ଚାରିଗାଁ ବହୁମୁଖୀ ବନ୍ୟା ଆଶ୍ରୟ ସ୍ଥଳୀରେ ବିପର୍ଯ୍ୟୟ ପୂର୍ବ ପ୍ରସ୍ତୁତି ମକ୍ ଡ୍ରିଲ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଚାରିଗାଁ ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀରେ ଓଡିଶା ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷ, ଜିଲା ଓ ବ୍ଲକ ପ୍ରଶାସନର ମିଳିତ ସଂଯୋଜନା ଏବଂ ସ୍ୱେଚ୍ଛାସେବୀ ସଂସ୍ଥା ସି.ଏଫ.ଡବ୍ୟୁ.ଏସ୍.ଡି ସହଯୋଗରେ ଚାରିଗାଁ ବହୁମୁଖୀ ବନ୍ୟା ଆଶ୍ରୟ ସ୍ଥଳରେ ବିପର୍ଯ୍ୟୟ ପ୍ରସ୍ତୁତି ମକ୍ ଡ୍ରିଲ ଅନୁଷ୍ଠିତ ହୋଇଯାଇଛି । ବାତ୍ୟା ଆଶ୍ରୟ ସ୍ଥଳୀ ପରିଚାଳନା ସମିତିର ସଭାପତି ତଥା ସରପଞ୍ଚ ଗୀତିକା ଭୋଇଙ୍କ ସଭାପତିତ୍ୱ ଏବଂ ସମ୍ପାଦକ ରାମ ଚନ୍ଦ୍ର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ ଉଦ୍ଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ବିଡିଓ ପ୍ରଦୀପ କୁମା ସେଠୀ ଯୋଗ ଦେଇ ସମ୍ଭାବ୍ୟ ବିପର୍ଯ୍ୟୟରୁ ଧନଜୀବନକୁ ରକ୍ଷା କରିବା ପାଇଁ ମକ୍ ଡ୍ରିଲର ଆବଶ୍ୟକତା ବିଷୟରେ ଆଲୋଚନା କରିଥିଲେ । ଏହି ଅବସରରେ ବାହାନଗା ଟ୍ରେନ୍ ଦୁର୍ଘଟଣା ମୃତାହତଙ୍କ ଅମର ଆତ୍ମାର ସଦଗତି ପାଇଁ ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଏହି ବନ୍ୟା ଆଶ୍ରୟସ୍ଥଳୀର ସ୍ୱେଚ୍ଛାସେବୀ ଏବଂ ପରିଚାଳନା ସମିତିର ସହଯୋଗକୁ ବିଡିଓ ଭୂୟସୀ ପ୍ରଶଂସା କରିଥିଲେ । ଏଥିରେ ଜିଲା ପର୍ଯ୍ୟବେକ୍ଷକ ଭାବେ ଅତିରିକ୍ତ ଜିଲା ଶିକ୍ଷାଧିକାରୀ ମାୟାଧର ସାହୁ ଯୋଗ ଦେଇ ବିପର୍ଯ୍ୟୟ ପରିଚାଳନାରେ ଓଡିଶା ସାରା ବିଶ୍ୱରେ କିପରି ରୋଲ ମଡେଲ ହୋଇଛି ସେ ସଂପର୍କରେ କହିଥିଲେ । ଆଗରପଡା ଅଗ୍ନିଶମ ଅଧିକାରୀ ସଞ୍ଜୀବ କୁମାର ପ୍ରଧାନ ସଦଳବଳେ ଉପସ୍ଥିତ ରହି ବିଭିନ୍ନ ଜରୁରୀ ଉଦ୍ଧାର କାର୍ଯ୍ୟ ସଂପର୍କରେ ମକ୍ ଡ୍ରିଲ କରାଇଥିଲେ । ବନ୍ୟା ଆଶ୍ରୟସ୍ଥଳୀକୁ ସବୁବେଳେ ପରିଷ୍କାର ରଖିଥିବା କାର୍ତ୍ତିକ ଜେନା ଏବଂ ବାହାନଗା ଟ୍ରେନ୍ ଦୁର୍ଘଟଣା ସମୟରେ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିବା ରବିନ୍ଦ୍ର ଜେନା, ଶରତ ଜେନା, ମଳୟ ଜେନା, ରବିନ୍ଦ୍ର ଜେନାଙ୍କୁ ଅଧିକାରୀ ଓ ପରିଚାଳନା କମିଟି ପକ୍ଷରୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାକ୍ତନ ସରପଞ୍ଚ ବନମାଳୀ ବେହେରା ସ୍ୱାଗତ ଭାଷଣ ଓ ପଞ୍ଚାନନ ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସ୍ୱେଚ୍ଛାସେବୀ ସଂସ୍ଥାର କର୍ମକର୍ତ୍ତା ତଥା ଶିକ୍ଷକ ଗୋପିନାଥ ଦାଶ, ପ୍ରଦୀପ ଜେନା, ପିଇଓ ବୀର କିଶୋର ନାୟକ, ଜିଆରଏସ୍ ସୁବୋଧ ରାଉତ, ପରିଚାଳନା ସମିତି ସଭ୍ୟ ଅନାମ ଜେନା, ଆନନ୍ଦ ଜେନା, ନରେନ୍ଦ୍ର ସାହୁ, ମାଧବାନନ୍ଦ ବେହେରା ସହଯୋଗ କରିଥିଲେ