ଚାନ୍ଦିପୁର ବେଳାଭୂମି ମହୋତ୍ସବ ପାଇଁ ଡ୍ୟାନ୍ସ ଓ ଆଙ୍କରିଂ ଅଡିସନ
ବାଲେଶ୍ୱର, (ସରୋଜ ପଣ୍ଡା):ଆସନ୍ତା ୨୬ ତାରିଖରୁ ଆରମ୍ଭ ହେଉଥିବା ୨୩ତମ ଚାନ୍ଦିପୁର ସୂବର୍ଣ୍ଣ ବେଳାଭୂମି ମହୋତ୍ସବ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ସ୍ଥାନୀୟ କଳାକାର ଚୟନ ବା ଅଡିସନ ରବିବାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବାଲେଶ୍ୱର ସହରର ରିଜର୍ଭ ପୁଲିସ ଲାଇନ ସ୍ଥିତ ସଂସ୍କୃତି ନୃତ୍ୟ ଶିକ୍ଷା କେନ୍ଦ୍ରରେ ଆୟୋଜିତ ଏହି ଅଡିସନରେ ୧୫୦ରୁ ଉର୍ଦ୍ଧ୍ୱ ବିଭିନ୍ନ ବର୍ଗର ଉଦୀୟମାନ କଳାକାର ଅଂଶଗ୍ରହଣ କରିଥିଲେ । ଏଥିରେ କଳାକାଳମାନେ ଉଭୟ ପାରମ୍ପରିକ ଓ ଶାସ୍ତ୍ରୀୟ ଓ ଆଧୁନିକ ନୃତ୍ୟ ପ୍ରଦର୍ଶନ କରିଥିଲେ । ଜୁନିଅର ଓ ସିନିଅର ବର୍ଗରେ ସୋଲୋ ଡ୍ୟାନ୍ସ, ଡୁଏଟ୍ ଡ୍ୟାନ୍ସ, ଗ୍ରୁପ ଡ୍ୟାନ୍ସ, ସଙ୍ଗୀତ ପରିବେଷଣ କରିଥିଲେ । ଏଥି ସହିତ ମଂଚ ପରିଚାଳନା ପାଇଁ ଆଙ୍କରିଂ ନିମନ୍ତେ ମଧ୍ୟ ଅଡିସନ ଅନୁଷ୍ଠିତ ହୋଇଥିଲା । ମହୋତ୍ସବ କମିଟିର ସହ ସମ୍ପାଦକ ଡ. ଶ୍ରୀମାନ ଶ୍ରୀଚନ୍ଦନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଅଡିସନରେ ସଙ୍ଗୀତ ନିର୍ଦ୍ଦେଶକ ଅମୃତାଂଶୁ ପଟ୍ଟନାୟକ ଓ ନୃତ୍ୟଗୁରୁ ଜ୍ୟୋତିର୍ମୟୀ ସାମଲ ବିଚାରକ ଭାବେ ଦାୟିତ୍ୱ ତୁଲାଇଥିଲେ । ଚାନ୍ଦିପୁର ସୁବର୍ଣ୍ଣ ବେଳାଭୂମି ମହୋତ୍ସବ ଭଳି ଜାତୀୟସ୍ତରୀୟ କାର୍ଯ୍ୟକ୍ରମରେ ସ୍ଥାନୀୟ କଳାକାରଙ୍କୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ପ୍ରତ୍ୟେକ ବର୍ଷ ଏହିଭଳି ଅଡିସନ ଅନୁଷ୍ଠିତ ହୋଇଥାଏ ବୋଲି ଡ. ଶ୍ରୀମାନ ଶ୍ରୀଚନ୍ଦନ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହୋତ୍ସବ କମିଟିର ସଦସ୍ୟ ସୁକୁମାର ରଣା ଓ ଯୁବ ସଂଗଠକ ଲକ୍ଷ୍ମୀକାନ୍ତ ସ୍ୱାଇଁ ଉପସ୍ଥିତ ରହି ଅଡ଼ିସନ ପରିଚାଳନାରେ ସହଯୋଗ କରିଥିଲେ ।


