ଚନ୍ଦନିମାଲ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ
କୁଚିଣ୍ଡା, (ରିଙ୍କୁ କୁସୁମ):ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଅନ୍ତର୍ଗତ ଚନ୍ଦନିମାଲ ଗ୍ରାମ ପଞ୍ଚାୟତ ସଦରରେ ଥିବା ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୭୫ତମ ବାର୍ଷିକୋତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ମୋ ସ୍କୁଲ ଅଭିଯାନ ସଭାପତି ସତ୍ୟନାରାୟଣ ପଟେଲଙ୍କ ତତ୍ତ୍ୱାବଧାନ ତଥା ପ୍ରଧାନ ଶିକ୍ଷକ ଭୁବନେଶ୍ୱର ବେହେରାଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସମ୍ବଲପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁମୁଦିନୀ ନାୟକ ଯୋଗ ଦେଇ ଭଲ ମଣିଷ ହେବା ପାଇଁ ଗୁରୁ ଓ ପିତାମାତାଙ୍କ ଆଶ୍ରୟ ନେବାପାଇଁ ଉପଦେଶ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ କୁଚିଣ୍ଡା ପ୍ରକଳ୍ପ ପ୍ରଶାସକ ହେମସାଗର ଭୋଇ ଧ୍ୟେୟନିଷ୍ଠା ଓ ନିରନ୍ତର ସାଧନା ହିଁ ସଫଳତାର ମନ୍ତ୍ର ବୋଲି ନିଜ ଜୀବନର ଉଦାହରଣ ଦେଇ ମାର୍ଗଦର୍ଶନ କରିଥିଲେ। ସମ୍ମାନନୀୟ ଅତିଥି ଭାବେ କୁଚିଣ୍ଡା ଜିଲ୍ଲା ପରିଷଦ ଜୋନ୍ ୧ର ସଭ୍ୟ ଅଜିତ କୁମାର ମହାପାତ୍ର, ସମ୍ବଲପୁର ସାଂସଦଙ୍କ ମନୋନୀତ ପ୍ରତିନିଧି ରୁଦ୍ରପ୍ରତାପ ଦେଓ, ଅବସରପ୍ରାପ୍ତ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୌରାଙ୍ଗ କୁସୁମ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସଞ୍ଜୀବ କୁମାର ନାୟକ ବିଭିନ୍ନ ଉପାଦେୟ ପ୍ରସଙ୍ଗ ଉପସ୍ଥାପନ କରି ଆଶିର୍ବଚନ ପ୍ରଦାନ କରିଥିଲେ। ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଏଭଳି କାର୍ଯ୍ୟକ୍ରମ ଆୟୋଜନକୁ ସମସ୍ତ ଅତିଥି ମାନେ ପ୍ରଶଂସା କରିଥିଲେ।ବରିଷ୍ଠ ସହକାରୀ ଶିକ୍ଷୟତ୍ରୀ କଲ୍ୟାଣୀ ପଟେଲ କାର୍ଯକ୍ରମ ସଂଯୋଜନା କରିଥିବା ବେଳେ ସହକାରୀ ଶିକ୍ଷୟତ୍ରୀ ସୁଶ୍ରୀ କ୍ରୀଷ୍ଣା ବରିହା ଧନ୍ୟବାଦ ଅର୍ପଣ କରିଥିଲେ। ସହକାରୀ ଶିକ୍ଷକ ବିଶ୍ବରଂଜନ ନାୟକ ଏବଂ ହରେକୃଷ୍ଣ ଖର୍ସେଲ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରୀୟ ସହଯୋଗ କରିଥିଲେ। ଏହି ଅବସରରେ ଛାତ୍ରାବାସ ସହାୟକ କିଶୋର ନାଏକ ଏବଂ ନିରାକାର ନାଏକ ତଥା ମଧ୍ୟାହ୍ନ ଭୋଜନ ପାଚିକା ଓ ସହାୟିକା ତପସ୍ଵିନୀ ପଟେଲ, ଅନୁପମା କଉଡ଼ି ଏବଂ ଦୁଲେଶ୍ୱରୀ ପଟେଲଙ୍କ ସମ୍ବର୍ଦ୍ଧିତ କରାଯାଇଥିଲା।ପୁଣି, ବିଦ୍ୟାଳୟ କୋଠା ନିର୍ମାଣ ପାଇଁ ନିଜସ୍ବ ଜମିଦାନ କରିଥିବା ସମସ୍ତ ଜମିଡାତା ପରିବାରର ଉତ୍ତର ଦାୟଦ ମାନଙ୍କୁ ମଞ୍ଚରେ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ। ଅପରାହ୍ନରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଭବ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉତ୍ସବରେ କୁଚିଣ୍ଡା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ପ୍ରଶାନ୍ତ କୁମାର ଦାଶ ଓ ଅନ୍ୟାନ୍ୟ କର୍ମକର୍ତ୍ତା, ବକ୍ସମା କ୍ଲଷ୍ଟର ସି ଆର ସି ସି ଶରତ ପଶାୟତ ସମେତ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ, ଶତାଧିକ ଅଭିଭାବକ ଅଭିଭାବିକା, ପୁରାତନ ଛାତ୍ରଛାତ୍ରୀ, ସ୍ଥାନୀୟ ଗ୍ରାମବାସୀ, ଶିକ୍ଷାପ୍ରେମୀ ଓ ଶୁଭେଚ୍ଛୁ ଉପସ୍ଥିତ ଥିଲେ।ଉତ୍ସବରେ ବାର୍ଷିକ କ୍ରୀଡ଼ା ଓ ସାହିତ୍ୟିକ ତଥା ଜ୍ଞାନାତ୍ମକ ଓ ସାଂସ୍କୃତିକ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ହସ୍ତରେ ପୁରସ୍କୃତ କରାଯାଇଥିଲା।