ଚର୍ଚ୍ଚାରେ ଦାରୁପଦ୍ରା ପଞ୍ଚାୟତ : ସରପଞ୍ଚଙ୍କ କାର୍ଯ୍ୟକଳାପରେ ଜନପ୍ରତିନିଧିଙ୍କ ଅସନ୍ତୋଷ କୁହୁଳୁଛି
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) :-ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ରାଜ୍ୟ ମୁଖିଆଙ୍କ ଗଡ ହିଞ୍ଜିଳିକାଟୁ ବ୍ଳକରେ ରାଜନୈତିକ ତିକ୍ତତା ବୃଦ୍ଧି ପାଉଛି । ସ୍ଥାନୀୟ ବ୍ଳକର ବହୁ ପଞ୍ଚାୟତରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଦାରୁଭଦ୍ରା ପଞ୍ଚାୟତ ରାଜନୈତିକ ଛକାପଞ୍ଝା ଚର୍ଚ୍ଚାର ଶୀର୍ଷରେ ରହିଛି । ନବ ନିର୍ବାଚିତ ସରପଞ୍ଚଙ୍କ ୫ବର୍ଷର କାର୍ଯ୍ୟକାଳର ଆରମ୍ଭରୁ ହିଁ ସଂପୃକ୍ତ ପଞ୍ଚାୟତରେ ସରପଞ୍ଚଙ୍କ କାର୍ଯ୍ୟକଳାପକୁ ନେଇ ଜନପ୍ରତିନିଧିଙ୍କ ମଧ୍ୟରେ ଅସନ୍ତୋଷର ଦାନା ବାନ୍ଧୁଛି । ପୂର୍ବରୁ ବିରୋଧୀ ଦଳର ସକ୍ରିୟ ସଦସ୍ୟ ଭାବେ ପରିଚିତ ଥିବା ନିର୍ବାଚିତ ସରପଞ୍ଚ ସଂମ୍ପ୍ରତି ଶାସକ ଦଳ ସମର୍ଥିତ ଜନପ୍ରତିନିଧି ମାନଙ୍କୁ ଅଣଦେଖା କରୁଥିବା ଅଭିଯୋଗ ଉଠୁଛି । ଏଭଳି ଏକ ଅଭିଯୋଗ ସୋମବାର ସଂପୃକ୍ତ ପଞ୍ଚାୟତରେ ଆୟୋଜିତ ମାସିକ ବୈଠକରେ ଜଣେ ୱାର୍ଡ ସଭ୍ୟ କୌଳାସ ଚନ୍ଦ୍ର ବେହେରା, ସରପଞ୍ଚ ବିକାଶ ସେଠିଙ୍କ କାର୍ଯ୍ୟକଳାପକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିବା ଜଣାପଡିଛି । ମିଳିଥିବା ସୂଚନା ପ୍ରକାରେ, ସୋମବାର ପିଇଓ କାଳୁ ବେହେରାଙ୍କ ତତ୍ତ୍ୱାବଧାନରେ ଗ୍ରାମ ପଞ୍ଚାୟତର ୨ୟ ମାସିକ ବୈଠକ ପଞ୍ଚାୟତ କାର୍ଯ୍ୟାଳୟ ସଭାକକ୍ଷରେ ଅନୁଷ୍ଠିତ ହୋଇଥିଲା । ସରପଞ୍ଚ ବିକାଶ ସେଠୀଙ୍କ ଅଧ୍ୟକ୍ଷତାରେ ୨ ୱାର୍ଡ ସଭ୍ୟଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ । ପଞ୍ଚାୟତର ବିଧିବ୍ୟବସ୍ଥା ଅନୁଯାୟୀ ପଞ୍ଚାୟତର ନିର୍ବାଚିତ ୧୪ ୱାର୍ଡସଭ୍ୟଙ୍କ ମଧ୍ୟରୁ ମାତ୍ର ୨ଜଣ ୱାର୍ଡ ସଭ୍ୟ ବୈଠକରେ ଉପସ୍ଥିତ ଥିଲେ । ଅବଶିଷ୍ଟ ୧୨ ୱାର୍ଡସଭ୍ୟ ଅନୁପସ୍ଥିତ ଥିବା ଦେଖିବାକୁ ମିଳିଥିଲା । ଆବଶ୍ୟକ କୋରମ ଅଭାବରୁ ବୈଠକ ସ୍ଥଗିତ ରଖିବାକୁ ପିଇଓ ବେହେରା ଘୋଷଣା କରିଥିଲେ । ଆୟୋଜିତ ବୈଠକରେ ସମିତିସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟଙ୍କୁ ଜାଣିଶୁଣି ଅଣଦେଖା କରାଯାଇଥିବା ନେଇ ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଜିଲ୍ଲା ପରିଷଦ ସଭ୍ୟ , ସମିତିସଭ୍ୟ, ନାଏବ ସରପଞ୍ଚ ଓ ୧୨ ଜଣ ୱାର୍ଡ ସଭ୍ୟ ଶାସକ ଦଳର ସମର୍ଥକ ହୋଇଥିବାରୁ ସରପଞ୍ଚ ସେମାନଙ୍କୁ ଉପେକ୍ଷା କରି ନିଜ ମର୍ଜି ଅନୁଯାୟୀ ସମସ୍ତ କାର୍ଯ୍ୟ ପରିଚାଳନା କରୁଥିବା ଅଭିଯୋଗ ଉଠୁଛି । ଗତ କିଛି ଦିନ ଧରି ୱାର୍ଡସଭ୍ୟଙ୍କୁ ଅନ୍ଧାରରେ ରଖି ନିମିଗାଁ ନିମେଶ୍ୱର ପୋଖରୀର ଜଳ ନିଷ୍କାସନ,ଗ୍ରାମ୍ୟ ଡ୍ରେନ ସଫା ଓ ଦାରୁଭଦ୍ରା ଗ୍ରାମ ତଳସାହି ଡ୍ରେନ ସଫେଇ କାର୍ଯ୍ୟ ଭଳି ଉନ୍ନୟନମୂଳକ କାର୍ଯ୍ୟ ଗୁଡିକ ମେରିରାୟ ଶାସନ ଅନୂଯାୟୀ ନିଜେ ଚଳାଇ ଆସୁଥିବା ଭଳି ଗୁରୁତର ଅଭିଯୋଗ ହୋଇଛି । ୱାର୍ଡସଭ୍ୟ କୌଳାସଙ୍କ ଅଭିଯୋଗ ପରେ ସରପଞ୍ଚ କୁଆଡେ ପିଇଓ ଓ ଅନୁପସ୍ଥିତ ସଭ୍ୟଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିଜକୁ ସୁହାଇବା ଭଳି ଭିତିରିଆ ଯୋଜନା କରୁଥିବା ଶୁଣିବାକୁ ମିଳିଛି । ଏ ନେଇ ୬୮ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ଏଳା ସୁଦର୍ଶନଙ୍କୁ ପଚାରିବାରୁ, ସଂପୃକ୍ତ ପଞ୍ଚାୟତର ନିର୍ବାଚିତ ସରପଞ୍ଚ ମହୋଦୟ ଜଣଙ୍କ ବିଜେପି ସମର୍ଥୀତ ହୋଇଥିବା ଓ ଆମେ ଶାସକ ବିଜେଡି ଦଳର ଜିଲ୍ଲା ପରିଷଦ ସଭ୍ୟ, ସମିତିମେମ୍ବର ଓ ୱାର୍ଡସଭ୍ୟ ମାନେ ଶାସକ ଦଳର ସମର୍ଥୀତ ଭାବେ ନିର୍ବାଚିତ ହୋଇଥିବାରୁ ଏଭଳି ଅପ୍ରତିକର ପରିସ୍ଥିତି ସୃଷ୍ଟି ହେଉଛି ବୋଲି ପ୍ରତିକ୍ରିୟା ରଖିଛନ୍ତି । ଆଗାମୀ ଦିନରେ ସଂପୃକ୍ତ ପଞ୍ଚାୟତରେ ରାଜନୈତିକ ତିକ୍ତତା ବୃଦ୍ଧି ପାଇବା ସମ୍ଭାବନା ରହିଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି ।