ଚନ୍ଦ୍ରଭାଗା ମାଘସପ୍ତମୀ ମେଳା ନିମନ୍ତେ ପ୍ରଥମ ସମନ୍ଵୟ କମିଟି ବୈଠକ ଅନୁଷ୍ଠିତ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ପ୍ରସିଦ୍ଧ ଚନ୍ଦ୍ରଭାଗା ମାଘସପ୍ତମୀ ମେଳା ନିମନ୍ତେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଣାର୍କ ସ୍ଥିତ ଯାତ୍ରୀ ନିବାସ ସମ୍ମେଳନ କକ୍ଷରେ ପ୍ରଥମ ସମନ୍ଵୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଖବରରୁ ପ୍ରକାଶ ଯେ ପୁରୀ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ(ପ୍ରଶାସନ) ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ପବିତ୍ର ପ୍ରସିଦ୍ଧ ସର୍ବବୃହତ ଚନ୍ଦ୍ରଭାଗା ମାଘସପ୍ତମୀ ମେଳା ନିମନ୍ତେ ଅନୁଷ୍ଠିତ ପ୍ରଥମ ସମନ୍ଵୟ କମିଟି ବୈଠକରେ ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ସେବା ମନ୍ତ୍ରୀ ତୁଷାର କାନ୍ତି ବେହେରା ଯୋଗଦେଇ ଏହି ରଥଯାତ୍ରା ପରେ ପୁରୀ ଜିଲ୍ଲାର ସର୍ବବୃହତ ଦ୍ବିତୀୟ ମେଳା ଚନ୍ଦ୍ରଭାଗା ମାଘସପ୍ତମୀ ବୁଡ ନିମନ୍ତେ ତୀର୍ଥଯାତ୍ରୀ ମାନଙ୍କ ନିମନ୍ତେ ପାର୍କିଂ ବ୍ୟବସ୍ଥା ଓ ଟ୍ରାଫିକ ନିୟନ୍ତ୍ରଣ କରିବା ଉପରେ ଗୁରୁତ୍ଵାରୋପ କରିଥିଲେ। ଏହି ଚନ୍ଦ୍ରଭାଗା ମାଘସପ୍ତମୀ ବୁଡ ଆସନ୍ତା ଜାନୁଆରୀ ୨୮ତାରିଖରେ ଅନୁଷ୍ଠିତ ହେବ। ଏହି ବୈଠକରେ ମାଧପୁରର ତ୍ରିବେଣୀଶ୍ବର ମହାଦେବ, ସନ୍ଥପୁର ଗ୍ରାମର ଐଶାଣେଶ୍ଵର ଓ କୁରୁଜଙ୍ଗ ଗ୍ରାମର ଦକ୍ଷିଣେଶ୍ବର ମହାଦେବଙ୍କ ସ୍ନାନ କାର୍ଯ୍ୟ, ବର୍ଣ୍ଣାଢ୍ୟ ଆଲୋକ ବ୍ୟବସ୍ଥା ଓ ଶୋଭାଯାତ୍ରା, ପାର୍କିଂ ସ୍ଥାନ ନିରୂପଣ, ଶାନ୍ତି ଶୃଙ୍ଖଳା ରକ୍ଷା ଓ ଟ୍ରାଫିକ ନିୟନ୍ତ୍ରଣ, ମେଳା ପଡିଆଠାରେ ନଳକୂପ ଖନନ, ଟ୍ଯାଙ୍କର ବ୍ୟବସ୍ଥା, ପରିମଳ ବ୍ୟବସ୍ଥା, ତୀର୍ଥ ପୁଷ୍କରିଣୀ ଖନନ ବିଷୟରେ ଆଲୋଚନା ହୋଇଥିଲା। ଏହି ବୈଠକରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୪ଗୋଟି ଅସ୍ଥାୟୀ ସ୍ବାସ୍ଥ୍ୟ ସେବା ଶିବିର, ଆମ୍ବୁଲାନ୍ସ ସେବା ଓ ତୀର୍ଥଯାତ୍ରୀ ମାନଙ୍କ ଉନ୍ନତ ଚିକିତ୍ସା ସୁବିଧା ଯୋଗାଇ ଦେବା ନିମନ୍ତେ କୋଣାର୍କ, ଗୋପ ଓ ବାଙ୍ଗୁରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପର୍ଯ୍ୟାପ୍ତ ଔଷଧ ମହଜୁଦ ରଖିବା, ମେଳା ପଡିଆରେ ମାଘ ଷଷ୍ଠୀ ଠାରୁ ୨ଦିନ ମଦଦୋକାନ ବନ୍ଦ ରହିବା ସହ ଚୋରା ମଦ କାରବାର ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ୧୦୦ ଗୋଟି ଅସ୍ଥାୟୀ ପାଇଖାନା ନିର୍ମାଣ, ଶ୍ରଦ୍ଧାଳୁ ମାନଙ୍କ ସେବା କାର୍ଯ୍ୟ ନିମନ୍ତେ ସ୍ବେଚ୍ଛାସେବୀ ମୁତୟନ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ହଜିଲା ଖୋଜିବା ମଂଚ, ସଂସ୍କୃତି ବିଭାଗ ପକ୍ଷରୁ ଅହୋରାତ୍ର ସାଂସ୍କୃତିକ କାର୍ଯ୍ୟକ୍ରମ, ପୂର୍ତ୍ତ ବିଭାଗ ଦ୍ଵାରା ପାର୍କିଂ ସ୍ଥାନ ଓ ରାସ୍ତା ମରାମତି, କୋଣାର୍କ ଏନଏସି ପକ୍ଷରୁ ପରିମଳ ବ୍ୟବସ୍ଥା ଓ ପୁଷ୍କରିଣୀ ଜଳ ବିଶୋଧନ, ଯାତ୍ରୀ ପରିବହନ ସେବା ନିମନ୍ତେ ପରିବହନ ବିଭାଗ ପକ୍ଷରୁ ସ୍ଥିରୀକୃତ କରିବା, ମେଳା କାମରେ ଖବର ପରିବେଷଣ କରୁଥିବା କାର୍ଯ୍ୟରତ ସାମ୍ବାଦିକମାନଙ୍କ ନିମନ୍ତେ ଷ୍ଟଲ ନିର୍ମାଣ ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହୋଇଥିଲା। ଏହି ବୈଠକରେ ପୁରୀ ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ସବକମିଟି ଗଠନ କରାଯାଇ ତିନିଠାକୁରଙ୍କ ନୀତିକାନ୍ତି, ସ୍ନାନ କାର୍ଯ୍ୟ ଓ ଅନ୍ୟାନ୍ୟ ଗୁରୁତ୍ଵପୂର୍ଣ୍ଣ ବିଷୟରେ ଆଲୋଚନା କରିବା ପାଇଁ ପ୍ରଥମ ସମନ୍ଵୟ କମିଟି ବୈଠକରେ ସ୍ଥିର କରାଯାଇଛି। ଏହି ପ୍ରଥମ ସମନ୍ଵୟ କମିଟି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପୁରୀ ଜିଲ୍ଲା ମୁଖ୍ଯ ଉନ୍ନୟନ ଅଧିକାରୀ ଜ୍ଯୋତି ଶଙ୍କର ମହାପାତ୍ର, ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ, ପୁରୀ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ, ଗୋପ ବିଡିଓ ଦୀପ୍ତିରାଣୀ ଦାସ, କୋଣାର୍କ ଏନଏସି ଅଧ୍ୟକ୍ଷା ସୁଶ୍ରୀ ସଂଯୁକ୍ତା ତ୍ରିପାଠୀ, ଗୋପ ତହସିଲଦାର ଏସକେ ସାଗିର, କାକଟପୁର ବ୍ଲକ ବିଡିଓ ତୁଷାର ଜ୍ୟୋତି ରଂଜନ, କାକଟପୁର ତହସିଲଦାର ବିରଂଚି ନାରାୟଣ ବେହେରା, କୋଣାର୍କ ଏନଏସି ନିର୍ବାହୀ ଅଧିକାରୀ ସତ୍ଯ ପ୍ରକାଶ ମିଶ୍ରଙ୍କ ସମେତ ଅସ୍ତରଙ୍ଗ ଓ ନିମାପଡା ତହସିଲଦାର, ତିନି ଠାକୁରଙ୍କ ସେବାୟତ, ଗଣମାଧ୍ୟମ ପ୍ରତିନିଧି ଓ ସ୍ଥାନୀୟ ଅଂଚଳର ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ