ଚଳିତବର୍ଷ ହେବକି କଳାର ମହାକୁମ୍ଭ ଆସିକା ମହୋତ୍ସବ?
ଆସିକା, (ଯୁଗାବ୍ଦ ନ୍ୟୁଜ):ଐତିହ୍ୟ ଓ ସଂସ୍କୃତି ସଂପନ୍ନ ଆସିକା ସହରରେ ତୃତୀୟ ଥର ଲାଗି ପୁଣି ଅନୁଷ୍ଠିତ ହେବ କି କଳାର ମହାକୁମ୍ଭ ଆସିକା ମହୋତ୍ସବ (ଆସିକା ଫେଷ୍ଟ) । କେତେକ କାରଣରୁ ଗତ ୩ ବର୍ଷ ହେଲା ବନ୍ଦ ହୋଇଯାଇଥିବା ଆସିକା ମହୋତ୍ସବ ଚଳିତ ବର୍ଷ ପୁଣି କରିବା ପାଇଁ ଯୁବପିଢୀଙ୍କ ମହଲରେ ଦୃଢ ମତ ପ୍ରକାଶ ପାଇଥିବା ଲକ୍ଷ୍ୟ କରାଯାଇଛି । ଗତ ୩ ବର୍ଷ ହେଲା ଆସିକା ମହୋତ୍ସବ ହୋଇନପାରିବା ଯୋଗୁଁ ସାଧାରଣରେ ନୈରାଶ୍ୟ ଭାବ ସୃଷ୍ଟି ହୋଇଥିଲା ବେଳେ ଚଳିତବର୍ଷ ଆଗାମୀ ଦିନରେ ଆସିକା ଅଞ୍ଚଳରେ ଯଦି ତୃତୀୟ ଥର ପାଇଁ ଆସିକା ମହୋତ୍ସବ ଆୟୋଜିତ ହୁଏ ତେବେ ଖ୍ୟାତାନାମା କଳାକାରମାନଙ୍କୁ ପୁନର୍ବାର ଷ୍ଟେଜ୍ ସୋରେ ଦେଖିବାକୁ ମିଳିବ ନା, କେବଳ ଗଞ୍ଜାମ ଜିଲ୍ଲାର କଳା ଓ ସଂସ୍କୃତିକୁ ନେଇ ମହୋତ୍ସବ ଆୟୋଜନ କରାଯିବ ତାହାକୁ ନେଇ ଯୁବପିଢୀଙ୍କ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଯାଇଥିବା ଜଣାପଡିଛି । ଆସିକା ମହୋତ୍ସବକୁ ନେଇ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ସାଧାରଣ ଜନତା ଓ କଳାପ୍ରେମୀଙ୍କ ମଧ୍ୟରେ ଦିନକୁ ଦିନ ଉତ୍କଣ୍ଠା ବୃଦ୍ଧି ପାଇବାରେ ଲାଗିଛି । କଳା, ସାହିତ୍ୟ ଓ ସଂସ୍କୃତିକୁ ଉଜ୍ଜୀବିତ କରିରଖିବା ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବିଭିନ୍ନ ନାମରେ ମହୋତ୍ସବ ଆୟୋଜନ ପାଇଁ ପ୍ରାକ୍ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିଲା ବେଳେ ବର୍ତ୍ତମାନ ସୁଦ୍ଧା ଆସିକା ଅଞ୍ଚଳରେ ସେ ସଂକ୍ରାନ୍ତରେ ତତ୍ପରତା ପ୍ରକାଶ ପାଇନଥିବା ଜଣାପଡିଛି । ଆସିକା ସହରରେ ପ୍ରଥମ ଥର ପାଇଁ ଗତ ୨୦୧୯ ମସିହା ଜାନୁୟାରୀ ମାସ ୧୬ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଓ ଦ୍ୱିତୀୟ ଥର ପାଇଁ ୨୦୨୦ ମସିହା ଜାନୁୟାରୀ ମାସ ୧୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ କଳାର ମହାକୁମ୍ଭ ଆସିକା ମହୋତ୍ସବ (ଆସିକା ଫେଷ୍ଟ) କଳିଙ୍ଗ ରୋଡ ସ୍ଥିତ ମା ଖମ୍ବେଶ୍ୱରୀ ସର୍ଭିସିଂ ସେଣ୍ଟରର ପଛପଟ ପଡିଆରେ ମହାଆଡମ୍ବରରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଥିଲା । ସେତେବେଳେ ଓଡିଶାର କଳା ଓ ସଂସ୍କୃôତି ଏବଂ ଐତିହ୍ୟକୁ ରାଜ୍ୟ ତଥା ରାଜ୍ୟ ବାହାରର କଳାକାରମାନେ ନୃତ୍ୟ ଓ ସଙ୍ଗୀତ ମାଧ୍ୟମରେ ପରିବେଶଣ କରିବା ସହ ଓଲିଉଡ୍ ଓ ବଲିଉଡ୍ର ନାମୀଦାମୀ ସେଲିବ୍ରିଟ୍ ମାନଙ୍କ ସଙ୍ଗୀତ ଓ ଆକର୍ଷଣୀୟ ନୃତ୍ୟ ହଜାର ହଜାର ଦର୍ଶକଙ୍କୁ ବିମୋହିତ କରିଦେଇଥିଲା । ଗଞ୍ଜାମ ଜିଲ୍ଲାର ଲୋକକଳାକୁ ସେତେବେଳେ ଅନୁଷ୍ଠିତ ଆସିକା ମହୋତ୍ସବରେ ପ୍ରଦର୍ଶିତ କରାଯିବା ସହ ରାଜ୍ୟ ତଥା ରାଜ୍ୟ ବାହାରର ବହୁ ନାମୀଦାମୀ କଳାକାର ଯୋଗଦେଇଥିଲେ । ଐତିହ୍ୟ ଓ ସଂସ୍କୃତି ସଂପନ୍ନ ଆସିକା ଅଞ୍ଚଳରେ ତୃତୀୟ ଥର ପାଇଁ ଏହି ମହୋତ୍ସବ ପୁଣି ଆୟୋଜନ କରିବା ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢ ମତ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି ।