ଚଢା ଦରରେ ବିକ୍ରି ହେଉଛି ମଦ: ଜିଲ୍ଲାପାଳଙ୍କୁ ଅଭିଯୋଗ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ସହରରେ ଥିବା ପ୍ରାୟ ସମସ୍ତ ମଦ ଦୋକାନରେ ଚଢା ଦରରେ ମଦ ବିକ୍ରି କରାଯାଉଛି । ଏ ନେଇ ସମାଜସେବୀ ସମୀର କୁମାର ଚାନ୍ଦ ଜିଲାପାଳଙ୍କ ନିକଟରେ ବୁଧବାର ଅଭିଯୋଗ କରିଛନ୍ତି । ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ମଦ କେତେ ଟଙ୍କାରେ ବିକ୍ରି ହେବ ସେ ନେଇ ସରକାର ମୂଲ୍ୟ ଧ୍ୟାର୍ଯ୍ୟ କରିଛନ୍ତି । ଏହି ମୂଲ୍ୟରେ ୧୫ ପ୍ରତିଶତ କୋଭିଡ କର ରହିଛି । ଯେଉଁ କର ପୂର୍ବରୁ ୫୦ ପ୍ରତିଶତ ଥିବା ବେଳେ ସରକାର ତାହାକୁ ୧୫ ପ୍ରତିଶତକୁ ହ୍ରାସ କରିଛନ୍ତି । ହେଲେ ସାଧାରଣ ଲୋକଙ୍କୁ ମଦ ମାଫିଆମାନେ ଲୁଟିବାରେ ଲାଗିଛନ୍ତି । ସେମାନଙ୍କ ଠାରୁ ୫୦ ପ୍ରତିଶତ କର ଆଦାୟ କରୁଛନ୍ତି । ଏ ନେଇ ଲୋକେ ପ୍ରତିବାଦ କଲେ ସେମାନଙ୍କୁ ବିଭିନ୍ନ ବାହୁବଳୀ ଯୁବକଙ୍କ ଦ୍ୱାରା ଧମକ ଦିଆଯାଉଛି । ତେଣୁ ବାଧ୍ୟହୋଇ ଲୋକେ ଚଢା ଦରରେ ମଦ କିଣୁଛନ୍ତି ବୋଲି ଶ୍ରୀ ଚାନ୍ଦ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି । ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ମଦ ଦୋକାନ ସମ୍ମୁଖରେ ପ୍ରତ୍ୟେକ ମଦର ଦର ତାଲିକା ଲଗାଯାଉ । ଏହାସହ କୌଣସି ଅଭିଯୋଗ ଥିଲେ ଅବକାରୀ ବିଭାଗ ଅଧିକାରୀଙ୍କ ଫୋନ ନମ୍ବର ସେହି ତାଲିକା ବୋର୍ଡରେ ରହୁ । ଏହାଦ୍ୱାରା ଦୋକାନୀମାନେ ଗ୍ରାହକଙ୍କୁ ଠକିବାକୁ ସାହସ କରିବେ ନାହିଁ ।