ଚଳିତ ମାସରେ ଆସିପାରେ କରୋନା ଔଷଧ
ନୂଆଦିଲ୍ଲୀ:ସମଗ୍ର ବିଶ୍ୱରେ ମହାମାରୀର ରୂପ ନେଇଥିବା କୋଭିଡ-୧୯ ର ଉପଚାର ଦିଗରେ ଆଶାର ଆଲୋକ ସୃଷ୍ଟି କରିଛି ଆମେରିକା । ଏହାର ଏକ ଫାର୍ମାସୁ୍ୟଟିକାଲ କମ୍ପାନୀ ଗିଲଡ ସାଇନ୍ସେସ ଆଇଏନସି ପ୍ରସ୍ତୁତ କରିଥିବା ଔଷଧ ‘ରେମଡେସିଭିର’ ତୃତୀୟ ପର୍ଯ୍ୟାୟ ଗବେଷଣା ଚଳାଇଛି । ଏହା ସଫଳ ହେଲେ ଏପି୍ରଲ ସୁଦ୍ଧା ଏହି ଔଷଧ ବଜାରରେ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି ।
ଅନ୍ୟପଟେ ଚୀନ ଓ ଅନ୍ୟ ରାଷ୍ଟ୍ରଗୁଡ଼ିକରେ କୋଭିଡ-୧୯ ରୋଗୀଙ୍କ ଉପରେ କେତେକ ଔଷଧର ପ୍ରଭାବ ସମ୍ବନ୍ଧରେ ବିଶ୍ୱବ୍ୟାପୀ ଏକାଧିକ ପରୀକ୍ଷା ଜାରି ରହିଛି । ଏହାର ପ୍ରାରମ୍ଭିକ ଫଳାଫଳ ରିପୋର୍ଟ ଆସନ୍ତା ସପ୍ତାହ ପ୍ରାରମ୍ଭରେ ପ୍ରକାଶ ପାଇବାର ସମ୍ଭାବନା ରହିଛି । ମାନବ ଓ ପ୍ରାଣୀଙ୍କ ଠାରେ ପ୍ରୟୋଗାତ୍ମକ ଗବେଷଣା ଓ ବିସ୍ତୃତ ଭୂତାଣୁନିରୋଧୀ କ୍ଷମତାକୁ ବିଚାରକୁ ନେଲେ ଚିକିତ୍ସା ପାଇଁ ‘ରେମଡେସିଭିର’ ସବୁଠାରୁ ବେଶୀ ବ୍ୟବହାର ଯୋଗ୍ୟ ବୋଲି ବିଚାର କରାଯାଉଥିବା ଜାନୁଆରୀରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ କୁହାଯାଇଥିଲା । ଏହାକୁ ପ୍ରଥମେ ଇବୋଲା ଭୂତାଣୁ ସଂକ୍ରମଣର ଉପଚାର ପାଇଁ ପ୍ରସ୍ତୁତ କରାଯାଇଥିଲା । ପୂର୍ବ କଙ୍ଗୋର ରୋଗୀଙ୍କ ଉପରେ ଏହାକୁ ପରୀକ୍ଷା ମୂଳକ ଭାବେ ପ୍ରୟୋଗ କରାଯାଇଥିଲା । ରେମଡିସିଭିର ଏକ ଟିକା ନୁହେଁ । ତେବେ ଏହି ଔଷଧକୁ ଗିଲଡର ସାଇନ୍ସେସର ବିଶେଷ ନିୟନ୍ତ୍ରଣ ମଧ୍ୟରେ ରଖାଯିବା ଉଚିତ ନୁହେଁ ବୋଲି ମାର୍ଚ୍ଚ ୩୦ ରେ ୧୫୦ ରୁ ଊଦ୍ଧ୍ୱର୍ କମ୍ପାନୀ ତଥା ବିଭିନ୍ନ ରାଷ୍ଟ୍ରର ଡାକ୍ତର ଓ ବିଶେଷଜ୍ଞମାନେ ମତ ଦେଇଛନ୍ତି । ଆମେରିକାର ଖାଦ୍ୟ ଓ ଔଷଧ ପ୍ରଶାସନ ରେମଡିସିଭିରକୁ ମାର୍ଚ୍ଚ ୨୩ ରେ ଏକ ‘ଅର୍ଫାନ ଡ୍ରଗ’ ମାନ୍ୟତା ଦେଇଥିଲା । ସାଧାରଣତଃ ବିରଳ ରୋଗ ଚିହ୍ନଟ, ସେଥିରୁ ସୁରକ୍ଷା ଦେଉଥିବା ଅଥବା ତାହାର ଚିକିତ୍ସା କରୁଥିବା କୌଣସି ଔଷଧକୁ ଏହି ମାନ୍ୟତା ଦିଆଯାଇଥାଏ । ଏଭଳି ଔଷଧ ବାଣିଜ୍ୟିକ ଦୃଷ୍ଟିକୋଣରୁ ବିକଶିତ ନ ହୋଇଥିବା ବେଳେ ତାହାର ଉପାଦନ ପାଇଁ ସରକାରୀ ସହାୟତା ଆବଶ୍ୟକ ଥିବାରୁ ତାହାକୁ ଏଭଳି ମାନ୍ୟତା ଦିଆଯାଏ ।
ଗବେଷଣାର ତୃତୀୟ ପର୍ଯ୍ୟାୟରେ ଔଷଧଟି କେତେ ପ୍ରଭାବଶାଳୀ ତାହା ଜାଣିବା ଲାଗି ଏହାକୁ ଲୋକଙ୍କଠାରେ ପରୀକ୍ଷାମୂଳକ ଭାବେ ପ୍ରୟୋଗ କରାଯାଇଛି । ଏକ ଆକଳନ ଅନୁସାରେ ତୃତୀୟ ପର୍ଯ୍ୟାୟରେ ପହଞ୍ଚିଥିବା ୭୦-୯୦% ଔଷଧ ସଫଳ ହୋଇଛି । ଆମେରିକାରେ ୧,୬୦,୭୦୦ ଜଣ ଲୋକ କରୋନା ସଂକ୍ରମିତ ହୋଇପଡ଼ିଥିବା ବେଳେ ଏଫଡିଏ ଏହି ଔଷଧକୁ ଫ୍ରାଷ୍ଟଟ୍ରାକ ଭିତ୍ତିରେ ମଞ୍ଜୁରି ପ୍ରଦାନ କରିବ ବୋଲି ଗବେଷକମାନେ ଆଶା ବ୍ୟକ୍ତ କରିଛନ୍ତି ।
ଅନ୍ୟପଟେ ବ୍ୟବସାୟିକ ସ୍ତରରେ ଏହା ଉପଲବ୍ଧ ହେବା ପରେ ଭାରତ ଭଳି ରାଷ୍ଟ୍ର ପାଇଁ ଏହାର ମୂଲ୍ୟ କ’ଣ ଧାର୍ଯ୍ୟ କରାଯିବ ତାହା ଏକ ବୃହତ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏକାଧିକ ସ୍ୱେଚ୍ଛାସେବୀ ସଂସ୍ଥା ସେମାନଙ୍କ ରିପୋର୍ଟରେ ଦର୍ଶାଇଛନ୍ତି ଯେ ଗିଲଡ ସାଇନ୍ସେସ ୭୦ ରୁ ଊର୍ଦ୍ଧ୍ବ ଦେଶରେ ‘ରେମଡେସିଭିର’ ର ପ୍ରାଥମିକ ପେଟେଣ୍ଟ ଲାଭ କରିଛି ।