ଚାଇନା ଗୁଡ଼ିକୁ ନା
ଭୁବନେଶ୍ୱର : ଆଗକୁ ଆସୁଛି ମକର ସଂକ୍ରାନ୍ତି । ଏହି ପର୍ବରେ ଗୁଡ଼ି ଉଡ଼ାଇବାର ପରମ୍ପରା ଆମ ରାଜ୍ୟର କେତେକ ସହର ଓ ଗ୍ରାମାଞ୍ଚଳରେ ପ୍ରଚଳିତ । ଏହି ଗୁଡ଼ି ଉଡ଼ା ପର୍ବକୁ ଦୃଷ୍ଟିରେ
ରଖି ବଜାରରେ ପହଞ୍ଚି ଗଲାଣି ରଙ୍ଗବେରଙ୍ଗର ଚାଇନା ତିଆରି ଗୁଡ଼ି । ଖୁସି ଆଉ ମନୋରଞ୍ଜନର ସାଧନ ସାଜିଥିବା ଗୁଡ଼ିରେ ବିଷାକ୍ତ ମାଞ୍ଜର ବ୍ୟବହାର ବ୍ୟାପକ ଧନଜୀବନ ନଷ୍ଟ କରୁଛି । ଆଖିକୁ
ଚକ୍ମକ୍ ଦେଖାଯାଉଥିବ ରଙ୍ଗୀନ ଜରି ପ୍ରକୃତି ଓ ପରିବେଶ ପ୍ରତି ବିପଦ ସୃଷ୍ଟି କରୁଛି । ଖୁସି ଦେବା ବଦଳରେ ଅମାପ ଦୁଃଖର କାରଣ ହେଉଥିବା ଏଭଳି ଚାଇନା ଗୁଡ଼ି ବାବଦରେ ସ୍ୱର ତୋଳିଛି ରାଜଧାନୀର ଚିତ୍ରଶିକ୍ଷା ଅନୁଷ୍ଠାନ ‘ଚିତ୍ରଶାଳା’ । ‘ଚିତ୍ରଶାଳା’ର କୁନି ଶିଳ୍ପୀମାନେ ଭୟାନକ ମାଞ୍ଜ ଓ ଚାଇନା ଜରି ବିରୋଧରେ ସଚେତନତା ସୃଷ୍ଟି ସହିତ ଇକୋଫ୍ରେଣ୍ଡଲି ଗୁଡ଼ି ତିଆରି କରି ଉପଲବ୍ଧ କରାଉଛନ୍ତି । ଭୁବନେଶ୍ୱର ସହର ର ପୋଖରୀପୁଟ ଇନ୍ଦ୍ରପ୍ରସ୍ଥ କଲୋନୀ ଫେଜ୍-୨ଠାରେ ଗଢି ଉଠିଥିବା ଚିତ୍ରଶାଳାର କୁନି ଶିଳ୍ପୀମାନେ ମକର ସଂକ୍ରାନ୍ତିର ପ୍ରକୃତ ଆନନ୍ଦ ପାଇବାର ବାର୍ତ୍ତା ସହିତ ରଙ୍ଗୋଲିରେ
ପରିବେଶକୁ ସୁହାଇଲା ଭଳି ଗୁଡ଼ି ଆଙ୍କି ସ୍ଥାନୀୟ ଅଞ୍ଚଳରେ ଜନ ସଚେତନତା ସୃଷ୍ଟି କରିଛନ୍ତି । କୁନି ଶିଳ୍ପୀଙ୍କ ଏଭଳି ପ୍ରୟାସକୁ ପ୍ରୋତ୍ସାହିତ କରିଛନ୍ତି ଅନୁଷ୍ଠାନର ପ୍ରତିଷ୍ଠାତା ଅନସୂୟା ସାହୁ । ଏଭଳି ସଚେତନତା କାର୍ଯ୍ୟକ୍ରମରେ ଯୋଗଦେଇ ପରିବେଶବିତ୍ ତଥା ସାମାଜିକ କର୍ମୀ ସୁଶାନ୍ତ ସାହୁ ସାମ୍ପ୍ରତିକ ପରିସ୍ଥିତିରେ ଏଭଳି ପ୍ରୟାସକୁ ପ୍ରଶଂସା କରିଛନ୍ତି । ପ୍ଲାଷ୍ଟିକମୁକ୍ତ ପରିବେଶ ଗଠନରେ ଏଭଳି କ୍ଷୁଦ୍ର ପ୍ରୟାସ ର ବ୍ୟାପକ ପ୍ରଭାବ ରହିଥିବା ସେ ସୂଚାଇଛନ୍ତି । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ସ୍ଥିତ ବି.ଆଇ ପ୍ରୋଫେସନାଲସ୍ ସଂସ୍ଥା ପକ୍ଷରୁ ଚିତ୍ରଶିଳ୍ପୀମାନଙ୍କୁ ଆବଶ୍ୟକୀୟ ଉପକରଣ ଯୋଗାଇ ଦିଆଯାଇଥିଲା ।