ଚମ୍ପୁଆରେ ଉଦ୍ଘାଟିତ ହେଲା ପାର୍କ

ଚମ୍ପୁଆ, ଚମ୍ପୁଆରେ ପୂର୍ବରୁ କୌଣସି ପାର୍କ ନଥିଲା କିମ୍ବା ଅବସର ବିନୋଦନ ଏବଂ ସୁସ୍ଥ ରହିବା ପାଇଁ ପାର୍କର ଶାନ୍ତ ଓ ସରଳ ପରିବେଶ ନିହାତି ଅପରିହାର୍ଯ୍ୟ ବୋଲି ସ୍ଥାନୀୟ ବାସିନ୍ଦା ଅନୁଭବ କରିନଥିଲେ । କିନ୍ତୁ ଏହାର ଗୁରୁତ୍ୱ ଉପଲବ୍ଧି କରିଥିଲେ ଉପଜିଲ୍ଲାପାଳ ପାରୁଲ ପଟାୱରୀ । ସେଥିପାଇଁ ଦୀର୍ଘ ୧ବର୍ଷ ତଳୁ ଉଦ୍ୟମ ଆରମ୍ଭ କରିଥିଲେ । ଆଉ ଏଥିରେ ସହଯୋଗର ହାତ ବଢାଇଥିଲେ ରୁଙ୍ଗ୍ଟା କମ୍ପାନୀ ଓ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସପନ କୁମାର ସାହୁ । ପାର୍କ ନିର୍ମାଣରେ ପ୍ରଥମେ ଜାଗା ଚିହ୍ନଟ ମୁଖ୍ୟ ସମସ୍ୟା ସାଜିଥିଲା । ନିର୍ବାହୀ ଅଧିକାରୀ ଶ୍ରୀ ସାହୁ ପ୍ରଥମେ ଜାଗା ଚିହ୍ନଟ କରିବା ପରେ ସେଠାରେ ଜବରଦଖଏ କରି ରହିଥିବା କିଛି ଘରକୁ ଉଚ୍ଛେଦ କରିଥିଲେ । ଶେଷରେ ସମସ୍ତଙ୍କର ମିଳିତ ପ୍ରଚେଷ୍ଟାରେ ଚମ୍ପୁଆରେ ପ୍ରଥମଥର ପାଇଁ ଏକ ଶିଶୁ ଉଦ୍ୟାନ ତଥା ଖୋଲା ବ୍ୟାୟାମଶାଳା ଉଦ୍ଘାଟିତ ହୋଇଛି । ଯାହାକୁ ନେଇ ଚମ୍ପୁଆବାସିନ୍ଦାଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ପାର୍କ ନିର୍ମାଣ କ୍ଷେତ୍ରରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଉପଜିଲ୍ଲାପାଳ ସୁଶ୍ରୀ ପଟାୱରୀଙ୍କୁ ଚମ୍ପୁଆବାସିନ୍ଦାଙ୍କ ପକ୍ଷରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି । ବରିଷ୍ଠ ନାଗରିକଙ୍କଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ସମସ୍ତେ ଏହି ପାର୍କକୁ ଆସି ମଜା ଉଠାଉଥିବାର ଦେଖିବାକୁ ମିଳୁଛି । ସକାଳୁ ସକାଳୁ ବରିଷ୍ଠ ନାଗରିକ ଏବଂ ବୁଦ୍ଧିଜୀବୀମାନେ ମର୍ଣ୍ଣିଂୱାକ୍ଠାରୁ ଆରମ୍ଭ କରି ଯୁବବର୍ଗ ଖୋଲା ବ୍ୟାୟାମଶାଳାରେ କସରତ କରି ପାରିବେ ବୋଲି ସାଧାରଣରେ ମତବ୍ୟକ୍ତ ହେଉଛି । ଉଲ୍ଲେଖଯୋଗ୍ୟଯେ, ପ୍ରାୟ ୧ବର୍ଷ ତଳେ ଏଲ୍ଆଇସି କଲୋନୀ ନିକଟରେ ଉପଖଣ୍ଡ ପ୍ରଶାସନ ଓ ରୁଙ୍ଗ୍ଟା କମ୍ପାନୀର ମିଳିତ ସହଯୋଗରେ ଏହି ପାର୍କ କାମର ଶୁଭାରମ୍ଭ ହୋଇଥିଲା । କମ୍ପାନୀ ପକ୍ଷରୁ ପ୍ରାୟ ୧କୋଟି୪୦ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା । ପାର୍କରେ ଛୋଟ ପିଲାମାନଙ୍କ ମନୋରଂଜନ ପାଇଁ ବିଭିନ୍ନ ପ୍ରକାର ଖେଳ ସାମଗ୍ରୀ ରଖାଯାଇଥିବାବେଳେ ବୟସ୍କ ଏବଂ ଯୁବବର୍ଗଙ୍କ କସରତ ପାଇଁ ବିଭିନ୍ନ ପ୍ରକାର ସରଂଜାମ ରଖାଯାଇଛି । ପାର୍କକୁ ସୁନ୍ଦର ଏବଂ ଆକର୍ଷଣୀୟ କରାଯାଇଥିବାବେଳେ ଚାରିପାଖରେ ଆକର୍ଷଣୀୟ ଟ୍ରାକ୍ କରାଯାଇଛି । ପାର୍କରେ ପ୍ରବେଶ ନିମନ୍ତେ ୫ଟଙ୍କା ମୂଲ୍ୟର ଟିକେଟ୍ ଧାର୍ଯ୍ୟ କରାଯାଇଛି । ୩ବର୍ଷ ବୟସରୁ ଉଦ୍ଧ୍ୱର୍ ବ୍ୟକ୍ତି, ଛାତ୍ରଛାତ୍ରୀମାନେ ମାତ୍ର ୫ଟଙ୍କା ଦେଇ ପାର୍କକୁ ପ୍ରବେଶ କରିପାରିବେ । ପାର୍କର ଉପଯୁକ୍ତ ରକ୍ଷଣାବେକ୍ଷଣ ନିମନ୍ତେ ଏହି ୫ଟଙ୍କା ଆଦାୟ କରାଯାଉଛି ବୋଲି ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ସପନ କୁମାର ସାହୁ ସୂଚନା ଦେଇଛନ୍ତି । ସକାଳ ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ପାର୍କ ଖୋଲାଯିବ । ଏହାବ୍ୟତୀତ ପାର୍କକୁ ଅସାମାଜିକ ଯୁବକଙ୍କ କବଳରୁ ସୁରକ୍ଷିତ ରଖିବା ପାଇଁ ୩ଜଣ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି । ସେହିପରି ପରିମଳ ବ୍ୟବସ୍ଥା ଏବଂ ଉପଯୁକ୍ତ ରକ୍ଷଣାବେକ୍ଷଣ ନିମନ୍ତେ ଚମ୍ପୁଆର “ହାପିଲକି” ନାମକ ଏକ ସ୍ୱୟଂ ସହାୟକ ଗୋଷ୍ଠୀକୁ ଦାୟିତ୍ୱ ଦିଆଯାଇଛି । ମୋଟ ଉପରେ ଏହି ପାର୍କଟି ଆଗାମୀ ଦିନରେ ଚମ୍ପୁଆବାସିନ୍ଦାଙ୍କ ମନୋରଂଜନର ପ୍ରମୁଖ ମାଧ୍ୟମ ପାଲଟିବ ବୋଲି ସ୍ଥାନୀୟ ବାସିନ୍ଦା ମତପ୍ରକାଶ କରିଛନ୍ତି । ଚମ୍ପୁଆ ଲୋକଙ୍କ ମନୋରଂଜନ ପାଇଁ ପୂର୍ବରୁ କୌଣସି ସୁବିଧା ନଥିଲା । ଏହି ପାର୍କଟି କୁନିକୁନି ପିଲା, ବୟସ୍କ ନାଗରିକ ଏବଂ ଯୁବବର୍ଗଙ୍କ ନିମନ୍ତେ ନିଶ୍ଚିତ ଭାବେ ମନୋରଂଜନର ପ୍ରମୁଖ ମାଧ୍ୟମ ପାଲଟିବ । ନେସାର ହାୟାତ୍, ସଂଖ୍ୟାଲଘୁ ସେଲ୍ ସଭାପତି ପ୍ରଥମ ଥର ପାଇଁ ଚମ୍ପୁଆରେ ପାର୍କ ନିର୍ମିତ ହେବା ଫଳରେ ସମସ୍ତଙ୍କ ମଧ୍ୟରେ ଖୁସି ଲହରୀ ଖେଳିଯାଇଛି । ପାର୍କ ନିର୍ମାଣରେ ମୁଖ୍ୟ ଭୂମିକା ତୁଲାଇଥିବା ଉପଜିଲ୍ଲାପାଳ ସୁଶ୍ରୀ ପଟାୱରୀ ଏବଂ ରୁଙ୍ଗ୍ଟା କମ୍ପାନୀକୁ ଧନ୍ୟବାଦ । ଗଣେଶ ଖିଲାର, ସମାଜସେବୀ ଦୀର୍ଘ ଦିନ ପରେ ଚମ୍ପୁଆବାସିନ୍ଦାଙ୍କ ସ୍ୱପ୍ନ ପୂରଣ ହୋଇଛି । ପାର୍କକୁ ନିଜ ଘରର ସମ୍ପତି ଭାବି ବ୍ୟବହାର କରିବା ଉଚିତ୍ । ଏଥିପାଇଁ ଚମ୍ପୁଆବାସିନ୍ଦା ସହଯୋଗର ହାତ ବଢାଇବାକୁ ନିବେଦନ । ପାର୍କରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ସହ ସମସ୍ତ ଜିନିଷକୁ ଉପଯୁକ୍ତ ବ୍ୟବହାର କରିବାକୁ ବିନମ୍ର ନିବେଦନ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ