ଚତୁର୍ଦ୍ଧା ବିଗ୍ରହଙ୍କ ରାଧା ଦାମୋଦର ବା ରାଈ ଦାମୋଦର ବେଶ

ସନ୍ତୋଷ କୁମାର ଦାଶ

ପୁରୀ ଶ୍ରୀ ମନ୍ଦିର ରେ ବାର ମାସରେ ତେର ପର୍ବ ପାଳନ ହୋଇ ଆସୁଥିବା ବେଳେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ଶ୍ରୀ ବିଗ୍ରହ ମାନେ ବର୍ଷ ସାରା ବିଭିନ୍ନ ବେଶରେ ସଜ୍ଜିତ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି। ପବିତ୍ର କାର୍ତ୍ତିକ ମାସରେ ବିଷ୍ଣୁ ଙ୍କୁ ଦାମୋଦର ନାମ ରେ ପୂଜା କରାଯାଏ। କାର୍ତ୍ତିକ ସବୁ ଠାରୁ ପବିତ୍ର ମାସ ଓ ବିଷ୍ଣୁଙ୍କର ଅତିପ୍ରିୟ ମାସ। ଏଣୁ ପ୍ରତିବର୍ଷ ଆଶ୍ୱିନ ଶୁକ୍ଳ ଏକାଦଶୀ ଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ଶ୍ରୀମନ୍ଦିର ର ରତ୍ନସିଂହାସନ ରେ ଶ୍ରୀବିଗ୍ରହ ମାନଙ୍କ ର ରାଧା ଦାମୋଦର ବା ରାଇ ଦାମୋଦର ବେଶ ଅନୁଷ୍ଠିତ ହୋଇଥାଏ। ଶ୍ରୀ ମନ୍ଦିର ସ୍ୱତ୍ୱଲିପି ଅନୁଯାୟୀ ଶ୍ରୀ ମନ୍ଦିରରେ କାର୍ତ୍ତିକ ମାସରେ ରାତ୍ର ଦୁଇଘଡ଼ି ଥାଇ ମଙ୍ଗଳ ଆଳତି ଓ ଅବକାଶ ନୀତି ଶେଷ ହେବା ପରେ ଶ୍ରୀବିଗ୍ରହମାନଙ୍କର ରାଧା ଦାମୋଦର ବେଶ ଅନୁଷ୍ଠିତ ହୋଇଥାଏ। ଠାକୁର ମାନେ ଏହି ବେଶରେ ବାଳ ଭୋଗ ପର୍ଯ୍ୟନ୍ତ ରହନ୍ତି । ଏହି ବେଶରେ ଥାଇ ଶ୍ରୀଜୀଉଙ୍କର ରୋଷ ହୋମ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ଗୋପାଳ ବଲ୍ଲଭ ଭୋଗ, ସକାଳ ଧୂପ ଓ ବାଳ ଭୋଗ ହୋଇଥାଏ । ବାଳଭୋଗ ଛେକ ଆସିବା ପରେ ମୁଦିରସ୍ତ ସେବକ ଶ୍ରୀ ଅଙ୍ଗ ରେ ପ୍ରସାଦ ଲାଗି କରନ୍ତି ଓ ବାଳ ଭୋଗ ସରିବା ପରେ ତିନି ବାଡ଼ରେ ବନ୍ଦାପନା ହୋଇ, ବେଶ ଓଲାଗି ହୋଇଥାଏ । ଏହି ବେଶରେ ଫୁଲ ନିର୍ମିତ ଗୁଣା, ଚିତା ଓ ଅଧରମାଳା ଓ ବିଭିନ୍ନ ପ୍ରକାର ସୁବର୍ଣ୍ଣ ଅଳଙ୍କାର ଠାକୁରମାନଙ୍କୁ ଲାଗି କରାଯାଇଥାଏ । ଏହି ବେଶରେ ଶ୍ରୀଜଗନ୍ନାଥ ଓ ଶ୍ରୀ ବଳଭଦ୍ର ତ୍ରିକଚ୍ଛ ପରିଧାନ କରିଥାନ୍ତି। ଦୁଇ ହସ୍ତରେ ସୁବର୍ଣ୍ଣ ନଳୀଭୁଜ (ନଳୀଭୂଜରେ ଆୟୁଧର ଚିତ୍ର ଥାଏ), ତ୍ରିମୁଣ୍ଡିରେ ବାଉଁଶ ପାତିଆ ଓ କନାରେ ନିର୍ମିତ ଚୂଳ, ଚୂଳର ଅଗ୍ରଭାଗ ରେ ରୂପା ଚନ୍ଦ୍ରିକା, କର୍ଣ୍ଣଦେଶରେ କୁଣ୍ଡଳ, କଟିଦେଶରେ ଓଡ଼ିଆଣୀ କମରପଟି, କଣ୍ଠରେ ସୁବର୍ଣ୍ଣ ଘାଗଡ଼ା ମାଳି, କପାଳରେ ତିଳକ, ଚନ୍ଦ୍ର, ସୂର୍ଯ୍ୟ ଏବଂ ରାମାନନ୍ଦୀ ଚିତା ଇତ୍ୟାଦି ସୁବର୍ଣ୍ଣ ଅଳଙ୍କାରରେ ଶ୍ରୀଜୀଉମାନେ ଭୂଷିତ ହୋଇଥାନ୍ତି । ମସ୍ତକରେ ଡଡ଼ଗି ସହିତ ବିଭିନ୍ନ ପ୍ରକାର ପୁଷ୍ପ ଅଳଙ୍କାର, ସୁବର୍ଣ୍ଣ ଅଳଙ୍କାର ସହ ପାଟଶାଢ଼ୀ, ଫୁଟା, ଶିରୀ କପଡ଼ା, ପହରଣ, ବଳା, ଅଧରବଳା ଓ ଉତ୍ତରୀୟ ବସ୍ତ୍ର ଲାଗି ହୁଏ । ଏହି ବେଶରେ ବିଭିନ୍ନ ବାରରେ ବିଭିନ୍ନ ରଙ୍ଗର ପାଟବସ୍ତ୍ର ଜୀଉମାନେ ଲାଗି ହୁଅନ୍ତି । ରବିବାର ନାଲି, ସୋମବାର ଧଳାରେ କଳାଛିଟ, ମଙ୍ଗଳବାର ବାରପାଟିଆ, ବୁଧବାର ନୀଳ, ଗୁରୁବାର ହଳଦିଆ, ଶୁକ୍ରବାର ଶୁକ୍ଳ ଓ ଶନିବାର କଳାରଙ୍ଗ ପାଟବସ୍ତ୍ର ଲାଗି ହୁଅନ୍ତି । ରାଇ ଦାମୋଦର ବେଶ ସମ୍ପର୍କ ରେ ଅନେକ ଲୋକ କଥା ରହିଛି। ଶ୍ରୀ ଜଗନ୍ନାଥ ବା ଭଗବାନ ବିଷ୍ଣୁଙ୍କର କାର୍ତ୍ତିକ ମାସର ନାମ ହେଉଛି ‘ଦାମୋଦର’। ଏହାର ସଂପର୍କ ରହିଛି ଦ୍ୱାପର ଯୁଗର ଶ୍ରୀକୃଷ୍ଣଙ୍କ ସହିତ। କାରଣ ‘ଦାମ’ର ଅର୍ଥ ରଜ୍ଜୁ ବା ଦଉଡ଼ି। କୁବେରଙ୍କ ପୁତ୍ର ନଳ କୁବେର ଓ ମଣିଗ୍ରୀବ ଧନଗର୍ବରେ ଅନ୍ଧ ଓ ମଦମତ୍ତ ହୋଇ କର୍ତ୍ତବ୍ୟ ,ଅକର୍ତ୍ତବ୍ୟ ,ଜ୍ଞାନ ଭୁଲି ଯାଇଥିବାରୁ ନାରଦ ସେମାନଙ୍କୁ ଅଭିଶାପ ଦେଇଥିଲେ। ତାହା ଫଳରେ ଦୁହେଁ ଦୁଇଟି ଅର୍ଜୁନ ବୃକ୍ଷ ରୂପେ ମର୍ତ୍ତ୍ୟରେ ଜାତ ହୋଇଥିଲେ। ଶ୍ରୀ କୃଷ୍ଣ ସେହି ବୃକ୍ଷ ଦୁଇଟିକୁ ଉପାଡ଼ିଦେବା ଫଳରେ ଦୁହିଁଙ୍କର ଗର୍ବ ଭାଙ୍ଗିଲା ଏବଂ ସେମାନେ ବୃକ୍ଷତ୍ୱରୁ ମୁକ୍ତି ଲାଭ କଲେ। ବ୍ୟାସଦେବଙ୍କ ସଂସ୍କୃତ ‘ଶ୍ରୀମଦ୍ଭାଗବତ’ ଅନୁସାରେ, ଏହା ଥିଲା ଶ୍ରୀକୃଷ୍ଣଙ୍କ ପିଲାଦିନର କଥା। ଯଶୋଦା ତାଙ୍କ ଅଣ୍ଟାରେ ଦଉଡ଼ି ବାନ୍ଧି, ସେହି ଦଉଡ଼ିକୁ ଗୋଟିଏ ଢିଙ୍କି ସହିତ ବାନ୍ଧି ଦେଇଥିଲେ। ସେହି ଯାଆଁଳା ଅର୍ଜୁନ ବୃକ୍ଷର ମଝିରେ ଶ୍ରୀକୃଷ୍ଣ ଗଳି ଚାଲିଯିବା ପରେ, ଢିଙ୍କିଟି ଦୁଇ ଅର୍ଜୁନ ବୃକ୍ଷରେ ଲାଗି ଯାଇଥିଲା। ସେ ଅଣ୍ଟାରେ ବନ୍ଧା ହୋଇଥିବା ଦଉଡ଼ିଟିକୁ ଜୋର୍‌ରେ ଟାଣିଦେବା ଫଳରେ ବୃକ୍ଷ ଦୁଇଟି ଉପୁଡ଼ି ପଡ଼ିଲା। ଅଣ୍ଟା ବା ‘ଉଦର’ରେ ଦଉଡ଼ି ବା ‘ଦାମ’ ବନ୍ଧା ହୋଇଥିବାରୁ ଶ୍ରୀକୃଷ୍ଣ ହେଲେ ‘ଦାମୋଦର। ଏହି ଦୃଷ୍ଟିରୁ ଶ୍ରୀମନ୍ଦିରର ରତ୍ନସିଂହାସନରେ ଶ୍ରୀକୃଷ୍ଣ ଓ ବଳରାମଙ୍କର ‘ରାଧା ଦାମୋଦର’ ବେଶ ବେଳେ, ସେମାନଙ୍କର ଅଣ୍ଟାରେ ସୁନାର ଦଉଡ଼ି ବା ଅଣ୍ଟାପଟି ବନ୍ଧା ହୋଇଥାଏ ।ଏହି ବେଶରେ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ର ତ୍ରିକଚ୍ଛ ବସ୍ତ୍ର ପରିଧାନ କରନ୍ତି। ହସ୍ତରେ ଲାଗି ହୁଏ ସୁବର୍ଣ୍ଣର ନଳୀଭୁଜ। ବାଉଁଶ ପାତିଆ ଓ କନାରେ ନିର୍ମିତ ଚୂଳ ତ୍ରିମୁଣ୍ଡି ଉପରେ ରହିଥାଏ ଏବଂ ଚୂଳର ଅଗ୍ରଭାଗରେ ଚନ୍ଦ୍ରିକା ଶୋଭାପାଏ। କର୍ଣ୍ଣରେ କୁଣ୍ଡଳ, ଶ୍ରୀମୁଖରେ ତିଳକ ଆଦିରେ ବଡ଼ଠାକୁର ବଳଭଦ୍ର ଓ ମହାପ୍ରଭୁ ଶ୍ରୀଜଗନ୍ନାଥ ବିଭୂଷିତ ହୁଅନ୍ତି। ଏହି ବେଶ ର ନାମ ମଧ୍ୟ ରାଧାଦାମୋଦର ବେଶ। ଭକ୍ତଚରଣ ଦାସଙ୍କ ‘ମଥୁରା ମଙ୍ଗଳ’ ଓ ଅନ୍ୟ କେତେକ କାବ୍ୟ ରେ ଶ୍ରୀରାଧା ଶ୍ରୀକୃଷ୍ଣଙ୍କୁ ବିଭିନ୍ନ ବେଶ କରିବାର ବର୍ଣ୍ଣନା ଅଛି। ସମ୍ଭବତଃ ଶ୍ରୀରାଧାଙ୍କର ପ୍ରିୟ ବେଶ ହୋଇଥିବାରୁ ଏହାର ନାମ ରାଧା ଦାମୋଦର ବେଶ ହୋଇଛି। ଏହି ମାସରେ ମହିଳାମାନେ କରୁଥିବା ‘ରାଈ-ଦାମୋଦର ବ୍ରତ’ରେ ‘ଦାମୋଦର’ଙ୍କ ସହିତ ‘ରାଧା’ ବା ‘ରାଈ’ଙ୍କୁ ଏକତ୍ର ପୂଜା କରାଯାଇ ଥାଏ। ପୌରାଣିକ କଥା ଅନୁଯାୟୀ, ଅକୃର ମଥୁରାକୁ ଯିବା ସମୟରେ ଯମୁନା ନଦୀରେ ସ୍ନାନ କରୁଥିବା ବେଳେ ଜଳ ମଧ୍ୟରେ ଏହି ‘ରାଧା ଦାମୋଦର’ ବେଶ ଦର୍ଶନ କରିଥିଲେ । ଏଣୁ ପ୍ରତିବର୍ଷ ଶ୍ରୀ ବିଗ୍ରହ ମାନଙ୍କୁ
ରାଧା ଦାମୋଦର ବେଶ ରେ ସଜ୍ଜିତ କରାଯାଇଥାଏ। ଏହି ବେଶ କୁ ନେଇ ଅନ୍ୟ ଏକ ଲୋକକଥା ରହିଛି। ବୟସାଧିକ କାରଣରୁ ଶ୍ରୀ ମନ୍ଦିର ର ବଡ଼ପଣ୍ଡା ଆଉ ପାଳି ଖଟିବାକୁ ଯାଇ ପାରିଲେ ନାହିଁ। ମନରେ ବହୁତ କଷ୍ଟ ହେଲା ପ୍ରଭୁଙ୍କୁ ସେବା ଆଉ କରିପାରିବେ ନାହିଁ ବୋଲି। ଦିନେ ରତ୍ନସିଂହାସନ ତଳେ ଠିଆ ହୋଇ କହିଲେ ପ୍ରଭୁ ଯଦି ମୋ ସେବାରେ କେଭେଁ କୌଣସି ତୃଟି ରହିଥାଏ,ହେ କୃପାସିନ୍ଧୁ ମୋତେ କ୍ଷମା କରିବେ। ଏତିକି କହି ପଣ୍ଡାଏ ନିଜ ଘରକୁ ଫେରିଲେ। ମହାପ୍ରଭୁ ଶ୍ରୀ ଜଗନ୍ନାଥ ବଡପଣ୍ଡା ଙ୍କୁ ଦେଖାଦେଇ କହିଲେ ମୁଁ ଜାଣେ ତୁମକୁ ଵହୁତ କଷ୍ଟ ହେଉଛି ଆଉ କାଲିଠାରୁ ଶ୍ରୀମନ୍ଦିରକୁ ଯିବ ନାହିଁ ବୋଲି । ଏତେ ଦିନ ଧରି ମୋର ମନଜାଣି ସେବାକଲ,ତୁମ ସେବାରେ ମୁଁ ଅତ୍ଯନ୍ତ ଖୁସି । ଏହି ଖୁସିରେ ତୁମେ ଯେଉଁ ବର ମାଗିବ ଦେବି, ମାଗ କି ବର ଦରକାର । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଠାରୁ ଏକଥା ଶୁଣି ବଡପଣ୍ଡା କହିଲେ ପ୍ରଭୁ ମୁଁ ତ ଆପଣଙ୍କୁ ମନଭରି ପ୍ରତିଦିନ ଦର୍ଶନ କଲି , ଏହାଠାରୁ ଆଉ କ’ଣ ଅଧିକ ପୁଣ୍ୟ ଅଛି ଯେ ମୁଁ ଆପଣଙ୍କୁ ମାଗିବି ? ବଡପଣ୍ଡା ଜଗନ୍ନାଥଙ୍କୁ କହିଲେ ମୋର ଗୋଟାଏ ଝିଅ ଅଛି ତା’ର ନାମ ରାଈ ।ପିଲାଦିନରୁ ସେ ଶ୍ରୀକୃଷ୍ଣ ଙ୍କ ଫଟୋଟିଏ ଧରି ସେବା ପୂଜା କରିବା ସଙ୍ଗେ ସଙ୍ଗେ ତାଙ୍କରି ନାମ ହିଁ ଜପୁଛି । ଆପଣ ଥରେ ତାକୁ ଦର୍ଶନ ଦିଅନ୍ତୁ । ଏକଥା ଶୁଣି ପ୍ରଭୁ ଶ୍ରୀ ଜଗନ୍ନାଥ ବଡପଣ୍ଡାଙ୍କୁ କହିଲେ ହଉ ଠିକ୍ ଅଛି ,କାଲି ତୁମ ଝିଅ ରାଈକୁ ମୁଁ ଦର୍ଶନ ଦେବି । ବଡପଣ୍ଡା(ବାପା)ଙ୍କ ଠାରୁ ଏକଥା ଶୁଣି ଝିଅ(ରାଈ) ଆନନ୍ଦରେ ନାଚି ଉଠିଲା । ତହିଁ ପର ଦିନ ସକାଳେ ରାଈ ନିଜର ନିତ୍ଯକର୍ମସାରି ଠାକୁର ଘରକୁ ଯାଇ ଠାକୁରଙ୍କ ନିତ୍ଯକର୍ମ ସାରି ଶ୍ରୀକୃଷ୍ଣଙ୍କ ଫଟୋକୁ ସଫା ସୁତୁରା କରି ଧୂପଦୀପ ଦେଇ ପୂଜା କରିବା ସହିତ ନ ଖାଇ ନ ପିଇ ପ୍ରଭୁଙ୍କ ନାମ ଜପିବାକୁ ଲାଗିଲା । ମନରେ ଥିଲା ପ୍ରଭୁ ଦର୍ଶନ ର ପ୍ରବଳ ଇଛା । ଅର୍ଦ୍ଧରାତ୍ର ରେ ଶ୍ରୀ ଜଗନ୍ନାଥ ରାଈକୁ ଦେଖାଦେଇ କହିଲେ କି ବର ମାଗିବୁ ମାଗ ମୁଁ ଦେବି । ରାଈ କହିଲା ମୋର କେବଳ ଆପଣଙ୍କ ସାନିଦ୍ଧ୍ୟ ଅର୍ଥାତ୍ ଆପଣଙ୍କୁ ସ୍ବାମୀ ରୂପେ ପାଇବା ଇଚ୍ଛା। ମୋର ଏହି ଇଚ୍ଛା କୁ ପୂରଣ କରନ୍ତୁ ମହାପ୍ରଭୁ। ମୁଁ ଆପଣଙ୍କୁ ବିବାହ କରିବି । ଆପଣ ସବୁଦିନ ପାଇଁ ମୋର ସ୍ବାମୀ ହୋଇ ରହିବେ । ଜଗନ୍ନାଥ କହିଲେ ଏହା କିପରି ସମ୍ଭବ ହେବ ! ମୁଁ ଜଣେ ବିବାହିତ, ମୋର ସ୍ତ୍ରୀ ଅଛି । ତାଙ୍କର ନାମ ଲକ୍ଷ୍ମୀ । ଲକ୍ଷ୍ମୀଙ୍କ ସହିତ ମୁଁ ଶ୍ରୀ ମନ୍ଦିରରେ ରହୁଛି । ଏକଥା ଶୁଣି ରାଈ କହିଲା ,ମୁଁ ଆପଣଙ୍କର କିଛି କଥା ଶୁଣିବି ନାହିଁ, ପ୍ରଭୁ ! ଆପଣ ମୋତେ ଦେଖାଦେଲେ, ତେଣୁ ଆପଣଙ୍କୁ ମୁଁ ବିବାହ କରିବି ନଚେତ୍ ଆତ୍ମହତ୍ୟା କରିବି । ରାଈ ର ଏପରି ଜିଦ୍ ଆଗରେ ନିଜେ ଜଗନ୍ନାଥ ହାରମାନି ଗୋଟିଏ ସର୍ତ୍ତରେ ବିବାହ ପାଇଁ ରାଜି ହେଲେ । ସର୍ତ୍ତଟି ଥିଲା ତୁମେ ବିବାହ କଲା ପରେ ଶ୍ରୀମନ୍ଦିର କୁ ଯିବ ନାହିଁ କାରଣ , ଲକ୍ଷ୍ମୀ ତୁମକୁ ଶ୍ରୀମନ୍ଦିରରେ ପ୍ରବେଶ କରିବା ପାଇଁ ରାଜି ହେବେ ନାହିଁ । ଜଗନ୍ନାଥଙ୍କ ସର୍ତ୍ତରେ ରାଈ ରାଜି ହେବାରୁ ସେହି ରାତ୍ରରେ ବିବାହ କାର୍ଯ୍ୟ ସମ୍ପନ୍ନ କରି ଶ୍ରୀମନ୍ଦିରକୁ ଫେରିବା ବେଳେ ମହାପ୍ରଭୂ ଦେବୀ ଲକ୍ଷ୍ମୀ ଙ୍କ ହାବୁଡ଼ ରେ ପଡିଗଲେ। ମା’ ଲକ୍ଷ୍ମୀ ଜଗନ୍ନାଥ ଙ୍କୁ ପଚାରିଲେ ରାତ୍ରରେ କେଉଁ ଆଡେ ଯାଇଥିଲ । ପୁଣି ଗୋଡରେ ତୁମର ଅଳତା,ଦେହରେ ହଳଦି, ଅଗୁରୁ ଓ ଚନ୍ଦନର ମହମହ ବାସ୍ନା । ହଠାତ୍ ଲକ୍ଷ୍ମୀଙ୍କ କଥାରେ ହଡ଼ବଡ଼ ହୋଇ ପ୍ରଭୂ କହିଲେ ସ୍ବର୍ଗପୁରରେ ଇନ୍ଦ୍ର ଓ ସଚ୍ଚିଙ୍କର ବିବାହ କାର୍ଯ୍ୟ ସମ୍ପନ୍ନ ହେଲାତ ମୁଁ ସେଠାକୁ ମାର୍କୁଣ୍ଡି ହୋଇ ଯାଇଥିଲି । ମହାଲକ୍ଷ୍ମୀଙ୍କୁ ଏହା କହି ସିଂହାସନ ରେ ବିଜେ ହେଲେ ଜଗନ୍ନାଥ । ଜଗନ୍ନାଥ ଙ୍କ କଥାନୁସାରେ ବିବାହ ପରେ ରାଈ ବାପଘରେ ରହୁଥାଏ । ଏହିପରି କିଛି ଦିନ ଗଲାପରେ ଦିନେ ନାରଦ ବଡପଣ୍ଡାର ଝିଅ ରାଈକୁ ଦେଖି ପଚାରିଲେ କିହୋ ବଡପଣ୍ଡା ଝିଅକୁ ତ ବିବାହ କରିଦେଲ ହେଲେ ଜ୍ବାଇଁ କାହାକୁ କଲକି ? ବଡପଣ୍ଡା କହିଲେ ଜ୍ବାଇଁ ହେଉଛନ୍ତି ସେହି ଶ୍ରୀ ଜଗନ୍ନାଥ । ଶ୍ରୀମନ୍ଦିରକୁ ଯିବାପାଇଁ ଝିଅକୁ ମନାକରିଛନ୍ତି ମହାପ୍ରଭୁ। କାରଣ ଲକ୍ଷ୍ମୀ ଠାକୁରାଣୀ ଝିଅକୁ ଶ୍ରୀମନ୍ଦିର ଭିତରକୁ ପୁରାଇ ଦେବେ ନାହିଁ । ଏହାଶୁଣି ନାରଦ କହିଲେ ମୁଁ ତୁମକୁ ଗୋଟିଏ ବାଟ କହିବି ତୁମେ ମାନିଲେ ସବୁ ଠିକ୍ ହୋଇଯିବ । ବାଟ ଟି ହେଲା ରାଈ ସକାଳୁ ଉଠି ଶ୍ରୀମନ୍ଦିର ଯାଇ ଲକ୍ଷ୍ମୀ କରୁଥିବା କାମ ସବୁ କରିବ,ଯଦି ଲକ୍ଷ୍ମୀ ତାଙ୍କୁ ଦେଖି ପଚାରନ୍ତି ତୁମେ ସତକଥା କହିଦେବ । ନାରଦଙ୍କ କଥାରଖି ରାଈ କାର୍ଯ୍ୟ କରି ଚାଲିଲେ । ଲକ୍ଷ୍ମୀଙ୍କ ମନରେ ସନ୍ଦେହ ହେବାରୁ ଧରିବା ପାଇଁ ଜଗିଲେ । ଶେଷରେ ରାଈକୁ ଧରି ଲକ୍ଷ୍ମୀ ପଚାରିବାରୁ ରାଈ ସବୁ ସତକଥା କହିଦେବା ସହିତ ନାରଦଙ୍କ କଥାରେ କାମ କରୁଥିବାର କହିଲେ । ରାଈ ଠାରୁ ଏ କଥା ଶୁଣି ଲକ୍ଷ୍ମୀ ଜୋରରେ ପାଟି କରିବାରୁ ଜଗନ୍ନାଥ ଓ ବଳଭଦ୍ର ଆସି ଲକ୍ଷ୍ମୀଙ୍କ ପାଖରେ ପହଞ୍ଚିଲେ । ବଡ଼ଭାଇ ଘଟଣା ବାବଦରେ ଜଗନ୍ନାଥକୁ ପଚାରିବାରୁ ରାଈକୁ ବିବାହ କରିଥିବା କଥା ବଡ଼ଭାଇଙ୍କ ଆଗରେ ମାନିଗଲେ । ଠିକ୍ ଏତିକି ବେଳେ ନାରଦ ଆସି ସେଠାରେ ପହଞ୍ଚିଗଲେ । ବଳଭଦ୍ର କିଛି ଉପାୟ ନ ପାଇ ନାରଦକୁ ଏହାର ସମାଧାନ ପାଇଁ ବାଟ ବାହାର କରିବା ପାଇଁ କହିଲେ । ନାରଦ କହିଲେ ଯେ ଏହାର ଗୋଟିଏ ଉପାୟ ଅଛି । ସେହି ଉପାୟଟି ହେଲା ଜଗନ୍ନାଥ ବର୍ଷକୁ ମାତ୍ର ୨୫ ଦିନ ରାଈ ପାଖରେ ରହିବେ ଆଉ ବାକି ଦିନ ତକ ଲକ୍ଷ୍ମୀଙ୍କର ସ୍ବାମୀ ହୋଇ ରହିବେ । ସେହି ସମୟଟି ହେଲା ଆଶ୍ଵିନ ମାସ ଶୁକ୍ଳ ଏକାଦଶୀ ଠାରୁ ୨୫ ଦିନ ମାତ୍ର । ସେହି ନିଷ୍ପତ୍ତି ପ୍ରକାରେ ପ୍ରଭୁ ଜଗନ୍ନାଥ ପ୍ରତିବର୍ଷ ଆଶ୍ୱିନ ମାସ ଶୁକ୍ଳ ଏକାଦଶୀ ଠାରୁ ୨୫ ଦିନ ରାଈ ଦାମୋଦର ବେଶ ହୋଇ ଆସୁଛନ୍ତି । ତେଣୁ ପ୍ରଭୁ ଜଗନ୍ନାଥଙ୍କର ଦୁଇ ଗୋଟି ପତ୍ନୀ, ବଡ଼ହେଲେ ମା’ ଲକ୍ଷ୍ମୀ ଆଉ ସାନହେଲେ “ରାଈ” ।
ନାରଦ କହିଛନ୍ତି ଯେଉଁ ବ୍ୟକ୍ତି କାର୍ତ୍ତିକ ବ୍ରତ ନିଷ୍ଠାର ସହିତ ପାଳନ କରିବ ଓ ରାଈ ଦାମୋଦରଙ୍କୁ ଉପାସନା କରିବ ସେ ନିଶ୍ଚୟ ବୈକୁଣ୍ଠ ପ୍ରାପ୍ତି ହେବ।ଏହି ପଚିଶି ଦିନ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ସକାଳ ଧୂପ ପରେ ଏକ ଅତିରିକ୍ତ ଭୋଗ ସମର୍ପଣ ହୁଏ। ଏହା ବାଳଭୋଗ ନାମରେ ପରିଚିତ। ଏଥିରେ ଖଇ, ନଡ଼ିଆ ପାତି ଓ କୋରା ଭୋଗ ହୋଇଥାଏ। ଜୟ ଜଗନ୍ନାଥ ସ୍ଵାମୀ

ତୁଳସୀପୁର। ପୁରୀ
୯୪୩୯୩୬୧୮୮୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ