ଚାନ୍ଦମାରୀ ପଡ଼ିଆରେ ଆଦିବାସୀ ଉତ୍ସବ ଉଦଘାଟିତ
ବାଲେଶ୍ୱର, (ସରୋଜ ପଣ୍ଡା) :-‘ମାରାଙ୍ଗବୁରୁ ଆଦିବାସୀ ଜୁଆନ ସେମିଲେନ’ ସଂଗଠନ ପକ୍ଷରୁ ସାଧାରଣତନ୍ତ୍ର ଦିବସ ଅବସରରେ ଆଦିବାସୀ ଉତ୍ସବ ସ୍ଥାନୀୟ ଚାନ୍ଦମାରୀ ପଡ଼ିଆରେ ମଙ୍ଗଳବାର ଉଦଘାଟିତ ହୋଇଯାଇଛି । ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ମଙ୍ଗଳବାର ଆଦିବାସୀ ଯୁବକମାନଙ୍କୁ ନେଇ ଗଠିତ ଆଠଟି ଫୁଟବଲ ଦଳ ସମ୍ବଳିତ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା । ଗୌରାଙ୍ଗ ପାଣିଗ୍ରାହୀ, ବ୍ୟାସକବିନଗର ବିକାଶ ପରିଷଦର ଉପଦେଷ୍ଟା ଆଇନଜୀବୀ ଅଖିଳ କୁମାର ଦାସ ଓ ରୟାଲ୍ କ୍ଲବର ସଭାପତି ଭଗବାନ ମହନୀ ପ୍ରମୁଖ ଏଥିିରେ ବରେଣ୍ୟ ଅତିଥି ଭାବେ ଯୋଗଦେଇ ଫୁଟବଲ ଟୁର୍ଣ୍ଣାମେଣ୍ଟକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଆମ ଦେଶ ଓ ରାଜ୍ୟର ପାରମ୍ପାରିକ ଫୁଟବଲ ଖେଳକୁ ଆଦିବାସୀ ଯୁବକମାନେ ବଞ୍ଚାଇ ରଖିଥିବାରୁ ଅତିଥିମାନେ ପ୍ରତିଯୋଗୀ ଓ ଆୟୋଜକଙ୍କୁ ଧନ୍ୟବାଦ ଦେଇଥିଲେ । କୋଭିଡ଼ କଟକଣା ମଧ୍ୟରେ ଆସନ୍ତାକାଲି ସାଧାରଣତନ୍ତ୍ର ଦିବସରେ ଆଦିବାସୀ ମହିଳା ଓ ପୁରୁଷମାନଙ୍କର ପାରମ୍ପରିକ ନୃତ୍ୟ ଓ ବାଦ୍ୟର ଉତ୍ସବ ଶୃଙ୍ଖଳାର ପାଳନ ପାଇଁ ପରାମର୍ଶ ଦେଇଥିଲେ ।ଏହି ଉଦଘାଟନ କାର୍ଯ୍ୟକ୍ରମରେ ‘ମାରାଙ୍ଗବୁରୁ ଆଦିବାସୀ ଜୁଆନ ସେମିଲେନ’ ସଂଗଠନ ପକ୍ଷରୁ ମନୁ ମାଝୀ, କାହ୍ନୁ ସରେନ୍, ସନତ ମୁର୍ମୁ, ମିଥୁନ ମୁର୍ମୁ, ଶୁକଦେବ କିସ୍କୁ, ଗେଡ଼ା ମୁର୍ମୁ ଟାଟୁ ବାବୁ ପ୍ରମୁଖ ଉପସ୍ଥିତ ଥିଲେ । ଧୀରେନ୍ଦ୍ର ବାରିକ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । କୃତୀ ଖେଳାଳିଙ୍କୁ ଆସନ୍ତାକାଲି ଉତ୍ସବରେ ପୁରସ୍କୃତ କରାଯିବାର କାର୍ଯ୍ୟକ୍ରମ ରହିଛି ବୋଲି କମିଟି କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି ।