ଚଳିତ ବର୍ଷ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବ

ଛତ୍ରପୁର : ଚଳିତ ବର୍ଷ ଛତ୍ରପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବ । ଏନେଇ ଜିଲ୍ଲାପାଳଙ୍କ ନିଜସ୍ୱ ପ୍ରକୋଷ୍ଠରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବହୁଦିନ ଧରି ଜନସାଧାରଣଙ୍କ ଆବଶ୍ୟକ ଅନୁସାରେ କେନ୍ଦ୍ରୀୟ ବିଦ୍ୟାଳୟକୁ ଚଳିତ ବର୍ଷ ଖୋଲିବାକୁ ଯାଉଅଛି । ଆସନ୍ତା ଜୁନ୍ ମାସ ଠାରୁ ଛତ୍ରପୁର ଅନସ୍ଲୋ ହାଇସ୍କୁଲରେ ଅସ୍ଥାୟୀ ଭାବେ ପ୍ରଥମରୁ ପଞ୍ଚାମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଠପଢା ଆରମ୍ଭ ହେବ । ହାଇସ୍କୁଲ ପରିସରରେ ଉପର ଓ ତଳ କରି ୧୩ ଟି ଶ୍ରେଣୀ ଗୃହକୁ କେନ୍ଦ୍ରୀୟ ବିଦ୍ୟାଳୟ ନିମନ୍ତେ ହସ୍ତାନ୍ତର କରାଯିବ । ପ୍ରତି ଶ୍ରେଣୀରେ ୪୦ ଜଣ ଛାତ୍ରଛାତ୍ରୀ ନାମ ଲେଖାଇବେ । ଚଳିତ ବର୍ଷ ଅଫଲାଇନ୍ ମାଧ୍ୟମରେ ଫର୍ମ ଆବେଦନ ପ୍ରକ୍ରିୟା ରହିବ । ଅପ୍ରିଲ ମାସ ବେଳକୁ ଫର୍ମ ଆବେଦନ ପ୍ରକ୍ରିୟା ରହିବ ବୋଲି ସୂଚନା ମିଳିଛି । ଅନସ୍ଲୋ ସ୍କୁଲରେ ଅସ୍ଥାୟୀ ଶ୍ରେୀଣୀ ଗୃହ ଗୁଡିକରେ ଛାତ୍ରଛାତ୍ରୀଙ୍କ ନିମନ୍ତେ ଜିଲ୍ଲା ପ୍ରଶାସନ ଟେବୁଲ୍ ଓ ଚେୟାର ବାବଦରେ ତିନିଲକ୍ଷ ଟଙ୍କା ଖର୍ଚ୍ଚ କରିବ । ଏଥିସହ ବିଦ୍ୟୁତ୍‌, ଶ୍ରେୀଣୀ ଗୃହ ଗୁଡିକର ମରାମତି, ପାନୀୟ ଜଳ ବ୍ୟବସ୍ଥା ଆଦି ପରିପାଶ୍ୱର୍ର ବିଭିନ୍ନ ଆନୁଷଙ୍ଗିକ କାର୍ଯ୍ୟ ଗୁଡିକୁ ତୁରନ୍ତ ସମାଧାନ କରାଯିବ । ଆସନ୍ତା ୧୩ ତାରିଖ ଅପରାହ୍ନରେ କେନ୍ଦ୍ରୀୟ ବିଦ୍ୟାଳୟର କର୍ତ୍ତୃପକ୍ଷ ଏବଂ ବିଭିନ୍ନ ଲାଇନ୍ ବିଭାଗ ଅଧିକାରୀମାନେ ଅନସ୍ଲୋ ହାଇସ୍କୁଲର ହସ୍ତାନ୍ତର ହେବାକୁ ଥିବା ଶ୍ରେଣୀ ଗୃହର ସ୍ଥିତିକୁ ତଦାରଖ କରିବେ ବୋଲି ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ କହିଛନ୍ତି । ବୈଠକରେ ଅତିରିକ୍ତ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ତହସିଲଦାର ନୀଳମାଧବ ଭୋଇ, ପୁର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଟି.ଲୋକେଶ ରାଓ, ବିଦ୍ୟୁତ୍ ବିଭାଗର ନିର୍ବାହୀ ଯନ୍ତ୍ରୀ ରୋହିତ କୁମାର ସେଠୀ, ଜନସ୍ୱାସ୍ଥ୍ୟ ବିଭାଗର ନିର୍ବାହୀ ଯନ୍ତ୍ରୀ, ଏବିଇଓ ନୃସିଂହ ଚରଣ ମିଶ୍ର, ଅନସ୍ଲୋ ହାଇସ୍କୁଲର ପ୍ରଧାନଶିକ୍ଷକ ବାଉରୀବନ୍ଧୁ ପଣ୍ଡା, କେନ୍ଦ୍ରୀୟ ବିଦ୍ୟାଳୟର ପ୍ରିନ୍ସପାଲ ବିଘ୍ନେଶ୍ୱର ପଟ୍ଟନାୟକ ଓ ପି.ଆର୍ .ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନକୁ ଆର୍ଯ୍ୟପଲ୍ଲୀ ଠାରେ ୧୦ ଏକର ଜମି ହସ୍ତାନ୍ତର କରିବା ପାଇଁ ଓଡିଶା ରାଜସ୍ୱ ବୋର୍ଡ ପକ୍ଷରୁ ଅନୁମୋଦନ ମିଳିଛି । ଏହାର କେସ୍ ରେକର୍ଡ ଆଜି ସ୍ପିଡ୍‌ପୋଷ୍ଟ ଜରିଆରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ନିକଟକୁ ପଠାଯାଇଛି । ଆସନ୍ତାକାଲି କିମ୍ବା ତା’ପରଦିନ କେସ୍ ରେକର୍ଡ ପହଞ୍ଚିବା ପରେ ଛତ୍ରପୁର ତହିସଲଦାରଙ୍କ ଜରିଆରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ନାମରେ ଉକ୍ତ ଜମିର ପଟ୍ଟା ପ୍ରଦାନ କରାଯିବ । ଆନୁଷଙ୍ଗିକ ପ୍ରକ୍ରିୟା ଅନୁଯାୟୀ ପିଲାମାନେ ନାମ ଲେଖାର ସୁଯୋଗ ପାଇବେ । ଏହା ମଧ୍ୟରେ ଆର୍ଯ୍ୟପଲ୍ଲୀ ଠାରେ ୧୦ ଏକର ଜମିରେ କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ କୋଠା ନିର୍ମାଣ କାର୍ଯ୍ୟ ମଧ୍ୟ ଚାଲୁ ରହିବ ବୋଲି କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ପକ୍ଷରୁ ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ