ଚଢାଉ ବେଳେ ହଟହଟା ହେଲେ ବିଏମସି ଅଧିକାରୀ : ଲିଫ୍ଟରେ ଅଟକ ରଖିବା ଅଭିଯୋଗରେ ୫ ବାର୍ କର୍ମଚାରୀ ଗିରଫ
ଭୁୁବନେଶ୍ୱର : କରୋନା କଟକଣାକୁ ଉଲ୍ଲଂଘନ କରି ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲାଥିବା ପଟିଆ ଅଂଚଳର ୨ ଟି ବାର୍ କୁ ସିଲ୍ କରିଛି ବିଏମସି । ଅପରପକ୍ଷରେ ବାର ଉପରେ ଚଢ଼ାଉ ବେଳେ ବାଧା ଦେବା ଘଟଣାରେ ୫ ଜଣଙ୍କୁ ଗିରଫ କରିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ । ଚନ୍ଦ୍ରଶେଖରପୁର ଥାନା ଅଂଚଳରେ ଥିବା ବିବିଆଇ ବାରର ଚଢାଉ କରିବାକୁ ଯାଇଥିବା ବେଳେ ବିଏମସି ଅଧିକାରୀଙ୍କୁ ଲିଫ୍ଟ ବନ୍ଦ କରିଦେଇଥିଲେ ବାର୍ କର୍ମଚାରୀ । ଏହି ମାମଲାରେ ଚନ୍ଦ୍ରଶେଖରପୁର ଥାନାରେ ଏତଲା ପରେ ପୋଲିସ୍ ୫ ଜଣଙ୍କୁ ଗିରଫ କରିଥିଲା । ସେମାନଙ୍କ ମଧ୍ୟରେ ଜଣେ ମ୍ୟାନେଜର ଥିବାର ସୂଚନା ମିଳିଛି ।ରାଜ୍ୟ ସରକାର ରାତି ୧୦ଟାରୁ ନାଇଟ୍ କର୍ଫ୍ୟୁ ଘୋଷଣା କରିଥିବା ବେଳେ ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ସମ୍ପୃକ୍ତ ବାର ଖୋଲାଥିଲା । ଭିତରେ ବହୁ ସଂଖ୍ୟାରେ ଲୋକ ଥିଲେ । ନଚ ଗୀତ ସାଙ୍ଗକୁ ମଦର ଆସର ଜମିଥିଲା । ଖବର ପାଇ ଅତର୍କିତ ଚଢ଼ାଉ କରିଥିଲେ ବିଏମସି ସ୍କ୍ୱାର୍ଡ ଓ କମିଶନରେଟ ପୁଲିସ ଅଧିକାରୀ । ମାତ୍ର ବିଏମସି ଜୋନାଲ ଡେପୁଟି କମିଶନର ଅଂଶୁମାନ ରଥ ଓ ଅନ୍ୟ ଜଣେ ଅଫିସର ଲିଫ୍ଟରେ ଥିବା ବେଳେ ଜାଣିଶୁଣି ଲାଇନ କାଟିଦିଆଯାଇଥିଲା । ପ୍ରାୟ ୪୦ ମିନିଟ ଧରି ଲିଫ୍ଟରେ ଜେଡିସି ଅଂଶୁମାନ ଫସି ରହିଥିଲେ । ପୋଲିସ ଓ ବିଏମସିର ଅନ୍ୟ ଅଧିକାରୀ ପହଂଚିବା ପରେ ୪୦ ମିନିଟ ପରେ ଲିଫ୍ଟ ଚାଲୁ କରାଯାଇଥିଲା । ଜଣେ ସରକାରୀ ଅଧିକାରୀଙ୍କୁ ନିଜ କର୍ତଂବ୍ୟ ସମ୍ପାଦନ ସମୟରେ ବାଧା ସୃଷ୍ଟି ଓ ହତ୍ୟା ଉଦ୍ୟମରେ ଚନ୍ଦ୍ରଶେଖରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ବିଏମସି ଜେଡିସି । ଏମାନଙ୍କ ବିରୋଧରେ ଆଇପିସିର ଧାରା ୩୦୭ରେ ମାମଲା ରୁଜୁ କରାଯାଇଛି । ରବିବାର ୫ ଜଣଙ୍କୁ ଗିରଫ କରାଯିବା ସହ ବାର୍ କୁ ସିଲ୍ କରାଯାଇଛି ।


