ଚତୁର୍ଦ୍ଧାମୂର୍ତ୍ତି ଙ୍କୁ ଭୋଗ ସମର୍ପଣ ର ସ୍ଥାନ ଦର୍ଶନୀ ବନ୍ତ

ନିମାପଡା, (ସନ୍ତୋଷ ଦାଶ) :-ପୁରୀ ଜିଲ୍ଲା କାକଟପୁର ବ୍ଲକ ଅଞ୍ଚଳ ରେ ଗୋଧନପଡ଼ା ନାମକ ଏକ ଗ୍ରାମ ଅବସ୍ଥିତ । ଯେଉଁ ଗ୍ରାମ ଟି କାକଟପୁର– କୋଣାର୍କ ମୁଖ୍ୟ ରାସ୍ତା ପାଶ୍ୱରେ ଅବସ୍ଥିତ । ଏହି ଗ୍ରାମରେ ଏକ ବିଶାଳ ସୁଦୀର୍ଘ ବାଲିବନ୍ତ ରହିଅଛି । ଯାହାର ନାମ ଦର୍ଶନୀ ବନ୍ତ ଭାବେ ପ୍ରସିଦ୍ଧ । ଏହି ଦର୍ଶନୀ ବନ୍ତ ଏକ ଐତିହାସିକ ସ୍ଥାନ ଅଟେ । ଏହାର ନାମ କରଣ ଏକ ଖାସ କାରଣରୁ ହୋଇଛି । ଐତିହାସିକ ଓ ଗବେଷକ ତଥା ବୟସ୍କ ଲୋକ ମାନଙ୍କ କଥା ଅନୁସାରେ ସେତେବେଳେ ରାଜା ରାଜୁତି ଶାସନ ଚାଲୁଥାଏ । ପୁରୀ ରେ ଗଜପତି ମହାରାଜାଙ୍କ ଶାସନ ସମୟରେ ତାଙ୍କ ପ୍ରଦେଶର ବିଭିନ୍ନ ଗଡ ମାନଙ୍କରେ ସାମନ୍ତ ରାଜା ମାନଙ୍କୁ ନିୟୋଜିତ କରିଥିଲେ । ଗଡ ମଧ୍ୟରେ କୋଣାର୍କ ନିକଟ ଗୋଲରାଗଡ ଅନ୍ୟତମ । ଗୋଲରାଗଡ ରେ ସାମନ୍ତ ରାଜା ରାଜୁତି କରୁଥିଲେ । ପୁରୀ ଶ୍ରୀମନ୍ଦିର ଓ କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମାଣରେ ସେମାନଙ୍କ ନିଷ୍ଠାପର ଓ ଅତୁଳନୀୟ ଅବଦାନ ଅନେକ ଗୁରୁତ୍ଵ ବହନ କରିଥିବା ଐତିହାସିକ ମାନେ ମତ ଦିଅନ୍ତି । ପ୍ରତି ବର୍ଷ ରଥଯାତ୍ରା ଓ ବାହୁଡ଼ା ଯାତ୍ରା ସମୟରେ ସାମନ୍ତ ରାଜା ମାନେ ଘୋଡ଼ା ସାହାର୍ଯ୍ୟରେ ଶ୍ରୀ ଜଗନ୍ନାଥଙ୍କ ପାଇଁ ଅନେକ ଭୋଗ ଭାର ଆଦି ନେଇ ଯାଇଥାନ୍ତି । କୌଣସି ଏକ ବର୍ଷ ଏକାଦଶୀ ତିଥିରେ ବାହୁଡ଼ା ଯାତ୍ରା ଦେଖିବାକୁ ଗୋଲରାଗଡରୁ ଘୋଡ଼ା ସାହାର୍ଯ୍ୟରେ ପୁରୀ ଯିବା ସମୟରେ ଗୋଧନପଡା ନିକଟରେ ବର୍ଷା ,ଝଡ ତୋଫାନ ଆରମ୍ଭ ହୋଇଗଲା । ଯାହା ଦ୍ବାରା ସାମନ୍ତରାଜା ପୁରୀ ଯାଇପାରିଲେନି । ବାହୁଡ଼ା ଯାତ୍ରା ଦେଖିବା ଅସମ୍ଭବ ହେଲା । ସେ ସେଠାରୁ ଗୋଲରାଗଡ ଫେରିଗଲେ। ରାତିସାରା ନିର୍ଜଳ ଉପବାସ ରହି ଜଗନ୍ନାଥଙ୍କୁ ଧ୍ୟାନ କରି ଶୋଇ ପଡିଲେ । ରାତିରେ ତାଙ୍କୁ ଭଗବାନ ଶ୍ରୀ ଜଗନ୍ନାଥଙ୍କର ସ୍ୱପ୍ନାଦେଶ ହେଲା । ତୁମେ ଯାଉଥିବା ବାଟରେ ଯେଉଁଠି ଏକ ଶୈବ ମନ୍ଦିର ଅଛି। ଯାହା ମୁକ୍ତେଶ୍ଵର ମହାଦେବ ନାମରେ ପୁଜା ପାଉଥିଲେ। ସେଠାରେ ଏକ ବାଘଡିଆଁ ପୋଖରୀ ଓ ଏକ ବାଲିକୁଦ ଅଛି । ସେହି କୁଦ ଉପରୁ ତୁମେ ମୋର ନୀଳଚକ୍ର କୁ ଦର୍ଶନ କରି ମୋତେ ଦର୍ଶନ କରିବା ସହ ସୌଭାଗ୍ୟ ଅର୍ଜନ କରିପାରିବ । ତା ପରଦିନ ଅର୍ଥାତ୍ ସୁନାବେଶ ଦିନ ରାଜା ଉକ୍ତ କୁଦକୁ ଯାଇ ଜଗନ୍ନାଥଙ୍କ ଶ୍ରୀମନ୍ଦିର ନୀଳଚକ୍ର ଦର୍ଶନ କରି ପୂଜାର୍ଚ୍ଚନା ଓ ଭୋଗ କରି ଜଗନ୍ନାଥଙ୍କ ଆଶୀର୍ବାଦ କୃପା ଲାଭ କଲେ । ଉକ୍ତ ଦିନଠାରୁ ସେହି ବାଲିକୁଦ ଦର୍ଶନୀ ବନ୍ତ ଭାବେ ପ୍ରଖ୍ୟାତ । ପ୍ରତିବର୍ଷ ବାହୁଡ଼ା ଏକାଦଶୀ ଓ ସୁନାବେଶ ଦିନ ଏହି ବନ୍ତ ଉପରେ ନିକଟ ଅଞ୍ଚଳର ସମସ୍ତ ପରିବାର ଭୋଗ କରିବା ସହିତ ନଡ଼ିଆ ବାଡେଇ ଥାଆନ୍ତି। ଯାହା ଅମୁଣିହା ଭୋଗ ଭାବେ ଜଣା । ଏବେ ମଧ୍ୟ ଏହି ପ୍ରଥା ଚାଲିଆସୁଥିବା କୁହନ୍ତି ସାମାଜିକ କର୍ମୀ ଜ୍ଞାନ ରଞ୍ଜନ ବିଶ୍ବାଳ। ଦର୍ଶନୀ ବନ୍ତ ରେ ଶ୍ରୀ ଶ୍ରୀ ଜଗନ୍ନାଥ କଳକୀ ଯୋଗାଶ୍ରମ ନାମରେ ଏକ ଆଶ୍ରମ ଥିଲା । ଯାହା ବାନା ବାବା ଙ୍କ ତତ୍ତ୍ଵାବଧାନରେ ରହିଥିଲା । ରାଜ୍ୟ ସରକାର ଙ୍କ ଜଙ୍ଗଲ ବିଭାଗ ତାଙ୍କୁ ସେଠାରୁ ବିତାଡିତ କରିବା ସହିତ ମଠ/ଆଶ୍ରମ କୁ ଉଚ୍ଛେଦ କରିଛି। ତେବେ ଦର୍ଶନୀ ବନ୍ତ ଏକ ଐତିହାସିକ ଓ ଦର୍ଶନୀୟ ସ୍ଥାନ ଭାବରେ ବେଶ ଖ୍ୟାତି ଅର୍ଜନ କରିଥିବା ବେଳେ ଏହି ସ୍ଥାନ ମହାପ୍ରଭୂ ଶ୍ରୀ ଜଗନ୍ନାଥ ଙ୍କ ଭୋଗ ଅର୍ପଣ ସ୍ଥାନ ଭାବେ ପରିଚିତ ହୋଇ ରହି ଆସିଛି କାହିଁ କେତେ କାଳରୁ । ଜୟ ଜଗନ୍ନାଥ। ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ