୁ ବ୍ୟାଙ୍କରେ ତାଙ୍କର ଚକ୍ଷୁ ରଖାଯାଇଥିଲା। ରୋହିତଙ୍କ ଅଙ୍ଗଦାନ ପାଇଁ ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟ ସଭାପତି ଶ୍ରୀ ସାହୁ ତାଙ୍କ ପରିବାରକୁ ବୁଝାଇ ପାରିଥିବା ଯୋଗୁଁ ଜଣେ ବା ଦୁଇ ଜଣ ଅନ୍ଧ ବ୍ୟକ୍ତି ଦୃଷ୍ଟି ଶକ୍ତି ଫେରି ପାଇପାରିବେ। ଜଣେ ଓଡ଼ିଆ ଶ୍ରମିକଙ୍କ ପରିବାରର ଏହିପରି ଚକ୍ଷୁ ଦାନ ଯୋଗୁଁ ଓ ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟର ମୁଖ୍ୟ ଶ୍ରୀ ସାହୁ ମୃତକ ପରିବାରକୁ ବୁଝାଇ ପାରି ଏକ ମହତ କାର୍ଯ୍ୟ କରିଥିବା ଯୋଗୁଁ ଜନସାଧାରଣ ଉଚ୍ଚ ପ୍ରଶଂସା କରିଛନ୍ତି।


