ଚନ୍ଦ୍ରଯାନ-୨: ବିଦେଶୀ ଗଣମାଧ୍ୟମରେ ମିଶ୍ରିତ ପ୍ରତିକ୍ରିୟା
ନୂଆଦିଲ୍ଲୀ: ଚନ୍ଦ୍ରର ଦକ୍ଷିଣ ମେରୁକୁ ଭାରତର ଜଟିଳତମ ମିଶନ୍ ଚନ୍ଦ୍ରଯାନ-୨ ସାରା ବିଶ୍ୱରେ ଏବେ ଚର୍ଚ୍ଚାରେ ରହିଛି । ଏହାର ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠ ଛୁଇଁବା ଆଗରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲେ ମଧ୍ୟ ଏହି ମିଶନ୍ରେ ଇସ୍ରୋର ସାହସକୁ ନେଇ ଭାରତ ବିଭିନ୍ନ ବିଦେଶୀ ଗଣମାଧ୍ୟମରେ ଉଚ୍ଚ ପ୍ରଶଂସିତ ହୋଇଛି । ଅନ୍ୟପକ୍ଷରେ କିଛି ଗଣମାଧ୍ୟମ ଏହା ମଧ୍ୟ କହିବାକୁ ପଛାଇନାହାନ୍ତି ଯେ, ଏହା କୁଆଡେ ଭାରତକୁ ମହାକାଶ ଗବେଷଣା କ୍ଷେତ୍ରରେ ବହୁ ପଛକୁ ନେଇଯିବ ।
ଆମେରିକୀୟ ପତ୍ରିକା “ୟୋର୍ଡର ଅନ୍ଲାଇନ୍ ଏଡିସନ୍ ଲେଖିଛି, ଏହି ମିଶନରେ ସବୁ କିଛି ନିଖୋଜ ହୋଇଯାଇନି । ଚନ୍ଦ୍ରପୃଷ୍ଠରେ ବିକ୍ରମ ଏବଂ ପ୍ରଜ୍ଞା ରାଭର ନିଖୋଜ ହୋଇଯିବା ଭାରତର ମହାକାଶ ମିଶନ୍ ପାଇଁ ବଡ଼ ଝଟ୍କା ସତ, କିନ୍ତୁ ଏଥିରେ ସବୁ କିଛି ହଜିଯାଇନି । ନ୍ୟୁୟର୍କ ଟାଇମ୍ସ ଏହାକୁ ପ୍ରଶଂସା କରି ଲେଖିଛି, ଇଞ୍ଜିନିୟରିଂ ନିପୁଣତା ଏବଂ ଦଶନ୍ଧି ଦଶନ୍ଧି ଧରି ମହାକାଶ ବିକାଶ ବିଶ୍ୱସ୍ତରୀୟ ଲକ୍ଷ୍ୟ ପୂରଣ କରିଛି । ସେହିଭଳି “ଲେ ମଣ୍ଡ’ ଲେଖିଛି, ଏବେ ଯାଏ ମିଶନକୁ ୪୫ ପ୍ରତିଶତ ସଫଳତା ମିଳିଛି ।
ବ୍ରିଟିଶ୍ ଖବରକାଗଜ ଦି ଗାର୍ଡିଆନ୍ ଲେଖିଛି, ଭାରତର ଚନ୍ଦ୍ର ଅବତରଣ ଶେଷ ମୁହୂର୍ତ୍ତରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଭାରତ ସେହି ସ୍ଥାନରେ ଗବେଷଣା ପାଇଁ ମନ ବଳାଇଛି ଯେଉଁଠାରେ ଆଗାମୀ ୨୦,୫୦ ବା ୧୦୦ ବର୍ଷରେ ମନୁଷ୍ୟ ବସବାସ କରିପାରେ । ୱାଶିଂଟନ୍ ପୋଷ୍ଟ ଲେଖିଛି, ଏହି ଘଟଣା ଭାରତର ମହାକାଶ ଅଭିଳାଷକୁ କିଛି ପାଦ ପଛକୁ ନେଇଯାଇଛି, ଯାହାକି ଏହି ଦେଶର ଯୁବପିଢ଼ିଙ୍କ ଉଚ୍ଚାକାଂକ୍ଷାର ପ୍ରତିଫଳନ ଥିଲା । ସିଏନ୍ଏନ୍ ଲେଖିଛି, ଭାରତର ଐତିହାସିକ ଲ୍ୟାଣ୍ଡିଂ ହୁଏତ ବିଫଳ ହୋଇଛି । ଆଉ ବିଭିନ୍ନ ସମୟରେ ଭାରତକୁ କଡ଼ା ସମାଲୋଚନା କରିଆସିଥିବା ବିବିସି ଲେଖିଛି, ଏହା କୁଆଡ଼େ ଅତି ଶସ୍ତା ଥିଲା ବାଲି ବିଶ୍ୱ ସ୍ତରରେ ଚର୍ଚ୍ଚିତ ଥିଲା । ଏହା ହଲିଉଡ୍ ଫିଲ୍ମ ଆଭେଞ୍ଜର୍ସର ବଜେଟ୍କୁ ଭାରତର ଚନ୍ଦ୍ରଯାନ-୨ ମିଶନର ବଜେଟ୍ ସହ ତୁଳନା କରି ଖବର ପ୍ରକାଶ କରିଥିଲା ।