ଚନ୍ଦ୍ରଭାଗା ଜୟଦେବ ବାଟିକା ଛାର୍ଖାର୍ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଶୂନ
କୋଣାର୍କ (ଆପ୍ର):କୋଣାର୍କ-ଚନ୍ଦ୍ରଭାଗା ମୁଖ୍ୟ ରାସ୍ତାପାଶ୍ୱର୍ରେ ଥିବା ମହାପୁରୁଷ କବି ଜୟଦେବଙ୍କ ନାମରେ ନାମିତ ଜୟଦେବ ବାଟିକା ଗତ ଫାନି ବାତ୍ୟା ପ୍ରକୋପରେ ସମ୍ପୂର୍ଣ୍ଣ ଛାର୍ଖାର ହୋଇଯାଇଛି । ଲକ୍ଷାଧିକ ଟଙ୍କାଖର୍ଚ୍ଚ କରାଯାଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତିବର୍ଷ ଏଠାରେ ଜୟଦେବଙ୍କ ଜୟନ୍ତୀ ପାଳିତ ହୋଇଥାଏ । ରାଜ୍ୟସ୍ତରୀୟ ଜୟଦେବ ଜୟନ୍ତୀର ପଦଯାତ୍ରା ଏଠାରେ ବିଶ୍ରାମ ନେଇଥାନ୍ତି । ଅଧଏକର ଜମିରେ ନିର୍ମିତ ଏହି ସୌନ୍ଦର୍ଯ୍ୟଭରା ବାଟିକାରେ ଲକ୍ଷାଧିକ ଟଙ୍କାର ବହୁ ମୂଲ୍ୟବାନ ଔଷଧୀୟ ବୃକ୍ଷ ସହିତ ଫୁଲଫଳ ବଗିଚା ସୃଷ୍ଟି କରାଯାଇଛି । ଏହି ସୌନ୍ଦର୍ଯ୍ୟଭରା ବାଟିକା ଦ୍ୱାରା ଆକର୍ଷିତ ହୋଇ ହଜାର ହଜାର ପର୍ଯ୍ୟଟକ ଏଠାକୁ ବୁଲିବାକୁ ଆସି ବିଶ୍ରାମ ନେଇଥାନ୍ତି । ମାତ୍ର ଗତ ୩ତାରିଖ ଫାନି ବାତ୍ୟାରେ ଏହି ବାଟିକାଟି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି । ଏହା ରାଜ୍ୟ ପର୍ଯ୍ୟଟନ ବିଭାଗ ଅଧିନରେ ରହିଥିଲେ ମଧ୍ୟ ଏହାର ପୁନରୁଦ୍ଧାର ପାଇଁ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନଥିବା ଜଣାପଡ଼ିଛି । ଏହି ବାଟିକା ପ୍ରତି ପର୍ଯ୍ୟଟନ ବିଭାଗର ଅବହେଳାକୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବାସହ ନିନ୍ଦା କରାଯାଇଛି । ଗତ ୧୩ ତାରିଖ ମଙ୍ଗଳବାର ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଅଞ୍ଚଳରେ ସ୍ଥିତି ଅନୁଧ୍ୟାନ କରୁଥିବାବେଳେ ଜୟଦେବ ବାଟିକାର ପୁନରୁଦ୍ଧାର ସମ୍ପର୍କରେ କିଛି ଗଣମାଧ୍ୟମ ପ୍ରତିନିଧି ତାଙ୍କୁ ପ୍ରଶ୍ନ କରିଥିଲେ । ଖୁବ୍ଶୀଘ୍ର ଜୟଦେବ ବାଟିକାର ପୁନରୁଦ୍ଧାର କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା ଗଣମାଧ୍ୟମକୁ ସୂଚନା ଦେଇଥିଲେ ମଧ୍ୟ ୧୦ ଦିନ ପରେ ବି କୌଣସି ପଦକ୍ଷେପ ନିଆଯାଇନାହିଁ । ଏନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖାଦେଇଛି । ତୁରନ୍ତ ଏ ଦିଗରେ ବିଭାଗୀୟ ଅଧିକାରୀମାନେ ଦୃଢ଼ ପଦକ୍ଷପେ ନେଇ ଜୟଦେବ ବାଟିକାର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରିବାକୁ ସାଧାରଣରେ ଦାବି କରାଯାଇଛି ।


