ଚଳିତ ବର୍ଷ ହେବନାହିଁ ଦିଗପହଣ୍ଡିର ମା’ ବୁଢ଼ୀ ଠାକୁରାଣୀଙ୍କ ଶାରଦୀୟ ଯାତ୍ରା
ଦିଗପହଣ୍ଡି,(ୱାଇଏନ୍ଏସ୍): ଚଳିତ ବର୍ଷ କରୋନା କଟକଣାକୁ ଦୃଷ୍ଟିରେ ରଖି ଦିଗପହଣ୍ଡି ସହର ଆରାଧ୍ୟ ଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ଶାରଦୀୟ ଯାତ୍ରାକୁ ସ୍ଥଗିତ ରଖାଯାଇଥିବା ଜଣାପଡିଛି । ତେବେ ବିଧିରକ୍ଷା ପୂର୍ବକ ଆଶ୍ୱିନ ସପ୍ତମୀ ତିଥି ଗୁରୁବାର ଠାରୁ ୭ ଦିନ ବ୍ୟାପୀ କୁମାର ପୂର୍ଣ୍ଣିମା ଯାଏଁ ମା’ ଙ୍କ ମନ୍ଦିର ବେଢାରେ ହିଁ ପାରମ୍ପରିକ ସ୍ଵତନ୍ତ୍ର ପୂଜାର୍ଚ୍ଚନା ଓ ନୀତିକାନ୍ତି ଅନୁଷ୍ଠିତ କରାଯିବ ବୋଲି ଯାତ୍ରା କମିଟି ସଭାପତି କୁରେଶୁ ମହାରଣା ସୂଚନା ଦେଇଛନ୍ତି । ସ୍ଥାନୀୟ ପ୍ରଶାସନ ପକ୍ଷରୁ ମନ୍ଦିର ରେ ସାଧାରଣ ଦର୍ଶନ ଓ ପୂଜାର୍ଚ୍ଚନାକୁ ବାରଣ କରାଯାଇଛି । ମନ୍ଦିର ବେଢ଼ାରେ ଶ୍ରଦ୍ଧାଳୁଙ୍କ ଗହଳ ଚହଳ ପରିଲକ୍ଷିତ ହେଲେ ଆଇନ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦିଗପହଣ୍ଡି ତହସିଲଦାର ତଥା ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ଅଦ୍ଵୈତ କୁମାର ସ୍ଵାଇଁ ଜଣାଇଛନ୍ତି । ଏପରିକି ଏହି ନିରାଡମ୍ବର ଯାତ୍ରା ପରିଚାଳନା ପାଇଁ ଚଳିତବର୍ଷ କାହାରିକୁ ଆର୍ଥିକ ଅନୁଦାନ ମଗାଯିବ ନାହିଁ ବୋଲି ମଧ୍ୟ ଯାତ୍ରା କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ପ୍ରତିବର୍ଷ ଗ୍ରାମବାସୀଙ୍କ ସହଯୋଗରେ ମା’ ବୁଢ଼ୀ ଠାକୁରାଣୀଙ୍କ ଚଳନ୍ତି ପ୍ରତିମା ବଜାର ଗାନ୍ଧୀ ଛକ ନିକଟ ଅସ୍ଥାୟୀ ଯାତ୍ରା ପୀଠକୁ ବିଜେ କରାଯିବା ପରେ ସହର ଉତ୍ସବ ମୁଖର ହୋଇ ଉଠୁଥିଲା । ଆଖପାଖ ଅଞ୍ଚଳରୁ ହଜାର ହଜାର ଦର୍ଶନାର୍ଥି ଯାତ୍ରା ଦେଖିବାକୁ ଆସି ମା’ ଙ୍କୁ ଅସ୍ଥାୟୀ ଯାତ୍ରା ପୀଠରେ ଦର୍ଶନ କରି ପୂଜାର୍ଚ୍ଚନା କରିବା ସହ ଆଶୀର୍ବାଦ ଭିକ୍ଷା କରୁଥିଲେ । ବାଜାବାଜଣା,ବାଣ ରୋଷଣୀ ,ପାଇକ ଆଖଡା ଏବଂ ଅନ୍ୟ ସାଂସ୍କୃତିକ ନୃତ୍ୟ ଦଳର ତାଳେ ତାଳେ ମା’ ଙ୍କ ଘଟ ସହରର ବିଭିନ୍ନ ସାହି , ବସ୍ତି ପରିକ୍ରମା କରୁଥିଲା । ଯାତ୍ରାପୀଠରେ ଛଉ,ଘୁମୁରା,ଗୋଟିପୁଅ, ଓଡ଼ିଶୀ ନୃତ୍ୟ,ଅପେରା, ଥିଏଟର ,ମେଲୋଡି ପ୍ରଭୃତି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଉଥିଲା । ମାନସିକଧାରୀ ମାନଙ୍କ ବିଭିନ୍ନ ବେଶ ଭୂଷା ଯାତ୍ରାର ଆକର୍ଷଣକୁ ବହୁଗୁଣିତ କରୁଥିଲା । ପୂଜାଛୁଟି କଟାଇବା ପାଇଁ ଏହି ଯାତ୍ରା ଏକ ଭଲ ସୁଯୋଗ ହୋଇଥିବାରୁ ରାଜ୍ୟ ତଥା ରାଜ୍ୟ ବାହାରେ ରହୁଥିବା ପ୍ରବାସୀମାନେ ଗାଁକୁ ପରିବାର ସଦସ୍ୟଙ୍କ ସହ ଫେରିଆସି ଯାତ୍ରାରେ ଅଂଶଗ୍ରହଣ କରୁଥିଲେ । ସହରର ପ୍ରାୟ ପ୍ରତ୍ୟେକ ପରିବାରରେ ବନ୍ଧୁ ବାନ୍ଧବଙ୍କ ଗହଳି ଚହଳି ଲାଗି ରହୁଥିଲା । ଘରେ ଘରେ ପିଠା ପଣାର ଆସର ଜମୁଥିଲା । ଚଳିତବର୍ଷ ମହାମାରୀ କରୋନା ପାଇଁ ବହୁବର୍ଷରୁ ଅନୁଷ୍ଠିତ ହୋଇ ଆସୁଥିବା ପାରମ୍ପରିକ ଠାକୁରାଣୀ ଯାତ୍ରା ବନ୍ଦ ନିଷ୍ପତ୍ତିକୁ ସହରର ବୁଦ୍ଧିଜୀବୀ ମହଲ ସ୍ଵାଗତ କରିଥିବା ବେଳେ କିଛି ଯୁବଗୋଷ୍ଠୀଙ୍କ ମନ ଫିକା ପଡିଯାଇଥିବା ପରିଲକ୍ଷିତ ହୋଇଛି ।