ଚର୍ଚ୍ଚାରେ ସୋନାକ୍ଷୀଙ୍କ ଅଜ୍ଞତା !
“କୌନ ବନେଗା କରୋଡ଼ପତି’ରେ ଏକ ସରଳ ପ୍ରଶ୍ନର ଉତ୍ତର ଦେଇ ନ ପାରି ନିନ୍ଦିତ-ଉପହାସିତ ହୋଇଛନ୍ତି ସୋନାକ୍ଷୀ ସିହ୍ନା । ଅମିତାଭ ବଚ୍ଚନ ମହାଶୟ ପଚାରିଥିବା ପ୍ରଶ୍ନଟି ଥିଲା, ‘ହନୁମାନ୍ କାହା ପାଇଁ ସଂଜୀବନୀ ଗୁଳ୍ମ ଆଣିଥିଲେ?’ ସୋନାକ୍ଷୀଙ୍କୁ ଏହି “ରାମାୟଣ’ ଆଧାରିତ ସରଳ ପ୍ରଶ୍ନର ଉତ୍ତର ଜଣା ନ ଥିବାରୁ ଘାବରେଇଯାଇଥିଲେ । ପ୍ରଥମେ ଅନୁମାନ ଲଗାଇ ଉତ୍ତର ଦେଇଥିଲେ- ସୀତା । ତା’ ପରେ କହିଥିଲେ- ରାମ । ଶେଷରେ ଦର୍ଶକଙ୍କଠାରୁ ଉତ୍ତର ଚାହିଁଥିଲେ । ତାଙ୍କର “ରାମାୟଣ’ ଜ୍ଞାନକୁ ନେଇ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଥଟ୍ଟା-ପରିହାସର ସୁଅ ଚାଲିଛି । ଅଧିକ ଥଟ୍ଟାର କାରଣ, ତାଙ୍କ ଘର ପରିବାରରେ “ରାମାୟଣ’ର ଏକାଧିକ ଚିହ୍ନ । ଯଥା ତାଙ୍କ ପିତାଙ୍କ ନାମ ଶତ୍ରୁଘ୍ନ । ପିତାଙ୍କ ବଡ଼ ଭାଇମାନଙ୍କ ନାମ ରାମ, ଲକ୍ଷ୍ମଣ ଓ ଭରତ । ନିଜର ଦୁଇ ଭାଇଙ୍କ ନାମ ଲବ ଓ କୁଶ । ପିତାଙ୍କ ବାସଭବନର ନାମ ‘ରାମାୟଣ’ । “ରାମାୟଣ’ ସହ ଏତେ ଏତେ ସମ୍ପର୍କ ଥାଇ ଏଥି ସମ୍ପର୍କିତ ଏକ ସାଧାରଣ ପ୍ରଶ୍ନର ଉତ୍ତର ଦେଇ ନ ପାରିବା ନିଶ୍ଚିତ ଭାବେ ଦୁର୍ଭାଗ୍ୟଜନକ ।


