ଚାଇଁପୁର ସମିତି ଆଗରେ ଧାନ କିଣା ଦାବୀ ନେଇ ବସିଲେ ଚାଷୀ
ବନ୍ତ, (ଚାନ୍ଦିନୀ ମହାନ୍ତି) : ଶନିବାର ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ,ବନ୍ତ ଶାଖା ଅଧିନ ଚାଇଁପୁର ସେବା ସମବାୟ ସମିତି ମଣ୍ଡି ଆଗରେ ଚାଷୀ ମାନେ ଧାନ କିଣା ଦାବୀରେ ବସିଥିବା ଦେଖାଯାଇଥିଲା । ଚାଷୀ ଅଜୟ କୁମାର ନାୟକ, ସୁବାଷ ପୃଷ୍ଟି, ରମେଶ ଭୋଇ, ବିଜୟ ସାହୁ, ଲକ୍ଷ୍ମୀପ୍ରିୟା ଦାଶ, ବିଷ୍ଣୁ ମୋହନ କର, ହିମାଂଶୁ ଶେଖର ଭାଟ୍ଟରାୟ, ସେକ୍ ଇମାମ୍, ସୁକାନ୍ତ ଜେନା, ଜଳଧର ନାୟକ, ଶରତ ଜେନା, ଭାଗବତ ସାହୁ, ଅନନ୍ତ ନାୟକ, କୃଷ୍ଣ ଚନ୍ଦ୍ର ନାୟକ, ଗଣେଶ ନାୟକଙ୍କ ସମେତ ଶତାଧିକ ଚାଷୀ ଟୋକନ୍ ପାଇ ମଧ୍ୟ ଧାନ ବିକ୍ରି କରିବାରୁ ବଞ୍ôଚତ ହୋଇଛନ୍ତି । ଲାପ୍ସ ଟୋକନକୁ କାର୍ଯ୍ୟକାରୀ କରାଇ ମଣ୍ଡିରେ ପଡିଥିବା ଧାନକୁ ତୁରନ୍ତ କିଣିବାକୁ ସେମାନେ ଦାବୀ କରିଛନ୍ତି । ନହେଲେ ବାଧ୍ୟ ହୋଇ ଚାଷୀ ମାନେ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି । ପ୍ରକାଶ ଯେ, ଚଳିତ ଖରିଫ ଋତୁରେ ଉକ୍ତ ସମିତିର ୫୧୦ ଜଣ ଚାଷୀ ଧାନ ବିକ୍ରୟ କରିବା ନେଇ ଅନଲାଇନ୍ ପଞ୍ଜୀକରଣ କରିଥିଲେ । ସେମାନଙ୍କ ମଧ୍ୟରୁ ୫୦୭ ଟୋକନ୍ ପାଇଥିଲେ । ଫେବୃଆରୀ ୩, ୫, ୧୦, ୧୨, ୧୫ ତାରିଖର ଟୋକନ୍ ପାଇଥିବା ଚାଷୀ ମାନେ ମଣ୍ଡିରେ ଧାନ ପକାଇ ଥିବା ବେଳେ ସେମାନଙ୍କ ଧାନକୁ କିଣା ଯାଇନଥିଲା । ଫଳରେ ଟୋକନ୍ ଗୁଡିକ୍ ଲାପ୍ସ କରିଗଲା । ଟୋକନ୍ ଲାପ୍ସ କରିବା ପରେ ଏବେ ଚାଷୀ ମାନେ ମୁଣ୍ଡିରେ ହାତ ଦେଇ ବସିଛନ୍ତି । ଏପଟେ ଖୋଲା ଆକାଶ ତଳେ ମଣ୍ଡିରେ ଧାନ ଗୁଡିକ ପଡି ନଷ୍ଟ ହେବାକୁ ବସିଛି । ଗତ ଡିସେମ୍ବର ୨୬ ଠାରୁ ଅଦ୍ୟାବଧି ଉକ୍ତ ମଣ୍ଡିରେ ପ୍ରାୟ ୨୧ ହଜାର ୪ ଶହ କୁଇଁଣ୍ଟାଲ ଧାନ କିଣାଯାଇ ସାରିଛି । ଅପରପକ୍ଷେ ପ୍ରାୟ ୧୫୭ ଟୋକନ ଲାପ୍ସ କରିବା ଫଳରେ ୬ରୁ ୭ ହଜାର କୁଇଁଣ୍ଟାଲ ଧାନ କିଣା ଯାଇପାରିନାହିଁ । ଏସଂପର୍କରେ ଧାନ କ୍ରୟ ଅଧିକାରୀ ବିବେକାନନ୍ଦ ବିଶ୍ୱାଳଙ୍କୁ ପଚାରିବାରୁ ସରକାରୀ ଟାର୍ଗେଟ ନଆସିବାରୁ ଟୋକନ୍ ଗୁଡିକ ସ୍ୱୟଂକୃତ ଲାପ୍ସ କରିଯାଇଛି । ସେଥିରେ ସମିତି କିଛି କରିପାରିବ ନାହିଁ । ଲାପ୍ସ ଟୋକନ୍ ଗୁଡିକ ରିଭର୍ସ ହେଲେ ଧାନ କିଣାଯାଇ ପାରିବ ବୋଲି କହିଥିଲେ ।


