ଚଳନ୍ତା ବସ୍‌‌ରେ ଚାଳକଙ୍କ ହୃଦ୍‌‌ଘାତରେ ମୃତ୍ୟୁ, ଅଳ୍ପକେ ବର୍ତ୍ତିଲା ବଡ଼ ଦୁର୍ଘଟଣା

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ସାରଙ୍ଗଗଡ଼ ଠାରୁ ଭୁବନେଶ୍ୱର ଯାଉଥିବା ମା’ ଲଷ୍ମୀ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍‌‌ ରେ ଚାଳକଙ୍କର ହୃଦ୍‌‌ଘାତ ହେବାରୁ ମୃତ୍ୟୁ ଘଟିଛି। ତେବେ ରାସ୍ତାକଡ଼ ଏକ ନାଳର ଗାର୍ଡ ୱାଲରେ ପିଟି ହୋଇ ରହିଯିବାରୁ ବସ୍‌‌ଟି ଅଳ୍ପକେ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛି। ପାବୁରିଆଠାରୁ ଜି. ଉଦୟଗିରି ରାସ୍ତାର ମାତ୍ର ୩ କିଲୋମିଟର ଦୂରରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ ମା’ ଲକ୍ଷ୍ମୀ ବସ୍‌ ଓଡି -୦୨- ଏକ୍ୟୁ -୭୭୦୧ ର ଚାଳକ ସନାତନ ପ୍ରଧାନ (୫୨) ସାରଙ୍ଗଗଡ଼ରୁ ବସ୍‌‌ ଠିକ୍‌ ଭାବେ ଚଳାଇ ଆସୁଥିଲେ। କିନ୍ତୁ ପାବୁରିଆ ପରେ ତାଙ୍କ ଗାଡ଼ି ଚାଳନାରେ ତ୍ରୁଟି ପରିଲକ୍ଷିତ ହୋଇଥିବା ହେଲପର୍‌‌ କାଳିଆ ଜାଣିପାରିଥିଲେ । ଏହି ସମୟରେ ଡ୍ରାଇଭର ସନାତନଙ୍କୁ ହୃଦ୍‌‌ଘାତ ହୋଇଥିଲା। ଏଥିରେ ତାଙ୍କ ଜୀବନ ଚାଲିଯାଇଥିଲା। ସୌଭାଗ୍ୟବଶତଃ ବସ୍‌ଟି ଚାଳକବିହୀନ ହୋଇଯାଇଥିଲେ ହେଁ ରାସ୍ତାକଡ଼ ଗାର୍ଡ ୱାଲରେ ବାଡ଼େଇ ହୋଇ ଅଟକି ଯାଇଥିଲା। ଫଳରେ ବସ୍‌‌ଟି ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲା। ବସ୍‌‌ରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି। ଖବର ପାଇବା ପରେ ୧୦୮ ଆମ୍ୱୁଲାନ୍ସ କର୍ମଚାରୀ, ଟିମ ହ୍ୟୁମାନଟି ର କର୍ମକର୍ତ୍ତା, ଘରୋଇ ବସ ମାଲିକ ସଂଘର କର୍ମକର୍ତ୍ତା ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଡ୍ରାଇଭର ସନାତନ ଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲା। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ବିଧିବଦ୍ଧ ଭାବେ ମୃତ ଘୋଷଣା କରିଥିଲେ। ଖବର ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଅବ୍ୟାହତ ରଖିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ