‘ଚାରମିନାର ଆଜବେଷ୍ଟସ ଶ୍ରମିକ ସଂଘ’ପକ୍ଷରୁ ବିକ୍ଷୋଭ
ବାଲେଶ୍ୱର, (ସରୋଜ ପଣ୍ଡା): ଶିଳ୍ପାନୁଷ୍ଠାନ କର୍ତ୍ତୃପକ୍ଷଙ୍କ ଶ୍ରମିକ ମାରଣ ନୀତିକୁ ବିରୋଧ କରି ସିଆଇଟିୟୁ ସମର୍ଥିତ ‘ଚାରମିନାର ଆଜବେଷ୍ଟ୍ସ ଶ୍ରମିକ ସଂଘ’ ପକ୍ଷରୁ ବାଲେଶ୍ୱର ଶ୍ରମ ଉପ ଆୟୁକ୍ତ(ଡିଏଲସି)ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ସଂଗଠନର ଶ୍ରମିକଙ୍କୁ ନେଇ ରେଳ ଷ୍ଟେସନ ନିକଟରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା ସହ ଡିଏଲସିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ôଚଥିଲା । ସେଠାରେ ଆୟୋଜିତ ପ୍ରତିବାଦ ସଭାରେ ‘ସିଆଇଟିୟୁ’ର ଜିଲା ଆବାହକ ରାଜକିଶୋର ଲେଙ୍କା ସଭାପତିତ୍ୱ କରିବା ସହିତ ଶ୍ରମିକଙ୍କ ପ୍ରତି ‘ଚାରମିନାର ଆଜବେଷ୍ଟସ’ ଶିଳ୍ପାନୁଷ୍ଠାନ କର୍ତ୍ତୃପକ୍ଷଙ୍କ ଦମନ ନୀତିକୁ ସମାଲୋଚନା କରିଥିଲେ । ଶିଳ୍ପାନୁଷ୍ଠାନ ଅଧିକାରୀମାନଙ୍କ ତ୍ରୁଟିପୂର୍ଣ୍ଣ କାର୍ଯ୍ୟଧାରା ଯୋଗୁଁ କାରଖାନାରେ ଶ୍ରମିକ ଅଶାନ୍ତି ତୀବ୍ର ହେବାରେ ଲାଗିଛି ବୋଲି ସେ କହିଥିଲେ । ପରିସ୍ଥିତିର ସମାଧାନ ପାଇଁ ଶ୍ରମ ବିଭାଗ ପକ୍ଷରୁ ଆଲୋଚନା ଆରମ୍ଭ ହୋଇଥିବା ବେଳେ ସଂଘର ସମ୍ପାଦକଙ୍କୁ କର୍ତ୍ତୃପକ୍ଷ ବିନା ନୋଟିସରେ ନିଲମ୍ବନ କରିବା କେଉଁ ନ୍ୟାୟରେ ବୋଲି ଶ୍ରୀ ଲେଙ୍କା ପ୍ରଶ୍ନ କରିଥିଲେ । ଶ୍ରମ ଆଇନ ଉଲଂଘନ ସାଙ୍ଗକୁ ଶିଳ୍ପାନୁଷ୍ଠାନ କର୍ତ୍ତୃପକ୍ଷ ଡିଏଲସିଙ୍କ ନିର୍ଦ୍ଦେଶକୁ ଅବଜ୍ଞା କରିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ସେ କହିଥିଲେ । ସଂଘର ସଭାପତି ଉଲାସ ସ୍ୱାଇଁ, ଉପ-ସଭାପତି ବିଜୟ ପାତ୍ର ଓ ରଜତ କୁମାର ଦାସ, ସାଧାରଣ ସମ୍ପାଦକ ନିତ୍ୟାନନ୍ଦ ଜେନା, ଶ୍ରମିକ ନେତା ନିର୍ମଳ ନାୟକ, ନିକୁଞ୍ଜ ବସନ୍ତ ରାୟ, ସୁଶାନ୍ତ ଜେନା, ଶ୍ୟାମସୁନ୍ଦର ଜେନା, ମୃତ୍ୟୁଞ୍ଜୟ ରାଉତ ପ୍ରମୁଖ ଏହି ପ୍ରତିବାଦ ସଭାରେ ଯୋଗଦେଇ ‘ଚାରମିନାର ଆଜବେଷ୍ଟ୍ସ’ କାରଖାନାରେ ଚାଲିଥିବା ଅଶାନ୍ତି ପାଇଁ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଥିଲେ । ଏ ବାବଦରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ସହ ନିଲମ୍ବିତ ନିତ୍ୟାନନ୍ଦ ଜେନାଙ୍କୁ ପୁନଃ ନିଯୁକ୍ତି ପାଇଁ ସେମାନେ ଦାବି କରିଥିଲେ । ନତୁବା ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ସଂଘର କର୍ମକର୍ତ୍ତାମାନେ ଚେତାବନୀ ଦେଇଥିଲେ । ଏହି ଅବସରରେ ସଂଗଠନ ପକ୍ଷରୁ ଏକ ଦାବିପତ୍ର ଡିଏଲସିଙ୍କୁ ପ୍ରଦାନ କରାଯାଇଥିଲା ।ତ୍ତ


