ଚାଚ୍ଚକାଇଙ୍କ ପୀଠରେ ମହାଷ୍ଟମୀ ରାତିରେ ପଡ଼େ ବଳି
ନିମାପଡ଼ା,( ସନ୍ତୋଷ ଦାଶ) ପ୍ରାଚୀ ଉପତ୍ୟକାର ନୟାହାଟ ନିକଟସ୍ଥ ନରସିଂହପୁର ହାଟ ଗ୍ରାମରେ ପୂଜା ପାଇ ଆସୁଥିବା ମା ଚାଚ୍ଚକାଇଙ୍କ ମନ୍ଦିରରେ ଆଶ୍ଵିନ କୃଷ୍ଣପକ୍ଷ ମୂଳାଷ୍ଟମୀ ତିଥି ଠାରୁ ଆରମ୍ଭ ହୋଇଛି ଶାରଦୀୟ ପାର୍ବଣ ପୂଜା। ପ୍ରତେହ୍ୟ ମଧ୍ୟାହ୍ନରେ ମାଙ୍କୁ ଖେଚୁଡ଼ି ଭୋଗ ଲାଗି କରାଯାଉଥିବା ବେଳେ ସଂଧ୍ୟାରେ ଆମିଷ ଭୋଗ ଲାଗି କରାଯାଉଛି ବୋଲି ମାଙ୍କ ପୂଜକ ଶୁଭ୍ରାଂଶୁ ଶେଖର ପାଢ଼ୀ ପ୍ରକାଶ କରିଛନ୍ତି। ଶ୍ରୀ ପାଢ଼ୀଙ୍କ କହିବାନୁସାରେ ଆସନ୍ତା ୩ ତାରିଖ ଶୁକ୍ଲ ପକ୍ଷ ପ୍ରତିପଦା ତିଥି ରେ ମା ଙ୍କ ନବରାତ୍ରୀ ପୂଜା ଆରମ୍ଭ ହେବ। ସେହିଦିନ ପ୍ରାଚୀ ନଦୀ ରୁ କଳସ ଯାତ୍ରା ଅନୁଷ୍ଠିତ ହେବାପରେ ଦ୍ୱିତୀୟା ଓ ତୃତୀୟା ଦିନ ପୀଠ ରେ ମନ୍ଦିର ପୁରୋହିତ ଆଲୋକ ମିଶ୍ର ଙ୍କ ଦ୍ଵାରା ସପ୍ତଶତୀ ଚଣ୍ଡୀପାଠ ଅନୁଷ୍ଠିତ ହେବ। ପୁନର୍ବାର ୯ ଓ ୧୦ ତାରିଖ ମହାସପ୍ତମୀ ଓ ମହାଷ୍ଟମୀ ଅବସର ରେ ଚଣ୍ଡୀପାଠ କରାଯିବ।ମହାଷ୍ଟମୀ ତିଥି ବିଳମ୍ବିତ ରାତିର ସନ୍ଧିକ୍ଷଣ ମୁହୂର୍ତ୍ତ ରେ ମା ଙ୍କ ସମ୍ମୁଖ ରେ ମେଷ ବଳି ପ୍ରଦାନ କରାଯିବ। ନବମୀ ଦିନ ମନ୍ଦିର ପୁରୋହିତ ଙ୍କ ଦ୍ଵାରା ଶାନ୍ତି ହୋମ ଯଜ୍ଞ ଅନୁଷ୍ଠିତ ହେବା ବେଳେ ଦଶହରା ବିଜୟା ଦଶମୀ ଦିନ ମା ମହାମାୟା ଜଗତଜନନୀ ବେଶ ରେ ମାତୃ ଭକ୍ତ ମାନଙ୍କୁ ଦର୍ଶନ ଦେବେ। ରାତି ରେ ପ୍ରାଚୀ ନଦୀ ରେ କଳସ ବିସର୍ଜନ ପରେ ଶେଷ ହେବ ମା ଙ୍କ ଶାରଦୀୟ ପାର୍ବଣ ପୂଜା।ନରସିଂହପୁର ଶାସନ, ହାଟ, ମହାନ୍ତି ସାହି, ସିଂ ସାହି ପ୍ରଭୃତି ୪ ଗ୍ରାମ ର ଗ୍ରାମବାସୀ ମାନେ ଏକତ୍ରିତ ହୋଇ ମା ଙ୍କ ଶାରଦୀୟ ପାର୍ବଣ ପୂଜା କରି ଆସୁଥିବାବେଳେ ସମସ୍ତ ଗ୍ରାମ ର ଗ୍ରାମବାସୀ ମାନେ ମହାଷ୍ଟମୀ ରାତି ରେ ଏକତ୍ର ହୋଇ ମା ଙ୍କ ନିକଟରେ ଜନ୍ତାଳ ଭୋଜି ଖାଇବା ଭାଇଚାରା ର ଏକ ଅପୂର୍ବ ନିଦର୍ଶନ ବୋଲି କହିଛନ୍ତି ସରପଞ୍ଚ ମୋନାଲିସା ସିଂ। ଐତିହାସିକ କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀ, ଡ଼ଃ. ହରେକୃଷ୍ଣ ମହତାବ, ପ୍ରାବନ୍ଧିକ ମହାପାତ୍ର ନୀଳମଣି ସାହୁ ପ୍ରମୁଖ ଙ୍କ ମତରେ ନରସିଂହପୁର ଗ୍ରାମ ର ପୂଜିତା ଦେବୀ ଚାଚ୍ଚକାଇ ଙ୍କ ମନ୍ଦିର ଓ ମୂର୍ତ୍ତୀ ଅଷ୍ଟମ ଶତାବ୍ଦୀ ର କୀର୍ତ୍ତିରାଜି। ସେବେ ଠାରୁ ପୀଠ ରେ ଶାରଦୀୟ ପାର୍ବଣ ପୂଜା ପାଳିତ ହୋଇ ଆସୁଛି ବୋଲି କହିଛନ୍ତି ପୂଜକ ଗୌରାଙ୍ଗ ପାଢ଼ୀ।