ଚଳିତ ବର୍ଷ ଲାଗୁ ହେବନି +୨ ପ୍ରଥମ ବର୍ଷ ଫର୍ମୂଲା
ଭୁବନେଶ୍ୱର : ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷାରେ ଯେଉଁ ଛାତ୍ରଛାତ୍ରୀମାନେ ୩୩ ପ୍ରତିଶତ ମାର୍କ ନରଖିବେ ସେମାନେ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ପରୀକ୍ଷା ଦେଇପାରିବେ ନାହିଁ । ଅର୍ଥାତ୍ ଯୁକ୍ତ ଦୁଇ ପ୍ରଥମ ବର୍ଷରେ ପାଶ ଫେଲ ବ୍ୟବସ୍ଥା ରହିବ । ଯାହାକୁ ନେଇ ଛାତ୍ରଛାତ୍ରୀମାନଙ୍କ ମନରେ ତୀବ୍ର ଅସନ୍ତୋଷ ପରିଲକ୍ଷିତ ହୋଇଥିଲା । ଅନେକ କଲେଜରେ ଆନ୍ଦୋଳନ ମଧ୍ୟ ହୋଇଥିଲା । ତେବେ ପିଲାଙ୍କ ଚାପ ଆଗରେ ସରକାର ନରମି ଯାଇଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କର ମନ୍ତବ୍ୟରୁ ଏଭଳି ଇଙ୍ଗିତ ମିଳିଛି । ଯଦି ପିଲାମାନେ ଏବର୍ଷ ପ୍ରଥମ ଶ୍ରେଣୀ ପରୀକ୍ଷା ଦେବା ପାଇଁ ପ୍ରସ୍ତୁତ ନୁହଁନ୍ତି ତେବେ ସରକାର ଏହାର ବିଚାର କରିବେ । ପିଲାଙ୍କୁ ଫେଲ କରିବା ସରକାରଙ୍କ ଉଦ୍ଦେଶ୍ୟ ନୁହେଁ ବୋଲି ଶ୍ରୀ ଦାସ କହିଛନ୍ତି । ଚଳିତ ବର୍ଷ ଲାଗୁ ନକରିବା ନେଇ ସରକାର ବିଚାର କରିବେ ବୋଲି ଶ୍ରୀ ଦାସ ପ୍ରକାଶ କରିଛନ୍ତି । ଫଳରେ ଚଳିତ ବର୍ଷ ସରକାର ପୂର୍ବ ନିଷ୍ପତ୍ତିରୁ ଓହରିବେ ବୋଲି କୁହାଯାଉଛି ।
ସୂଚନା ଯୋଗ୍ୟ ଯେ, ସରକାର ପୂର୍ବରୁ ଘୋଷଣା କରିଥିଲେ, ଯୁକ୍ତ ୨ ପ୍ରଥମ ବର୍ଷ ପାସ୍ କରିବାକୁ ପରୀକ୍ଷାର୍ଥୀଙ୍କୁ ଦୁଇଟି ସୁଯୋଗ ମିଳିବ । ଫେବ୍ରୁଆରି ୧୫ରୁ ୨୯ ଯାଏ ପ୍ରଥମ ସୁଯୋଗ ପରୀକ୍ଷା ଅନୁଷ୍ଠିତ ହେବ । ଉକ୍ତ ପରୀକ୍ଷାରେ ୩୩ ପ୍ରତିଶତରୁ କମ୍ ମାର୍କ ରଖିଥିବା ତଥା ଫେଲ୍ ହୋଇଥିବା ପରୀକ୍ଷାର୍ଥୀଙ୍କ ପାଇଁ ପରବର୍ତ୍ତୀ ସମୟରେ ଆଉ ଗୋଟିଏ ସୁଯୋଗ ଦିଆଯିବ । ତେବେ ଏହା ପୂର୍ବରୁ ଫେଲ୍ ପରୀକ୍ଷାର୍ଥୀଙ୍କ ପାଇଁ ରିମେଡିଆଲ୍ କ୍ଲାସ୍ କରାଯିବ । ଏଥିରେ ଉକ୍ତ ଛାତ୍ରଛାତ୍ରୀଙ୍କୁ ଅଧ୍ୟାପକମାନେ ପଢ଼ାଇବେ ଏବଂ ମେ’ ମାସ ଶେଷ ସପ୍ତାହରେ ଦ୍ୱିତୀୟ ସୁଯୋଗ ଦିଆଯିବ । ଏଥିରେ ଯଦି ପରୀକ୍ଷାର୍ଥୀ ଫେଲ୍ ହୁଅନ୍ତି ତେବେ ଆଉ ସୁଯୋଗ ମିଳିବ ନାହିଁ । ଯୁକ୍ତ ୨ ଦ୍ୱିତୀୟ ବର୍ଷ ତଥା ଦ୍ୱାଦଶ ଶ୍ରେଣୀରେ ଯେଉଁ ଢାଞ୍ଚାରେ ପରୀକ୍ଷା ହେଉଛି ପ୍ରଥମ ବର୍ଷରେ ବି ସମାନ ଢାଞ୍ଚାରେ ପରୀକ୍ଷା ହେବ । ଦ୍ୱାଦଶ ଶ୍ରେଣୀକୁ ଯିବା ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରଥମ ବର୍ଷରେ ଅତିକମରେ ୩୩ ପ୍ରତିଶତ ମାର୍କ ରଖିବା ବାଧ୍ୟତାମୂଳକ। କଲେଜଗୁଡ଼ିକ ପ୍ରଥମ ବର୍ଷ ପରୀକ୍ଷା ପରିଚାଳନା କରିବେ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ପରୀକ୍ଷା ଫଳ ଜଣାଇବେ ।


