ଚାନ୍ଦିପୁଟ ପଞ୍ଚାୟତର ହାଟ ଟିକସ ଟଙ୍କା କେବେ ଆସିବ ସରକାରୀ ଖାତାକୁ
ମୋହନା, (ଅଂଶୁମାନ ପଣ୍ଡା) :ଗଜପତି ଜିଲ୍ଲା ମୋହନା ବ୍ଲକରେ ରହିଥିବା ୩୯ଟି ପଞ୍ଚାୟତର ଗାଁ ଗହଳି ଲୋକେ ଗୋଟିଏ ସପ୍ତାହ ପାଇଁ ହାଟରୁ ବିଭିନ୍ନ ସଉଦା କିଣିବା ପାଇଁ ଆସିଥାନ୍ତି । ମୋହନା ବ୍ଲକର ପାଣିଗଣ୍ଡା, ଅଡ଼ବା, ଶିକୁଳିପଦର ,ବିରିକୋଟ, ରାଇପଙ୍କା, ଲୁହାଗୁଡି, ଚନ୍ଦ୍ରଗିରି, ଚାନ୍ଦିପୁଟ ଭଳି ଅନେକ ସ୍ଥାନରେ ସପ୍ତାହିକ ହାଟ ହୁଏ କିନ୍ତୁ ସବୁଠାରୁ ବଡ଼ ହାଟ ହେଲା ଚାନ୍ଦିପୁଟ ହାଟ । ଏଠି ପ୍ରତ୍ୟେକ ଶନିବାର ଦିନ ହାଟ ହୁଏ । ପଡୋଶୀ ଗଞ୍ଜାମ ଜିଲ୍ଲାରୁ ବହୁ ବ୍ୟବସାୟୀ ଗାଈ ,ଗୋରୁ ,ଛେଳି ,ମଇଁଷି, କୁକୁଡ଼ା ଆଦି କିଣିବା ପାଇଁ ଆସନ୍ତି। ଏଠି କିଣା ବିକା ହୁଏ । ହେଲେ ପଞ୍ଚାୟତର ଉର୍ଣ୍ଣତିକରଣ ପାଇଁ ସପ୍ତାହିକ ହାଟରୁ ସରକାରଙ୍କ ନିର୍ଦେଶ ଅନୁଯାୟୀ ହାଟ ଟିକସ ଟେଣ୍ଡର ମାଧ୍ୟମରେ ନିଲାମ କରାଯାଏ । ୨୦୨୦ରେ ୬ ମାସ ପାଇଁ ଏହି ହାଟକୁ ୭ ଲକ୍ଷ ଟଙ୍କାରେ ଟେଣ୍ଡର ଦିଆଯାଇଥିଲା ଏବଂ ସରକାରୀ ଖାତାରେ ଟଙ୍କା ପଇଠ ମଧ୍ୟ ହୋଇଥିଲା । ୨୦୨୧/୨୨ ଗୋଟିଏ ବର୍ଷ ପାଇଁ ପୁଣି ନିଲାମ ଡକାଯାଇଥିଲା । ସେହି ସମୟରେ ଦାୟିତ୍ଵରେ ରହିଥିବା ନାୟବ ସରପଞ୍ଚଙ୍କ ସ୍ୱାମୀ ରଞ୍ଜନ ମାଳି ୧୮ ଲକ୍ଷ ୯୬ ହଜାର ଟଙ୍କାରେ ନିଲାମ ନେଇଥିଲେ । ସରକାରଙ୍କ ନିୟମ ଅନୁଯାୟୀ ନିଲାମଧାରୀ ଅଧା ଟଙ୍କା ବାନ୍ଧିବାର ନିୟମ ରହିଥିବା ବେଳେ ରଞ୍ଜନ କେବଳ ୧ ଲକ୍ଷ ଟଙ୍କା ପ୍ରଥମେ ବାନ୍ଧିଥିଲେ । ଏହାକୁ ଗ୍ରାମର ଅନ୍ୟ ଜଣେ ବ୍ୟକ୍ତି ବିରୋଧ କରିବା ପରେ ରଞ୍ଜନ ମୋଟ ୬ ଲକ୍ଷ ଟଙ୍କା ପଇଠ କରିଥିଲେ । କିନ୍ତୁ କିଛି ଦିନ ହାଟ ଟିକସ ଆଦାୟ କରୁଥିବା ବେଳେ କୋଭିଡ ପାଇଁ ଲକଡାଉନ ଓ ସଟଡାଉନ ଘୋଷଣା ହୋଇଥିଲା । ଯାହାଫଳରେ ହାଟ ବନ୍ଦ ହୋଇଯାଇଥିଲା ଏବଂ ଟିକସ ଆଦାୟ ହୋଇପାରିଲା ନାହିଁ ।ଯାହାଦ୍ୱାରା ରଞ୍ଜନ ବକାୟା ୧୨ ଲକ୍ଷ ୯୬ ହଜାର ଟଙ୍କା ପଇଠ କରି ପାରିଲେ ନାହିଁ । କିନ୍ତୁ ବକେୟା ଟଙ୍କା ବାନ୍ଧିବା ପାଇଁ ପଂଚାୟତ ପକ୍ଷରୁ ତିନି ତିନି ଥର ଚିଠି କରିବା ପରେ ରଞ୍ଜନ ଟଙ୍କା ବାନ୍ଧି ନ ପାରିବାରୁ ତାଙ୍କୁ ଟିକସ ଆଦାୟ କରିବାକୁ ରଦ୍ଦ କରି ପଂଚାୟତ ଦ୍ୱାରା ଟିକସ ଆଦାୟ କରାଯାଉଛି । ରଞ୍ଜନ କହିବା ପ୍ରକାରେ ସେ ଲକଡାଉନ ରେ ଟିକସ ଆଦାୟ ହୋଇ ପାରିନଥିବାରୁ ପ୍ରଶାସନକୁ ଜଣାଇଛନ୍ତି । ହେଲେ ଅପରପକ୍ଷରେ ଗ୍ରାମର ଅନେକ ଲୋକେ କହିଛନ୍ତି ଲକଡାଉନ ସମୟରେ ମଧ୍ୟ ହାଟ ଗୋପନ ରେ ଚାଲିଥିଲା ଏବଂ ଟିକସ ମଧ୍ୟ ଆଦାୟ ହୋଇଛି । ଆଗରୁ ଗାଈ ପିଛା ୪୦ ଟଙ୍କା, କୁକୁଡ଼ା ପିଛା ୫ଟଙ୍କା, ଛେଳି ପିଛା ୪୦ ଟଙ୍କା ନିଲାମଧାରୀ ନେଉଥିବା ବେଳେ ରଞ୍ଜନ ନିଲାମ ନେବା ଦିନ ଠାରୁ ଦର ବୃଦ୍ଧି କରିଥିଲେ । ଗାଈ ପିଛା ୫୦, ଛେଳି ପିଛା ୫୦ , କୁକୁଡ଼ା ପିଛା ୧୦ ରହିଥିଲା । ଯାହାଦ୍ୱାରା ବେବସାୟୀକୁ କ୍ଷତି ସହିବାକୁ ପଡୁଛି କାରଣ ଗୋଟିଏ କୁକୁଡ଼ା ବିକିଲେ ୧୦ଟଙ୍କା ମିଳୁଛି ସେଥିରେ ଆଉରି ଟିକସ ଦେବାକୁ ପଡୁଛି ତେବେ କଣ ଲାଭ ମିଳଛି ଯେ ପରିବାର ପୁଷଣ ହେବ ବୋଲି ବେବସାଇ କହିଛନ୍ତି ଅନ୍ୟପଟେ ହାଟ ଏତେ ପରିମାଣରେ ଅବ୍ୟବସ୍ଥାରେ ଚାଲିଛି ତାହା କାହାରି ଦୃଷ୍ଟି ଆକର୍ଷଣ ହେଉନି । ଏତେ ଟଙ୍କା ଆଦାୟ ହେଉଛି କିନ୍ତୁ ଭଲ ପାଣି ଟୋପେ ନାହିଁ କି ହାଟ ଗୃହ ନାହିଁ ଯାହା ଦ୍ୱାରା ଖୋଲା ମେଲାରେ ରାସ୍ତା କଡେ ଚାଲୁଛି ହାଟ । ଏହି ବିଷୟରେ ବ୍ଲକ ପଂଚାୟତ ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି ଜିଲ୍ଲାପାଳଙ୍କ ନିୟମ ଅନୁଯାଇ ଯେତିକି ଦିନ ଲକଡାଉନ ହୋଇଥିଲା ତାହାରି ଟଙ୍କା କାଟି ବକେୟ ଟଙ୍କା ତୁରନ୍ତ ବାନ୍ଧିବା ପାଇଁ ଚିଠି କରାଯିବ । ଯଦି ତୁରନ୍ତ ଟଙ୍କା ନ ବାନ୍ଧନ୍ତି ତେବେ ସରକାରଙ୍କ ନିୟମ ଅନୁଯାଇ ଆଇନର ସାହାରା ନିଆଯାଇ ଦଣ୍ଡିତ କରାଯିବ ।