ଚଳପ୍ରଚଳ ରାସ୍ତାକୁ ରେଳ ବିଭାଗ ବନ୍ଦ କରିବାକୁ ନେଇ ଜନଅସନ୍ତୋଷ
ମୟୁରଭଞ୍ଜ, (ମୁରାରୀ ମୋହନ ମହାପାତ୍ର):ଦେବେନ୍ଦ୍ରପୁର ଅଞ୍ଚଳରେ ରେଳ ବିଭାଗର ମନଇଚ୍ଛା ଅବ୍ୟବସ୍ଥିତ କାର୍ଯ୍ୟ ପାଇଁ ସ୍ଥାନୀୟ ବାସିନ୍ଦା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି. ଚଳପ୍ରଚଳ ପାଇଁ ଥିବା ଏକମାତ୍ର ରାସ୍ତାକୁ ରେଳ ବିଭାଗ ଦ୍ଵାରା ବନ୍ଦ କରିବାକୁ ନେଇ ଜନଅସନ୍ତୋଷ ପ୍ରକାଶ ପାଇଛି. ଯାହାକୁ ନେଇ ରବିବାର ସକାଳେ ଉକ୍ତ ସ୍ଥାନରେ ଗଳାପୋଲ ନିର୍ମାଣ ଦାବିରେ ସ୍ଥାନୀୟ ବାସିନ୍ଦା ମାନେ ଆନ୍ଦୋଳନ କରିଛନ୍ତି. ୱାର୍ଡ ନମ୍ବର ୨୫, ଦେବେନ୍ଦ୍ରପୁର ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନିକଟରେ ରେଳ ଧାରଣା ପାର ହୋଇ ଯିବା ରାସ୍ତାକୁ ରେଳ ବିଭାଗ ପକ୍ଷରୁ ସ୍ଥାୟୀ ଭାବେ ବନ୍ଦ କରି ଦିଆଯାଇଛି. ଯାହା ଫଳରେ ଉକ୍ତ ରାସ୍ତା ଉପରେ ନିର୍ଭର କରୁଥିବା ୱାର୍ଡ ନମ୍ବର ୨୫ ସମେତ ତାଡ଼କୀ, ତାଡ଼କିଷୋଳ, ପୁରୁଡ଼ିହି, ଗୋପାଳପୁର, ରଙ୍ଗାମାଟିଆ ପରି ଗ୍ରାମବାସୀଙ୍କ ଚଳପ୍ରଚଳରେ ବାଧା ସୃଷ୍ଟି ହେଉଛି. ରାଜରାଜୁଡା ଅମଳରେ ନେରୋଗ୍ରେଜ ରେଳ ଚଳାଚଳ ହେଉଥିବା ବେଳରୁ ଏହି ରାସ୍ତା ରହିଛି. ଯେଉଁଥିରେ କି ୨୦୦୦ରୁ ଉର୍ଦ୍ଧ୍ବ ପରିବାର ନିୟମିତ ଯାତାୟତ କରିଆସୁଛନ୍ତି. ବ୍ରୋଡ଼ଗେଜ ରେଳ ଚଳାଚଳ ପରେ ଏହାକୁ ବନ୍ଦ କରିବା ପାଇଁ ରେଳ ବିଭାଗ ଚକ୍ରାନ୍ତ କରିଥିଲେ. ଗତ ୬ମାସ ପୂର୍ବେ ରେଳ ବିଭାଗ ଡିଜିଏମ ଜିଲ୍ଲା ଗସ୍ତରେ ଆସିବା ବେଳେ ରେଳ ବିଭାଗ ଅଧିକାରୀ ମାନେ ଲୁହା ଖୁଣ୍ଟି ଦେଇ ଉକ୍ତ ରାସ୍ତାକୁ ବନ୍ଦ କରି ଦେଇଛନ୍ତି. ସ୍ଥାନୀୟ ଜନସାଧାରଣ ଏହାକୁ ବିରୋଧ କରିବାରୁ ଖୁବଶୀଘ୍ର ପୂର୍ବ ପରି ଚଳପ୍ରଚଳ ବ୍ୟବସ୍ଥା କରାଯିବ ବୋଲି ଅଧିକାରୀ ମାନେ ପ୍ରତିଶ୍ରୁତି ଦେଇଥିଲେ. କିନ୍ତୁ ୬ମାସ ବିତି ଯାଇଥିଲେ ସୁଦ୍ଧା ସମସ୍ୟାର ସମାଧାନ ନେଇ ରେଳ ବିଭାଗ ଅଧିକାରୀ ମାନେ କୋଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି. ଉକ୍ତ ରାସ୍ତା ବନ୍ଦ ହେବା ଦ୍ୱାରା ସ୍ଥାନୀୟ ଅଧିବାସୀ ମାନଙ୍କୁ ଦୈନ୍ୟନ୍ଦିନ କାମ ପାଇଁ ୩କିଲୋମିଟର ଅଧିକ ବାଟ ବୁଲିକି ଯିବାକୁ ପଡୁଛି. ଏହା ସହିତ ଅନ୍ୟ ଏକ ରାସ୍ତାକୁ ସୁବର୍ଣ୍ଣରେଖା ଜଳ ସେଚନ ପ୍ରକଳ୍ପ କାର୍ଯ୍ୟ ବେଳେ କେନାଲ ନିମନ୍ତେ ବନ୍ଦ କରାଯାଇଛି. ତେଣୁ ଚଳପ୍ରଚଳ ପାଇଁ ଏହା ହିଁ ଏକମାତ୍ର ରାସ୍ତା ଅଟେ. ଏହାକୁ ବନ୍ଦ କରିବା ଦ୍ୱାରା ବାରିପଦା ପୋୖରପାଳିକା ସଫେଇ ଗାଡି, ଆମ୍ବୁଲାନ୍ସ ଯାଇ ପାରୁନାହାଁନ୍ତି. ଛାତ୍ରଛାତ୍ରୀ ମାନେ ସ୍କୁଲ ଓ କଲେଜ ଯିବାକୁ ମଧ୍ୟ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି. ନିକଟରେ ପିଆରଏମ ହସ୍ପିଟାଲ ଓ ଦେବେନ୍ଦ୍ରପୁର ସିଏଚସି ଥିଲେ ସୁଦ୍ଧା ରାସ୍ତା ବନ୍ଦ ଯୋଗୁଁ ରୋଗୀଙ୍କୁ ନେଇ ଅଧିକ ବାଟ ବୁଲିକି ଯିବାରୁ ଘଣ୍ଟା ଘଣ୍ଟା ସମୟ ଯାଉଛି. କିଛି ଦିନ ପୂର୍ବେ ଜଣେ ପ୍ରସୂତିଙ୍କୁ ହସ୍ପିଟାଲ ନେଇ ଯିବାରେ ବିଳମ୍ବ ହେବାରୁ ତାଙ୍କ ଜନ୍ମିତ ଛୁଆର ମୃତ୍ୟୁ ହୋଇଛି ବୋଲି ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି. ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବାର ନେଇ ମନ୍ତ୍ରୀ, ବିଧାୟକ, ସାଂସଦ ଓ ରେଳ ବିଭାଗ ଅଧିକାରୀ ମାନଙ୍କୁ ଜଣାଇଲେ ସୁଦ୍ଧା କେହି କିଛି କର୍ଣ୍ଣପାତ କରୁନାହାଁନ୍ତି. ତେଣୁ ବାଧ୍ୟ ହୋଇ ଆଜି ସ୍ଥାନୀୟ ଅଧିବାସୀ ରେଳ ଧାରଣା ନିକଟରେ ଆନ୍ଦୋଳନ କରିଥିଲେ. ଆନ୍ଦୋଳନ ସ୍ଥଳରେ ସ୍ଥାନୀୟ ୱାର୍ଡ କାଉନସିଲର ଦେବାଶିଷ ପାତ୍ର ଉପସ୍ଥିତ ରହି ରେଳ ବିଭାଗ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ. ଜନସାଧାରଣଙ୍କ ଚଳପ୍ରଚଳ ବ୍ୟବସ୍ଥା ନିମନ୍ତେ ତୁରନ୍ତ ଏଠାରେ ଏକ ଗଳାପୋଲ ନିର୍ମାଣ ନିମନ୍ତେ ଦାବି ଉପସ୍ଥାପନ କରିଛନ୍ତି. ତେବେ ଏହାର ସମାଧାନ ନହେଲେ ଆଗକୁ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି.


