ଚମ୍ପୁଆଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ
ଚମ୍ପୁଆ, (ଯୁଗାବ୍ଦ ନ୍ୟୁଜ)ଚଳିତ ଫେବୃୟାରୀ ୨୪ ତାରିଖ ସୋମବାର ଦିନ ଜିଲ୍ଲାପାଳ ଆଶିଷ ଠାକରେ ଏବଂ ଏସ୍.ପି. ମିତ୍ରଭାନୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଚମ୍ପୁଆ ବ୍ଲକ୍ କାର୍ଯ୍ୟାଳୟଠାରେ ଜନସାଧାରଣଙ୍କ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ମୋଟ୍ ୨୬୦ଟି ଅଭିଯୋଗ ଗ୍ରହଣ କରାଯାଇଥିଲା । ସେଥିମଧ୍ୟରୁ ୨୨୭ଟି ଅଭିଯୋଗର ତୁରନ୍ତ ଫଇସଲା କରାଯାଇଥିଲା । ସମୁଦାୟ ଅଭିଯୋଗ ମଧ୍ୟରୁ ୧୪ଟି ଅଭିଯୋଗ ଗୋଷ୍ଠୀ ସମସ୍ୟା/ଗ୍ରାମ୍ୟ ସମସ୍ୟାମୂଳକ ହୋଇଥିବାବେଳେ ୨୪୬ଟି ଅଭିଯୋଗ ବ୍ୟକ୍ତିଗତ ସମସ୍ୟା ଉପରେ ପର୍ଯ୍ୟବେସିତ ଥିଲା । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଡଃ ଉଦ୍ଧବ ଚନ୍ଦ୍ର ମାଝୀ, ସିଡିଏମ୍ଓ ଡା. ଅଶୋକ ଦାଶ, ଚମ୍ପୁଆ ଉପଜିଲ୍ଲାପାଳ ପ୍ରତାପ ପ୍ରୀତିମୟ, ବ୍ଲକ୍ ଚେୟାରମ୍ୟାନ୍ ରମଣୀ ନାଏକ, ତହସିଲଦାର ଆଲୋକ କୁମାର ପଟେଲ, ଭଣ୍ଡା ସିଏଚ୍ସିର ମେଡିକାଲ ଅଫିସର ଦୀପକ ସାହୁ ଏବଂ ଅତିରିକ୍ତ ବିଡିଓ ଶରତ ଚନ୍ଦ୍ର ବାରିକ୍ଙ୍କ ସମେତ ଜିଲ୍ଲାସ୍ତରୀୟ ଏବଂ ବ୍ଲକ୍ସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହି ଅଭିଯୋଗ ଶୁଣାଣୀ ପ୍ରକୋଷ୍ଠରେ ଜିଲ୍ଲାପାଳ ଶ୍ରୀ ଠାକରେ ୨ ଜଣ ରୋଗୀଙ୍କୁ ଚିକିତ୍ସା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୨୪ ହଜାର ଟଙ୍କା ଏବଂ ରେଡ୍୍ରକସ୍ ପାଣ୍ଠିରୁ ଜଣେ ରୋଗୀଙ୍କୁ ୧୫ହଜାର ଟଙ୍କା ମଞ୍ଜୁର କରିଥିଲେ ।