‘ଚନ୍ଦ୍ରଭାଗା’ର ୩୫ତମ ସ୍ୱନକ୍ଷତ୍ର ସଂସ୍କରଣର ପ୍ରସ୍ତୁତି ବୈଠକ
ବାଲେଶ୍ୱର, (ସରୋଜ ପଣ୍ଡା):ଜାତୀୟସ୍ତରୀୟ ଚନ୍ଦ୍ରଭାଗୋତ୍ସବର ୩୫ ତମ ସଂସ୍କରଣର ସ୍ୱନକ୍ଷତ୍ର ପାଳନ ନିମିତ୍ତ ପ୍ରସ୍ତୁତି ବୈଠକ ଦୁଇଟି ପର୍ଯ୍ୟାୟରେ ସ୍ଥାନୀୟ ଷ୍ଟେସନ କ୍ଲବ୍ ପରିସରରେ ‘ଚନ୍ଦ୍ରଭାଗା’ର ଅନ୍ୟତମ ଉପଦେଷ୍ଟା ଶିକ୍ଷାବିତ୍ ଡ. ଭାଗବତ ପ୍ରସାଦ ପାଣିଗ୍ରାହୀ ଓ ଜନଗଣର ଆଜୀବନ ସାଥୀ ‘ଚନ୍ଦ୍ରଭାଗା’ର ଶୁଭେଚ୍ଛୁ ଗୌରାଙ୍ଗ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସବୁ ବର୍ଷ ପରି ଏହି ଉତ୍ସବ ଆପାତତଃ ଡିସେମ୍ବର ମାସ ୨୮ ତାରିଖରୁ ଆରମ୍ଭ ହୋଇ ୨୦୨୫ ମସିହା ଜାନୁଆରୀ ୪ ତାରିଖ ପର୍ଯ୍ୟନ୍ତ ଜାତୀୟସ୍ତରରେ ସାରସ୍ୱତ ସାଂସ୍କୃତିକ ଜାଗରଣ ନିମିତ୍ତ ସପ୍ତାହ ବ୍ୟାପୀ ପାଳନ କରାଯିବାର ନିଷ୍ପତ୍ତି ଗ୍ରହଣ କରାଯାଇଛି । ‘ନାଚ୍’ ମିଳିତ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ଶିଶୁ କଳାକାରମାନଙ୍କର ପ୍ରତିଭା ଚୟନ, ‘ୟଙ୍ଗହାର୍ଟ’ ମିଳିତ ଆନୁକୂଲ୍ୟରେ ଆନ୍ତଃରାଜ୍ୟ ଚିତ୍ରକଳା କର୍ମଶାଳା ଓ ପ୍ରଦର୍ଶନୀ, ସର୍ବୋପରି ଆନ୍ତଃମହାବିଦ୍ୟାଳୟ ବହୁଭାଷୀ ନାଟ୍ୟ ପ୍ରତିଯୋଗିତା ଏବଂ ସାହିତ୍ୟର ସମସ୍ତ ବିଭାଗ-ଆଲୋଚନା ନୂଆ ପିଢ଼ିର ଛାତ୍ରଛାତ୍ରୀଙ୍କ ମଧ୍ୟରେ ପଠନ ମନୋଭାବ ବୃଦ୍ଧି କରିବା ଆଦି କାର୍ଯ୍ୟକ୍ରମର ପ୍ରସ୍ତାବ ଆଗତ କରାଯାଇ ଉପସ୍ଥିତ ସଦସ୍ୟ ବରିଷ୍ଠ ବୈଜ୍ଞାନିକ ତପନ କୁମାର ବିଶ୍ୱାଳ, ଡକ୍ଟର ଦିଲ୍ଲିପ ରଥ, ବରିଷ୍ଟ ଉପଦେଷ୍ଟା ନାଟ୍ୟାନୁରାଗୀ କୈଳାସ ଚନ୍ଦ୍ର ଦାସ, ବିଶିଷ୍ଟ ଚିତ୍ରଶିଳ୍ପୀ ତାପସ ରଂଜନ ପଣ୍ଡା, ନିତ୍ୟାନନ୍ଦ ସାହୁ, ମରୁତ୍ କୁମାର ରାଉତ ଏବଂ ଶିଶୁସାହିତ୍ୟିକ ନାଟ୍ୟକାର ପିତାମ୍ବର ଦାସ, ‘ଚନ୍ଦ୍ରଭାଗା’ର ଆଜୀବନ ସଦସ୍ୟ ସନ୍ତୋଷ କୁମାର ପଣ୍ଡା, ମିଡିଆ ସଂଯୋଜିକା ଜ୍ୟୋତିର୍ମୟୀ ଶତପଥୀ, କବୟିତ୍ରୀ କମଳିନୀ କାସ୍ତ, ସଂଯୁକ୍ତା ବିଶ୍ୱାଳ, ପ୍ରତିମା ପଣ୍ଡା, ସର୍ବୋପରି ‘ଚନ୍ଦ୍ରଭାଗା’ର ଉପଦେଷ୍ଟା କବୟିତ୍ରୀ ଯଶୋଧାରା ଦାସ ପ୍ରମୁଖ ଉପସ୍ଥିତ ରହି ଗତ ୩୫ ବର୍ଷ ଧରି ‘ଚନ୍ଦ୍ରଭାଗା’ର ଉତ୍ଥାନ ପତନ ସଂପର୍କିତ ଆଲୋଚନା କରିବା ସଂଗେସଂଗେ ବିଭିନ୍ନ ପ୍ରସ୍ତାବମାନ ରଖିଥିଲେ ।
ଏହି ଅବସରରେ ୩୫ତମ ‘ଚନ୍ଦ୍ରଭାଗୋତ୍ସବ’ର କୃତି-କୃତିତ୍ୱ ଆଧାରିତ ବହୁବିଧ ଫଟୋଚିତ୍ରଯୁକ୍ତ ଚନ୍ଦ୍ରଭାଗା ସଦସ୍ୟମାନଙ୍କ ସ୍ୱଉପଲବ୍ଧି ଅଭିମତାଦି ସମ୍ବଳିତ ପୂର୍ବବତ୍ ‘ଚନ୍ଦ୍ରଭାଗା’ ପତ୍ରିକା ପ୍ରକାଶ କରାଯିବା ସଙ୍ଗେସଙ୍ଗେ ଏହାର ସମ୍ପାଦନା ଦାୟିତ୍ୱରେ ଅଭିଜ୍ଞ ଅବସରପ୍ରାପ୍ତ ଅଧ୍ୟକ୍ଷ ରାମଚନ୍ଦ୍ର ସାହୁଙ୍କୁ ସମ୍ପାଦନା ଏବଂ ଏହାର ପରିଚାଳନା ମଣ୍ଡଳୀରେ ଗାଳ୍ପିକ ଅଞ୍ଜନ ଚାନ୍ଦ୍, କବି ସୀତାଂଶୁ ଲେଙ୍କା, ଗାଳ୍ପିକ ସଞ୍ଜୟ ପଣ୍ଡା, କବି ସତ୍ୟ ସାହୁ, ସତ୍ୟ ସେଠୀ, ପାର୍ଥପ୍ରତିମ କର, ସନ୍ତୋଷ ଅଗସ୍ତି, ଆଡ଼୍. ସତ୍ୟବ୍ରତ ମହାପାତ୍ର, ସୁନୀଲ୍ ପଣ୍ଡା, ସତ୍ୟନାରାୟଣ ରଣା ପ୍ରମୁଖଙ୍କୁ ସମ୍ପାଦନା ମଣ୍ଡଳୀରେ ରଖାଯିବାର ନିଷ୍ପତ୍ତି ନିଆଯାଇଛି ।ଏହି ପ୍ରସ୍ତୁତିବୈଠକ କାର୍ଯ୍ୟକ୍ରମରେ ଅଧ୍ୟାପକ ଡ. ଶଶିକାନ୍ତ ମହାନ୍ତି ମଞ୍ଚଆହ୍ୱାନ କରିଥିବାବେଳେ ବରିଷ୍ଠ ଆଡ଼ଭୋକେଟ୍ ପର୍ଶୁରାମ ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ । ଆଗାମୀ ଦିନରେ ୩୫ବର୍ଷର ‘ଚନ୍ଦ୍ରଭାଗୋତ୍ସବ’କୁ ସଫଳ ରୂପାୟନ ଦେବାପାଇଁ ବାଲେଶ୍ୱର ତଥା ସମଗ୍ର ଓଡ଼ିଶାର ସାରସ୍ୱତ ସ୍ରଷ୍ଟା ଏବଂ ଅନୁରାଗୀମାନଙ୍କୁ ଅନ୍ୟବର୍ଷମାନଙ୍କ ପରି ଗାମ୍ଭୀର୍ଯ୍ୟପୂର୍ଣ୍ଣ କାର୍ଯ୍ୟାବଳୀର ପ୍ରସ୍ତାବ ଆବାହନ କରିବା ସଙ୍ଗେସଙ୍ଗେ ଓଡ଼ିଆ ଭାଷା ସାହିତ୍ୟ ତଥା ସମଗ୍ର ଭାରତୀୟ ତଥା ଆନ୍ତର୍ଜାତୀୟ ସାହିତ୍ୟକୁ ଦୃଷ୍ଟିରେ ରଖି ଏକ ବ୍ୟାପକ ଓ ଶକ୍ତିଶାଳୀ ସାହିତ୍ୟ ସର୍ଜନାର ସ୍ୱପ୍ନ ସାକାର କରିବା ପାଇଁ ଅନୁଷ୍ଠାନର ପ୍ରତିଷ୍ଠାତା କବି ଶ୍ରୀଦେବ ପ୍ରସ୍ତାବ ରଖିଥିଲେ । ସର୍ବଶେଷରେ ସଦସ୍ୟ ତଥା ସାମାଜିକ କର୍ମୀ ଅବନୀ ଜେନାଙ୍କ ଦ୍ୱାରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ।