ଚଳିତ ମାସରୁ ‘ଗଗନଯାନ’ ମହାକାଶଚାରୀଙ୍କ ପ୍ରଶିକ୍ଷଣ

ନୂଆଦିଲ୍ଲୀ : ଭାରତର ପ୍ରଥମ ମାନବ ମହାକାଶ ଅଭିଯାନ ଗଗନଯାନର ମହାକାଶଚାରୀମାନେ ଚଳିତ ମାସଠାରୁ ସେମାନଙ୍କ ପ୍ରଶିକ୍ଷଣ ଆରମ୍ଭ କରିବେ । ସମ୍ଭବତଃ ଏହି ପ୍ରଶିକ୍ଷଣ ଜାନୁଆରି ତୃତୀୟ ସପ୍ତାହଠାରୁ ଆରମ୍ଭ ହୋଇପାରେ । ଗୁରୁବାର ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଛନ୍ତି କେନ୍ଦ୍ର ଆଣବିକ ଶକ୍ତି ଓ ମହାକାଶ ମନ୍ତ୍ରାଳୟ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଡ. ଜିତେନ୍ଦ୍ର ସିଂ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତର ପ୍ରଥମ ମହାକାଶ ଅଭିଯାନରେ ସାମିଲ ହେବାକୁ ଥିବା ମହାକାଶଚାରୀଙ୍କ ପ୍ରଶିକ୍ଷଣ ରୁଷରେ ହେବ । ଏହି ଅଭିଯାନ ପାଇଁ ୪ ଜଣ ମହାକାଶଚାରୀଙ୍କୁ ଚୟନ କରାଯାଇଛି । କେନ୍ଦ୍ରମନ୍ତ୍ରୀଙ୍କ ସୂଚନା ଅନୁସାରେ, ୧୧ ମାସ ଧରି ଏହି ୪ ଜଣ ମହାକାଶଚାରୀ ପ୍ରଶିକ୍ଷଣ ନେବେ । ତେବେ, ସେମାନଙ୍କ ପରିଚୟ ସର୍ବସାଧାରଣରେ ପ୍ରକାଶ କରାଯାଇପାରିବ ନାହିଁ ।
ରୁଷରେ ୧୧ ମାସ ଧରି ତାଲିମ ନେବା ପରେ ଏହି ମହାକାଶଚାରୀମାନେ ଭାରତରେ ସ୍ୱତନ୍ତ୍ର ମଡ୍ୟୁଲ ତାଲିମ ନେବେ । ଏଥିରେ ସେମାନେ ଇସ୍ରୋ ଦ୍ୱାରା ଡିଜାଇନ ହୋଇଥିବା କ୍ରିଉ ଓ ସର୍ଭିସ୍ ମଡ୍ୟୁଲ ସମ୍ପର୍କରେ ପ୍ରଶିକ୍ଷଣ ନେବେ । ଇସ୍ରୋ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଭାରତର ସବୁଠୁ ଭାରୀ ମହାକାଶ ଉତକ୍ଷେପଣ ଯାନ ‘ବାହୁବଳୀ’ ଜିଏସ୍ଏଲଭି ମାର୍କ-ଥ୍ରୀ ଜରିଆରେ ମହାକାଶଚାରୀମାନେ ମହାକାଶକୁ ଯିବେ । ଗଗନଯାନ ପ୍ରକଳ୍ପ ଲାଗି କେନ୍ଦ୍ର କ୍ୟାବିନେଟ ପୂର୍ବରୁ ୧୦ ହଜାର କୋଟି ଟଙ୍କା ମଞ୍ଜୁର କରିସାରିଛନ୍ତି । ଗତବର୍ଷ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ସମ୍ପର୍କରେ ଘୋଷଣା କରିଥିଲେ । ଭାରତ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଏହି ଗଗନଯାନ ଅଭିଯାନ ଆରମ୍ଭ କରାଯିବ । ୧୯୮୪ରେ ପ୍ରଥମ ଭାରତୀୟ ଭାବେ ରାକେଶ ଶର୍ମା ମହାକାଶ ଯାତ୍ରା କରିଥିଲେ । ତେବେ ଯେଉଁ ମହାକାଶଯାନରେ ସେ ମହାକାଶକୁ ଯାଇଥିଲେ ତାହା ଭାରତର ନଥିଲା । ତେଣୁ ପ୍ରଧାନମନ୍ତ୍ରୀଙ୍କ ‘ମେକ ଇନ ଇଣ୍ଡିଆ’ ସ୍ୱପ୍ନକୁ ବାସ୍ତବରେ ପ୍ରତିଫଳିତ କରୁଥିବା ‘ଗଗନଯାନ’ ହେବ ଭାରତ ଦ୍ୱାରା କଳ୍ପିତ ଏବଂ ବିକଶିତ ପ୍ରଥମ ମାନବ ମହାକାଶ ଅଭିଯାନ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ