ଚନ୍ଦ୍ରଶେଖରପୁର ଥାନାର ସୁନୀଲହତ୍ୟା ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଭୁବନେଶ୍ୱର ପୋଲିସ୍ କମିଶନରେଟର ଚନ୍ଦ୍ରଶେଖରପୁର ଥାନାରେ ଗତ ଡ଼ିସେମ୍ବର ୧, ୨୦୧୯ ମସିହାରେ ଘଟିଥିବା ସୁନୀଲ ସେଠୀ ହତ୍ୟାକାଣ୍ଡ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିମନ୍ତେ ଓଡ଼ିଶା ମାନବ ଅଧିକାର କମିଶନ ନିର୍ଦ୍ଦେଶ ଦେଇଛନ୍ତି । ଅଗ୍ରଣୀ ଗଣସଂଗଠନ ଆମ୍ବେଦକର ଲୋହିଆ ବିଚାର ମଞ୍ଚ ପକ୍ଷରୁ ଏ ସମ୍ପର୍କରେ କମିଶନଙ୍କ ନିକଟରେ ଉପସ୍ଥାପନ କରାଯାଇଥିବା ତଥ୍ୟ ଆଧାରରେ ମାନ୍ୟବର କମିଶନ ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ।
ବିବରଣୀରୁ ଜଣାଯାଏ ଯେ, ବ୍ରହ୍ମଗିରୀ ଥାନା ଅଞ୍ଚଳର ଗଡ଼ରୋଡ଼ଙ୍ଗ ଗ୍ରାମର ୨୪ ବର୍ଷୀୟ ସୁନୀଲ ସେଠୀ ଜଣେ ଡ୍ରାଇଭର ଥିଲେ ଓ ଗତ ୨୦୧୯ ଡ଼ିସେମ୍ବର ୧ ତାରିଖ ଦିନ ପୁରୀର ଜଣେ ଓକିଲ ଓ ତାଙ୍କ ପରିବାର ସଦସ୍ୟଙ୍କୁ ଟ୍ରାଭେଲସ୍୍ ଭଡ଼ାଗାଡ଼ିରେ ନେଇ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ବର୍ଷାଭିଲ୍ଲା ନାମକ ଏକ ଘରକୁ ଯାଇଥିଲେ । ସେଠାରେ ସମ୍ପୃକ୍ତ ଓକିଲ ଓ ଅନ୍ୟମାନେ ଓହ୍ଲାଇ ସେହି ଘରକୁ ଯାଇଥିଲେ ଓ ସୁନୀଲକୁ ଅପେକ୍ଷା କରିବାକୁ କହିଥିଲେ । କିନ୍ତୁ ତା’ପରେ ଡ୍ରାଇଭର ଜଣଙ୍କ ନିଖୋଜ ହୋଇ ଯାଇଥିଲେ । ଓକିଲ ମହାଶୟ ସୁନୀଲ ନିଖୋଜ ହେବା ସମ୍ପର୍କରେ ପୋଲିସ୍କୁ ନ ଜଣାଇ ଅନ୍ୟ ଏକ ଗାଡ଼ି ଯୋଗେ ତାଙ୍କ କାର୍ଯ୍ୟରେ ଚାଲି ଯାଇଥିଲେ ଓ ଟ୍ରାଭେଲ ମାଲିକ ସୁନୀଲ ଚଳାଉଥିବା ଗାଡ଼ିକୁ ଅନ୍ୟ ଡ୍ରାଇଭର ଯୋଗେ ନେଇ ଯାଇଥିଲେ । ପରଦିନ ସକାଳେ ସୁନୀଲର କ୍ଷତାକ୍ତ ମୃତଦେହ ବର୍ଷାଭିଲ୍ଲା ନିକଟସ୍ଥ ଏକ ପାଚେରୀଘେରା ପ୍ଲଟ ମଧ୍ୟରେ ପଡ଼ିଥିବାର ଦେଖାଯାଇଥିଲା । ପୋଲିସ୍ ଠାରୁ ଖବର ପାଇ ସୁନୀଲଙ୍କ ବାପା ବାବାଜୀ ସେଠୀ ଭୁବନେଶ୍ୱର ଆସିଥିଲେ ଓ ତାଙ୍କର ଏତଲା କ୍ରମେ ଚନ୍ଦ୍ରଶେଖରପୁର ଥାନା କେସ୍ ନଂ-୪୮୧ ଆଇପିିିସିର ଧାରା ୩୦୨, ୧୨୦ବି ଓ ୩୪ ଅନୁଯାୟୀ ପଞ୍ଜିକୃତ ହୋଇଥିଲା । ବାବାଜୀ ସେଠୀ ଓଡ଼ିଶା ମାନବ ଅଧିକାର କମିଶନଙ୍କ ନିକଟରେ ମଧ୍ୟ ନ୍ୟାୟ ନିମନ୍ତେ ଆବେଦନ କରିଥିଲେ । ଘଟଣାର ପ୍ରାୟ ଦେଢବର୍ଷ ପରେ ବାବାଜୀ ସେଠୀ ରାଜ୍ୟର ଅଗ୍ରଣୀ ଗଣସଂଗଠନ ଆମ୍ବେଦକର ଲୋହିଆ ବିଚାର ମଞ୍ଚକୁ ଏହି ଘଟଣାରେ ହସ୍ତକ୍ଷେପ କରିବାକୁ ନିବେଦନ କରିଥିଲେ । ବିଚାର ମଞ୍ଚ ଏହାର ତଥ୍ୟାନୁସନ୍ଧାନ କରି ମାନବାଧିକାର କମିଶନଙ୍କ ନିକଟରେ ତଥ୍ୟ ଉପସ୍ଥାପନ କରିଥିଲେ ଏବଂ ମାମଲା ସମ୍ପର୍କରେ କମିଶନରେଟ ପୋଲିସ୍ ଓ ଚନ୍ଦ୍ରଶେଖରପୁର ଥାନା ଅଧିକାରୀଙ୍କ ଠାରୁ ଷ୍ଟାଟସ ରିପୋର୍ଟ ମଗା ଯାଇଥିଲା । ସମସ୍ତ ତଥ୍ୟକୁ ବିଚାରକୁ ନେଇ ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରିବାକୁ ମାନ୍ୟବର କମିଶନ ରାଜ୍ୟ ପୋଲିସ୍ ମହାନିର୍ଦ୍ଦେଶକଙ୍କୁ ସୁପାରିଶ କରିଛନ୍ତି ଓ ଦୁଇମାସ ମଧ୍ୟରେ ନିଷ୍ପତ୍ତି ନେବାକୁ ପରାମର୍ଶ ଦେଇଛନ୍ତି । ଚନ୍ଦ୍ରଶେଖରପୁର ପୋଲିସ୍ ଏହି ମାମଲାକୁ ବନ୍ଦ କରିଦେବ ବୋଲି ରିପୋର୍ଟ ପ୍ରଦାନ କରିଥିଲା ବେଳେ କ୍ରାଇମବ୍ରାଞ୍ଚ ତଦନ୍ତରେ ସତ୍ୟ ସାମନାକୁ ଆସିବ ଓ ଦୋଷୀ ଦଣ୍ଡ ପାଇବ ବୋଲି ବିଚାର ମଞ୍ଚର ସଭାପତି ସଂଗ୍ରାମ ମଲିକ ଆଶା ପ୍ରକଟ କରିଛନ୍ତି ଓ ମାନ୍ୟବର ଓଡ଼ିଶା ମାନବାଧିକାରୀ କମିଶନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।


